Advertisment

ଦେଶର ଟପ୍‌ ୨୩ ସଫଳ ମହିଳାଙ୍କ ଭିତରେ ଆଦିବାସୀ ଝିଅ ଜୟନ୍ତୀ

‘ବଡ଼ ଦିଦି’ ମାଧ୍ୟମରେ ଗାଁ ଗାଁରେ ଋତୁସ୍ରାବ, ଗୁଡ୍‌ ଚଟ୍‌, ବ୍ୟାଡ୍‌ ଟଚ୍‌ ସମ୍ପର୍କରେ ସଚେତନତା କରାଉଛନ୍ତି। ଋତୁସ୍ରାବ ପାପ ନୁହେଁ ବୋଲି ଆଦିବାସୀ ଯୁବତୀମାନଙ୍କୁ ବୁଝାଉଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Malkangiri

Malkangiri

ଦେଶର ଟପ୍‌ ସଫଳ ୨୩ ମହିଳାଙ୍କ ଭିତରେ ଅଛନ୍ତି ଆଦିବାସୀ ଝିଅ ଜୟନ୍ତୀ। ଅନ୍ତର୍ଜାତିୟ ମାଗାଜିନ୍‌ Forbes ତାଲିକାରେ ସେ ପାଇଛନ୍ତି ସ୍ଥାନ।ସାରା ବିଶ୍ୱ ଦେଖିଲା ଜୟନ୍ତୀଙ୍କ ସଫଳ ଗାଥା। Forbes ମାଗାଜିନ୍‌ରେ ଫଟୋ ବାହାରିବା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ସେପଟେ ଦେଶର ଟପ୍‌ ସଫଳ ମହିଳାଙ୍କ ଭିତରେ ଜୟନ୍ତୀ ଥିବାରୁ ମାଲକାନଗିରିରେ ଖୁସିର ଲହରୀ ଖେଳି ଯାଇଛି।

Advertisment

ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ ମାଲକାନ୍‌ଗିରି ଗ୍ରାଜୁଏସନ୍‌ ପାସ୍‌ କରିଥିଲେ। ତା’ପରେ କୋରାପୁଟ୍‌ ଚାଲି ଯାଇଥିଲେ। ସେ Central Universityରେ ନାଁ ଲେଖାଇଥିଲେ। ସେଠାରୁ ସାମ୍ୱାଦିକ ଓ ଗଣ ଯୋଗାଯୋଗ ବିଭାଗରେ ଏମ୍‌ଏ ପାସ୍‌ କରିଥିଲେ। ତା’ପରେ ସାମ୍ୱାଦିକତା କରିବା ଆରମ୍ଭ କରିଥିଲେ। ବଣ ଜଙ୍ଗଲ ଘେରା ବଣ୍ଡା ଘାଟି, ମୁଦୁଲିପଡ଼ା ଓ ନକ୍ସଲ ପ୍ରବଣ କାଲିମେଳା, ମାଥିଲି ଅଞ୍ଚଳରେ ରିପୋର୍ଟିଂ କରୁଥିଲେ। ଯେଉଁଥିପାଇଁ ତାଙ୍କୁ NWMI (Network of Woman in Media India) ତରଫରୁ ଫେଲୋସିଫ୍‌ ପ୍ରଦାନ କରାଯାଇଥିଲା। ରିପୋର୍ଟିଂ ସମୟରେ ସେ ନିଜ ସମ୍ପ୍ରଦାୟର ଗରିବ ଆଦିବାସୀ ମହିଳା ଓ ଯୁବତୀଙ୍କୁ ପାଖରୁ ଦେଖିଥିଲେ। ଋତୁସ୍ରାବ ନେଇ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ମର୍ମେ ମର୍ମେ ଅନୁଭବ କରୁଥିଲେ ଜୟନ୍ତୀ। ତେଣୁ ସେମାନଙ୍କ ଦୁଃଖ ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଆଉ ଆରମ୍ଭ କରିଥିଲେ ‘ବଡ଼ ଦିଦି’ ଅଭିଯାନ।

