ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରୁ ଆସିଛି ଭଲ ଖବର। ପାମ୍ପାରିକ ହଳଦୀ ଓ ଅଦା ଚାଷ ଠାରୁ ଦୂରେଇ ଯାଇ ଶାଗ ଚାଷ କରୁଛନ୍ତି ଦୁଇ ଭାଇ। ଆଉ ବନିଛନ୍ତି ଲକ୍ଷପତି। ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ଦୁଇ ଭାଇଙ୍କ ଶାଗର ଚାହିଦା ବେଶ୍ ରହିଛି।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୁଗାନକେତା ଗାଁରେ ବାସକରୁଛନ୍ତି ଦୁଇ ଭାଇ ଯୁଧିଷ୍ଠିର ପ୍ରଧାନ ଓ ଟୁନାପତି ପ୍ରଧାନ। ପାଠ ଶାଠ ବେଶୀ ପଢିନାହାଁନ୍ତି। କିନ୍ତୁ ପରିଶ୍ରମୀ ଓ କୁଶଳୀ। ନିଜ ପରିଶ୍ରମରେ ନିଜର ଦେଢ ଏକର ଜମିରେ କରୁଛନ୍ତି ଶାଗ ଚାଷ। ହେଲେ ପ୍ରୟୋଗ କରୁନାହାନ୍ତି କୌଣସି ରାସାୟନିକ ଶାର ଓ ବିଷ। ଜୈବିକ ପଦ୍ଧତ୍ତିରେ ଦୁଇ ଭାଇ ନିଜ ବାଡ଼ିରେ ୧୫ ବର୍ଷ ହେଲା କରୁଛନ୍ତି ବିଭିନ୍ନ ପ୍ରକାର ଶାଗ ଚାଷ। ଯେଉଁଥିରେ ରହିଛି ଲେଉଟିଆ, କୋଶଳା, ପାଳଙ୍ଗ ଶାଗ ଆଦି। ବର୍ଷକ ବାର ମାସ ଶାଗ ଚାଷ କରନ୍ତି।
ପ୍ରତିଦିନ ଭୋର ୪ଟାରୁ ଉଠନ୍ତି ଯୁଧିଷ୍ଠିର ପ୍ରଧାନ ଓ ଟୁନାପତି ପ୍ରଧାନ। ଆଉ ତରତର ହୋଇ ଶାଗ ବାଡ଼ିକୁ ଚାଲି ଯାନ୍ତି ଦୁଇ ଭାଇ। ପଟାଳୀରୁ ଶାଗ ତୋଳିବାରେ ଲାଗି ପଡ଼ନ୍ତି। ତାପରେ ସେ ଶାଗକୁ ଧରି ଘରକୁ ଫେରନ୍ତି। ଶାଗକୁ ବିଡ଼ା ବାନ୍ଧନ୍ତି। ପୂରା ପରିବାର ଏଇ କାମରେ ଲାଗି ଯାଆନ୍ତି। ତାପରେ ସେ ଶାଗକୁ ଧରି ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗିବାଡ଼ି ମାର୍କେଟକୁ ଆସନ୍ତି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ଶାଗ ବିକ୍ରି କରିଥାନ୍ତି। ତଟକା ଶାଗ ଦେଖି ଲୋକମାନେ ଆଦରର ସହ କିଣି ନେଉ ଥିବା ଦେଖିବାକୁ ମିଳିଛି। ଆଜକୁ ୧୫ ବର୍ଷ ତଳେ ଯେଉଁ ଶାଗ ବିଡ଼ାକୁ ୩୫ ପଇସାରେ ବିକ୍ରି କରୁଥିଲେ ଆଜି ସେଇ ଶାଗ ବିଡ଼ାକୁ ୧୦ ଟଙ୍କାରେ ବିକୁଛନ୍ତି। ଏଥିରୁ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିପାରୁଛନ୍ତି ଦୁଇ ଭାଇ। ମାସକୁ ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ପ୍ରକାଶ କରିଛନ୍ତି।
ଯୁଧିଷ୍ଠିର ପ୍ରଧାନଙ୍କ କହିବା ଅନୁସାରେ ପୂର୍ବରୁ ସ୍ୱଳ୍ପ ଚାଷ ଜମିରେ ହଳଦୀ, ଅଦା, ସୋରିଷ ଆଦି ବର୍ଷକୁ ଥରେ ଚାଷ କରୁଥିଲେ। ଏଥି ପାଇଁ ବୋହୁ ପରିଶ୍ରମ କରିବାକୁ ପଡ଼ୁଥିଲା। ପ୍ରଚୁର ପାଣି ମଧ୍ୟ ଆବଶ୍ୟକ ହେଉଥିଲା। ତାହା ପରେ ମଧ୍ୟ ଚାଷ ନଷ୍ଟହେବାର ଓ ଉତ୍ପାଦିତ ଫସଲ ବିକ୍ରିକୁ ନେଇ ନାନା ସମସ୍ୟା ଦେଖା ଦେଉଥିଲା। କେତେ କାହାକୁ ନେହୁରା ହେବାକୁ ପଡ଼ୁଥିଲା। ହେଲେ ଶାଗ ଚାଷ କଲେ ସେଥିରୁ ବହୁ ପରିମାଣରେ ଆଶ୍ୱସ୍ତି ମିଳୁଛି। ଶାଗର ଚାହିଦା ଭଲଥିବାରୁ ବିକ୍ରି କରିବାରେ କିଛି ଅସୁବିଧା ହେଉନାହିଁ ବୋଲି ଯୁଧିଷ୍ଠିର କହିଛନ୍ତି।
ରିପୋର୍ଟ – ବାଲିଗୁଡ଼ାରୁ ଅଜିତ କୁମାର ନାୟକ