Advertisment

ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ, ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର

ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ନାଁ ଲେଖିଛନ୍ତି ।

author-image
Manoj Swain
ଅଦ୍ୟତନ ହୋଇଛି
Tribal Student from Koraput Clears NEET

Tribal Student from Koraput Clears NEET

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳର ଗୋଦବା ଆଦିବାସୀ ଛାତ୍ର ଇଶାକ ବଡନାୟକ ଡାକ୍ତରୀ ପାଠ ପଢିବେ । ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ନାଁ ଲେଖିଛନ୍ତି । ଇଶାକଙ୍କ ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରି ଖେଳିଯାଇଛି ।

Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତ ହନୁମାଲ ଗାଁର ବୁଦା ବଡନାୟକ ହେଉଛନ୍ତି ଜଣେ ଗରିବ ଦିନ ମଜୁରିଆ। ମୂଲ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ପତ୍ନୀ ଓ ଇଶାକ ବଡନାୟଙ୍କୁ ମିଶାଇ ୩ ଭାଇ ଭଉଣୀ। ତେଲ ଲୁଣ ସଂସାର ଭିତରେ ବାପା ବୁଦା ଇଶାକଙ୍କୁ ଗାଁ ସ୍କୁଲରେ ପାଠ ପଢାଉଥିଲେ। ଇଶାକ ମେଧା‍ବୀ ଛାତ୍ର ଥିଲେ। ଭଲ ପାଠ ପଢୁଥିବାରୁ ସ୍କୁଲରେ ସମସ୍ତଙ୍କ ପ୍ରିୟ ଭାଜନ ହେଉଥିଲେ। ହେଲେ ତାଙ୍କର ପାଠ ପଢାରେ ଅର୍ଥ ବାଧକ ସାଜିଥିଲା। ତଥାପି ହାର ମାନିନଥିଲେ ଇଶାକ। ମନଦେଇ ପାଠ ପଢୁଥିଲେ ଇଶାକ। 

ଇଶାକ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ତାପରେ ମିଶିଙ୍ଗପୁଟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ ଇଶାକ। ସେ ମାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲେ। ଆଦିବାସୀ ମୁଲକରେ ଜଣେ ଗରିବ ଖଟିଖିଆର ପୁଅ ଏତେ ନମ୍ବର ରଖି ପାସ କରିବା ଘଟଣା ସେତେବେଳେ ସମଗ୍ର ଲମତାପୁଟରେ ଚହଳ ପକାଇଥିଲା। ଇଶାକ ଦୁଃଖ କଷ୍ଟରେ ମାଟ୍ରିକ୍‌ ସିନା ପାସ କଲେ, ହେଲେ ଭୋକିଲା ପେଟରେ ଜୀବନ ଜିଉଁଥିବା ବାପାଙ୍କ ପକେଟ୍‌ରେ ନଥିଲା ସମ୍ବଳ। ତେଣୁ ଯୁକ୍ତ ୨ ରେ କେମିତି ନାମ ଲେଖାଇବେ ଇଶାକ ? ନିଜ ପରିବାରର ଆର୍ଥିକ ସ୍ଥିତି ଦେଖି ଭାଙ୍ଗିପଡ଼ିଥିଲେ ଇଶାକ। କିନ୍ତୁ ଲକ୍ଷ୍ୟ ବିଚ୍ୟୁତ ହୋଇନଥିଲେ। ବାପା ମାଆଙ୍କୁ ବୁଝାଇଥିଲେ। ପାଠ ପଢିବା ପାଇଁ ଅଳି କରିଥିଲେ।  

Advertisment

ତେବେ ଇଶାକଙ୍କ ଉତ୍ସାହ ଦେଖି ସହଯୋଗର ହାତ ବଢାଇଥିଲେ ଲମତାପୁଟ ସ୍ଥିତ ଆଶା କିରଣ ସୋସାଇଟିର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ। ତାଙ୍କ ସହାୟତାରେ ତାମିଲନାଡୁ ମଦୁରାଇରେ ଯୁକ୍ତ ୨ ପଢ଼ିଥିଲେ ଇଶାକ। ସେଠାରେ ସେ ଯୁକ୍ତ ୨ ବିଜ୍ଞାନରେ ୯୪ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଏଥର ସେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ ହେଇଥିଲେ। ଆଉ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଆଡମିଶନ ପରେ ସେ ଗାଁକୁ ଫେରିଛନ୍ତି।

କେବଳ ଇଶାକ ନୁହେଁ କୋରାପୁଟ-ମାଲକାନଗିରି ସୀମାନ୍ତରେ ରହିଥିବା ହନୁମାଲ ଗାଁର ତିନି ଜଣ ଆଦିବାସୀ ଯୁବକ ଏବେ ଡାକ୍ତର ହୋଇଛନ୍ତି। ଆଦିବାସୀ ପିଲାଙ୍କ ସଫଳତାକୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ। ଇଶାକ ବଡନାୟକଙ୍କ ଏହି ସଫଳତାକୁ ନେଇ ବାପା ମାଆ ଏବଂ ଗାଁ ଲୋକେ ବହୁତ ଖୁସି ହୋଇଛନ୍ତି।

Odisha Koraput