ସାମ୍ୱାଦିକତା ଚାକିରି ଛାଡ଼ି ସମାଜ ସେବା ପ୍ରତି ମନ ବଳାଇଲେ ଜୟନ୍ତୀ ବୁରୁଦା। ‘ବଡ଼ ଦିଦି’ ମାଧ୍ୟମରେ ଗାଁ ଗାଁରେ ଋତୁସ୍ରାବ, ଗୁଡ୍‌ ଚଟ୍‌, ବ୍ୟାଡ୍‌ ଟଚ୍‌ ସମ୍ପର୍କରେ ସଚେତନତା କରାଇଉଛନ୍ତି। ଋତୁସ୍ରାବ ପାପ ନୁହେଁ ବୋଲି ଆଦିବାସୀ ଯୁବତୀମାନଙ୍କୁ ବୁଝାଉଛନ୍ତି। ପ୍ୟାଡ୍‌ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ଜୟନ୍ତୀଙ୍କ ‘ବଡ଼ ଦିଦି’ ଅଭିଯାନ ୨୦ ଜଣ ଝିଅଙ୍କୁ ନେଇ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୦୦ରୁ ଅଧିକ ସ୍ୱେଚ୍ଛାସେବୀ(ଯୁବତୀ) ସେଥିରେ କାମ କରୁଛନ୍ତି। ସ୍ୱେଚ୍ଛାସେବୀ ଦୁର୍ଗମ ଅଞ୍ଚଳକୁ ଯାଉଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାଉଛନ୍ତି। ଆବଶ୍ୟକ ପଡ଼ିଲେ ପ୍ୟାଡ୍‌ ପ୍ରଦାନ କରୁଛନ୍ତି। ଗତ ୬ ବର୍ଷ ହେଲା ଜଣେ ବଡ଼ ଭଉଣୀ ହିସାବରେ ଜୟନ୍ତୀ ଗାଁକୁ ଗାଁ ଯାଉଛନ୍ତି। ଯୁବତୀମାନଙ୍କ ସୁଖ ଓ ଦୁଃଖ ବେଳେ ସାଥୀରେ ଛିଡ଼ା ହେଉଛନ୍ତି।

Advertisment

Malkangiriସାଥୀଙ୍କ ଗହଣରେ ଜୟନ୍ତୀ

ଜୟନ୍ତୀ କହିଛନ୍ତି, ବଡ ଦିଦି ମାଧ୍ୟମରେ ପ୍ୟାଡ୍‌ ବ୍ୟାଙ୍କ ଆରମ୍ଭ କରାଯାଇଛି। ବଣ୍ଡା ଘାଟିର ବଡ଼ବେଲ୍‌ ଗାଁ, କାଲିମେଳାର ଜାକେଲ୍‌କୁଣ୍ଡି ଓ ମାଲକାନଗିରି ସଦର ମହକୁମାରେ ପ୍ୟାଡ୍‌ ବ୍ୟାଙ୍କ ଖୋଲା ଯାଇଛି। ସେଠାରେ ପର୍ଯ୍ୟାପ୍ତ ପରିମାଣର ପ୍ୟାଡ୍‌ ରଖାଯାଉଛି। ଆଉ ଋତୁସ୍ରାବ ସମୟରେ ଝିଅମାନେ ସେଠାରୁ ପ୍ୟାଡ୍‌ ନେଇ ବ୍ୟବହାର କରୁଛନ୍ତି। ବେଙ୍ଗାଲୁରୁ ବି’ ଫ୍ରେଣ୍ଡ ଫାଉଣ୍ଡେସନ୍‌ ତରଫରୁ ଆମକୁ ୨୦୦ ପ୍ୟାଡ୍‌ ଯୋଗାଇ ଦିଆଯାଉଛି। ସେହି ପ୍ୟାଡ୍‌କୁ ୩ଟି ସ୍ଥାନରେ ରଖାଯାଇଛି। ଆଉ ଯଦି କୌଣସି ବ୍ୟକ୍ତି ସହାୟତା କରନ୍ତି, ତାହାହେଲେ ଆଗକୁ ଅନ୍ୟ ସ୍ଥାନରେ ପ୍ୟାଡ୍‌ ବ୍ୟାଙ୍କ ଖୋଲାଯିବ ବୋଲି ଜୟନ୍ତୀ କହିଛନ୍ତି।
MalkangiriForbes ମାଗାଜିନ୍‌ରେ ସ୍ଥାନ ପାଇଥିବା ଯୁବତୀ

ଜୟନ୍ତୀଙ୍କ ଏହି ସଫଳତାର ଗାଥା ଦେଖିଛି ଓ ପଢ଼ିଛି ବିଶ୍ୱ। ସେଥିପାଇଁ ତାଙ୍କୁ ଫୋବର୍ସ ନିଜ ମାଗାଜିନ୍‌ରେ ସ୍ଥାନ ଦେଇଛି। ଦେଶର ୨୩ ଜଣ ସଫଳ ମହିଳାଙ୍କ ଭିତରେ ସ୍ଥାନ ପାଇଛନ୍ତି ଜୟନ୍ତୀ। ସେହି ତାଲିକାରେ ବିଶ୍ୱ ବ୍ୟାଙ୍କ MD ଓ CFO ଅନଶୁଳା କାନ୍ତ, କ୍ରିକେଟର ଦୀପ୍ତି ଶର୍ମା, ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କ୍ରିତି ସାନନ ଓ ଚେସ୍‌ ଗ୍ରାଣ୍ଡମାଷ୍ଟର ଆର୍‌ ବୈଶାଳୀଙ୍କ ଭଳି ୨୩ ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଛନ୍ତି।

ରିପୋର୍ଟ-ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ

Malkangiri