Advertisment

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସମାନ ଅବସ୍ଥା; କମ୍ପ୍ୟୁଟର ଅଛି, ପଢ଼ାଇବାକୁ ଶିକ୍ଷକ ନାହାନ୍ତି

ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।

Computer

Computer

Advertisment

ଗଣ୍ଡା ଗଣ୍ଡା କମ୍ପ୍ୟୁଟର ଅଛି, ହେଲେ ନାହାନ୍ତି କମ୍ପ୍ୟୁଟର ଶିକ୍ଷକ। ଫଳରେ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ସଂପର୍କିତ ଶିକ୍ଷାଲାଭ କରିପାରୁ ନାହାନ୍ତି। ଏପରିକି ବ୍ୟବହାର ହେଉନଥିବାରୁ ଖରାପ ହେବା ଅବସ୍ଥାକୁ ଆସିଲାଣି ଶହ ଶହ କଂପ୍ୟୁଟର। ଏହି ସ୍ଥିତି ଗୋଟିଏ କି ଦୁଇଟି ସ୍କୁଲର ନୁହେଁ, ତତ୍‌କାଳୀନ ବିଜେଡି ସରକାର ଅମଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 5Tରେ ସାମିଲ ହୋଇଥିବା ପ୍ରାୟ ସମସ୍ତ ସ୍କୁଲର ଏଭଳି ଅବସ୍ଥା।

Advertisment

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଗୋଡ଼ିହଂଜର ହାଇସ୍କୁଲରେ କମ୍ପ୍ୟୁଟର କ୍ଲାସ ରୁମରେ ୮ଟି କମ୍ପୁଟର ଅଛି। କିନ୍ତୁ ଆଜି ଯାଏଁ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ଫଳରେ ପିଲାଙ୍କୁ କାମଚଳା ଭାବେ ପାଠ ପଢ଼ାଉଛନ୍ତି ଗଣିତ, ବିଜ୍ଞାନ ଓ ଖେଳ ଶିକ୍ଷକ। ତଥ୍ୟ ଅନୁସାରେ ଲମତାପୁଟ ବ୍ଲକରେ ୧୭ଟି ସ୍କୁଲକୁ ଯୋଗାଇ ଦିଆଯାଇଛି କମ୍ପ୍ୟୁଟର। କିନ୍ତୁ ବିଡ଼ମ୍ବନା ଗୋଟିଏ ହେଲେ ସ୍କୁଲରେ ନାହାନ୍ତି କମ୍ପ୍ୟୁଟର ଶିକ୍ଷକ। ସେହିଭଳି
ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ପୂର୍ବ ସରକାରରେ 5T ଅଧୀନରେ ଆସୁଥିବା ବହୁ ସ୍କୁଲର ଅନୁରୂପ ଅବସ୍ଥା। କମ୍ପ୍ୟୁଟର ଶିକ୍ଷକ ନଥିବାରୁ ପ୍ରାୟ ବର୍ଷେ ହେବ ଅନେକ ସ୍କୁଲରେ ଏଯାଏଁ କମ୍ପ୍ୟୁଟର ଖୋଲାଯାଇନି।

କେବଳ କୋରାପୁଟ ନୁହେଁ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ସମାନ ସ୍ଥିତି। ପୂର୍ବ ସରକାରରେ ମାଲକାନଗିରି ଜିଲ୍ଲାର 5T ରେ ସାମିଲ ହୋଇଥିବା ପ୍ରାୟ ସବୁ ସ୍କୁଲରେ ଦେଖିବାକୁ ମିଳିଛି ସମାନ ସ୍ଥିତି। ଏହି ଜିଲ୍ଲାରେ ସ୍କୁଲର କୋଠା ଓ ଶ୍ରେଣୀଗୃହଗୁଡ଼ିକୁ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଚକାକଚ୍ କରାଯିବା ପରେ ୨୦୨୩ରେ ପ୍ରାୟ ସବୁ ସ୍କୁଲକୁ ମିଳିଥିଲା ୮ରୁ ୧୦ଟି ଲେଖାଏଁ କମ୍ପ୍ୟୁଟର। କିନ୍ତୁ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କଥାକୁ ଭୁଲି ଯାଇଥିଲେ ତତ୍କାଳୀନ ସରକାର। ଯାହାର ଫଳସୂରୂପ ଚିତ୍ରକୋଣ୍ଡା ପଞ୍ଚାୟତରେ ଥିବା ଏକ ସରକାରୀ ଆବାସିକ ସ୍କୁଲର ୧୦ଟି କମ୍ପ୍ୟୁଟର ଆଜି ପର୍ଯ୍ୟନ୍ତ ଅନ୍ ହୋଇନଥିବା ଦେଖିବାକୁ ମିଳିଛି। ସେହିଭଳି ନବରଙ୍ଗପୁର ଜିଲ୍ଲାରେ ବି କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତିରେ ବି ମରୁଡ଼ି ପଡ଼ିଛି। ତେଣୁ ପିଲାଙ୍କ ବୈଷୟିକ ଶିକ୍ଷା ପାଇଁ ଏ ବ୍ୟୟବହୁଳ ଭିତ୍ତିଭୂମି ଥିଲେ ବି କାମଚଳା ଶିକ୍ଷକଙ୍କ ପାଇଁ ଠିକ୍‌ରେ ଶିକ୍ଷାଲାଭ କରିପାରୁ ନାହାନ୍ତି ପିଲା।

Advertisment

ଏହି ସ୍ଥିତିକୁ ଦେଖିଲେ ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ
ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପକ୍ଷୀ 5T ନାଁରେ ତରବରରେ କମ୍ପୁଟର କିଣାରେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ଏହାର ତଦନ୍ତ କରାଯିବା ସହ ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

5T Computer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe