/odisha-reporter/media/post_attachments/uploadimage/library/16_9/16_9_0/IMAGE_1689005539.jpg)
Dillip and Rekha
ଆପଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ କଥା ଜାଣିଥିବେ, ଯାହା ଏବେ ସଂଗ୍ରହାଳୟ ପାଲଟିଛି। ହେଲେ ସେହି ଆନନ୍ଦ ଭବନ ପାଖରେ ଆଉ ଗୋଟିଏ ଆନନ୍ଦ ଭବନ ମଧ୍ୟ ଅଛି। ସେଇଟି ହେଉଛି ବିଜୁ ବାବୁଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ।
ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢ଼ିଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଘର ଭାଙ୍ଗିରୁଜି ଗଲାଣି। ଘର ଆଗରେ ଆଣ୍ଠୁଏ ବହଳର ଘାସ ଓ ଅନାବନା ଗଛ ଭରି ଯାଇଛି। ଆଉ ଏହି ଘରେ ରହୁଛନ୍ତି ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକ। ଅର୍ଥାତ ସଂପର୍କରେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ।
୧୯୪୭ରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ପଟ୍ଟନାୟକ ରେଭେନସା ଏବଂ ବାଣୀବିହାରରେ ପାଠପଢ଼ିବା ପରେ ଏକ ସ୍ପଞ୍ଜ ଆଇରନ କାରଖାନାରେ କାମ କରୁଥିଲେ। ପ୍ରାୟ ୨୦ ବର୍ଷ ତଳୁ ସେ ଚାକିରି ଛାଡି ସାରିଲେଣି। ଅବସର ପରେ ଯାହା ପଇସା ମିଳିଥିଲା, ସେଥିରେ ବଡ଼ କଷ୍ଟରେ ଚଳୁଛନ୍ତି ଦିଲ୍ଲୀପ। ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ବି ସେ ଚାଲିବା କଷ୍ଟକର ହୋଇପଡୁଛି। ଦିଲ୍ଲୀପ ଅବିବାହିତ। ତାଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି। ଖାଲି ସେତିକି ନୁହେଁ, ଏବେ ତାଙ୍କ ସଙ୍ଗେ ତାଙ୍କ ବଡ଼ ଭଉଣୀ ରେଖା ମଧ୍ୟ ରହୁଛନ୍ତି। ସେ ମଧ୍ୟ ଚଲାବୁଲା କରିପାରୁନାହାନ୍ତି। ବଡ଼ କଷ୍ଟରେ ଉଭୟ ଏହି ଘରେ ଆର୍ଥିକ ଅନଟନରେ କାଳ କାଟୁଛନ୍ତି।
ବିଜୁ ବାବୁଙ୍କ ଆନନ୍ଦ ଭବନ ଓ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନଦିଲ୍ଲୀପ କହିଛନ୍ତି, ତାଙ୍କ ଭଉଣୀ ରେଖା ପରିବାରେ ସବୁଠାରୁ ବଡ଼। ପୂର୍ବରୁ ଆନନ୍ଦ ଭବନରେ ଆମ ସବୁ ମିଶିକି ରହୁଥିଲେ। ଏଠାରେ ନବୀନ, ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ପଟ୍ଟନାୟକଙ୍କ ପିଲା ଦିନ କଟିଛି। ଦିଲ୍ଲୀପଙ୍କ ପିଲାବେଳ ନବୀନଙ୍କ ସଙ୍ଗେ ଖେଳକୁଦରେ କଟିଛି। ହେଲେ ବର୍ତ୍ତମାନ ତାଙ୍କର ଏଭଳି ଅବସ୍ଥାରେ ପାଖରେ କେହି ନାହାନ୍ତି।
ନବୀନଙ୍କ ସମ୍ପର୍କରେ ଦିଲୀପ କହିଛନ୍ତି, ସେ ଓଡ଼ିଶା ପାଇଁ ଅନେକ କାମ କରୁଛନ୍ତି। ହେଲେ ତାଙ୍କ ଦାଦା ବିଜୁ ପଟ୍ଟନାୟକ ଯେମିତି ବିକାଶ କରିଥିଲେ ସେଭଳି ବିକାଶ ଆଉ ଓଡ଼ିଶାରେ ହେଉନାହିଁ। ବିଜୁ ବାବୁ ସମସ୍ତଙ୍କ ସହିତ ସଂପର୍କ ରଖିଥିଲେ। କିନ୍ତୁ ନବୀନ ବାବୁଙ୍କର କାହା ସହିତ ସମ୍ପର୍କ ନାହିଁ। ମୁଁ ୟା ଭିତରେ ଦୁଇ ଥର ଅପରେସନ ହୋଇସାରିଲିଣି। କିନ୍ତୁ ଦିନେ ହେଲେ ବି ସେ ଭଲମନ୍ଦ ପଚାରି ନାହାନ୍ତି।
ଖାଲି ବିଜୁ ପଟ୍ଟନାୟକ ନୁହନ୍ତି, ତାଙ୍କ ଭାଇ ଜର୍ଜ ପଟ୍ଟନାୟକ ମଧ୍ୟ କଟକର ଅନେକ ବିକାଶ କରିଛନ୍ତି। ଜର୍ଜ ପଟ୍ଟନାୟକ କଟକରେ ସେ ସମୟରେ ଜଣେ ପ୍ରସିଦ୍ଧ ଦାନ୍ତ ଡାକ୍ତର ଥିଲେ। ସେହିପରି ବିଜୁ ବାବୁଙ୍କ ସାନ ଭାଇ ଶ୍ରୀଜୟାନନ୍ଦ ପଟ୍ଟନାୟକ ଜଣେ ପାଇଲଟ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟର ବିକାଶ କରୁଥିବା ବେଳେ ତାଙ୍କ ବଡ଼ବାପା ପୁଅ ଭାଇଭଉଣୀଙ୍କ କଥା ମଧ୍ୟ ଟିକେ ବିଚାର କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
