କେତେ ଯନ୍ତ୍ରଣା? କେତେ ଦୁଃଖ? ପୂରା ଅସହାୟ। ଜଣେ ଦାଦନ ଯନ୍ତ୍ରଣାରେ ଗୋଡ଼ ହରାଇ ମେଡ଼ିକାଲ୍ ବେଡ଼ରେ ପଡ଼ିଥିବା ବେଳେ ଆଉଜଣେ ଦାଦନ ଖଟିବାକୁ ଯାଇ ଆଜି ପର୍ଯ୍ୟନ୍ତ ଫେରିଲେ ନାହିଁ। ଯେଉଁଥିପାଇଁ ଦେଢ଼ବର୍ଷ ହେଲା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପତ୍ନୀ। ଦାଦନ ଦୁଃଖର ଏପରି ଦୁଇଟି ଅକୁହା କାହାଣୀ ଦେଖିବାକୁ ମିଳିଛି ନୂଆପଡ଼ାରେ।
କୋମନା ବ୍ଲକ ଠୋଙ୍ଗୋ ଗାଁର ଲାଲଧର ମାଝୀ। ଗାଁରେ କାମଦାମ ମିଳିଲା ନାହିଁ। ତେଣୁ ପରିବାରର ୫ ପ୍ରାଣୀ କୁଟୁମ୍ୱଙ୍କ ମୁହଁରେ ଦାନା ଦେବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ସେଠାରେ ଗୋଟିଏ ଇଟା ଭାଟିରେ କାମ କରୁଥିଲେ। ଦୈନିକ ୧୮ ଘଣ୍ଟା କାମ କରୁଥିଲେ। ଇଟା ଭାଟିରେ କାମ କରୁଥିବା ବେଳେ ତାଙ୍କ ଗୋଡରେ ଗରମ ଖାର ପଡ଼ିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ନଗସାପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ସତ୍ତ୍ୱେ ଗୋଡ଼ ଭଲ ହେଲାନାହିଁ। ତେଣୁ ଘରକୁ ଫେରିଥିଲେ ଲାଲଧର ମାଝୀ। ନୂଆପଡା ମେଡିକାଲରେ ନିୟମିତ ଚିକିତ୍ସା ହେଉଥିଲେ। ହେଲେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ। ଚିକିତ୍ସା ହୋଇପାରୁନାହାନ୍ତି। ତେଣୁ ବିକଳାଙ୍ଗ ହୋଇ ଘରେ ପଡ଼ିଛନ୍ତି। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ଘରେ ପଡ଼ିଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ଅସହାୟ ଅବସ୍ଥାରେ ଘରୁ ଗୋଡ଼ କାଢିଥିଲେ ଲାଲଧର ମାଝୀଙ୍କ ପତ୍ନୀ କମଳେ ମାଝୀ। ଦିନ ମଜୁରୀଆ କାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖେସୁଖେ ଚଳୁଛନ୍ତି।
ଲାଲଧର ମାଝୀଙ୍କ ଦୁଃଖକୁ ବଳି ଯାଇଛି ଦର୍ଲିପଡ଼ା ଗାଁର ସବିତା ଧାରୁଆଙ୍କ ଛାତି ତଳର ଯନ୍ତ୍ରଣା। ଗାଁରେ କାମ ମିଳିଲାନି ବୋଲି ଦେଢ଼ବର୍ଷ ତଳେ ତାଙ୍କ ସ୍ଵାମୀ ଲକ୍ଷ୍ମୀଧର ଧରୁଆ ଜଣେ ଶ୍ରମିକ ଦଲାଲ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ। ହେଲେ ଏ ଯାଏଁ ଘରକୁ ଫେରିଲେ ନାହିଁ। ତାଙ୍କ ଫୋନ୍ ଲାଗୁନାହିଁ। ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ସବିତା ଧାରୁଆ। ଅସହାୟ ଅବସ୍ଥାରେ କେବଳ ସ୍ଵାମୀଙ୍କ ଫଟୋକୁ ଧରି ଗାଁର ଫେରିବା ରାସ୍ତାକୁ ଅନାଇ ବସିଛନ୍ତି। ବଡ଼ କଷ୍ଟରେ ପରିବାର ଚଳାଉଛନ୍ତି ସବିତା। ସରକାରୀ ସହାୟତା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଯେ, ନିର୍ଦ୍ଧିଷ୍ଟ ପ୍ରଣାଳୀରେ ଆବେଦନ କଲେ, ସହାୟତା ପ୍ରଦାନ କରାଯାଇ ପାରିବ।
ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