ରାଜ୍ୟର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଏବେ ୬୦% ପ୍ରଫେସର ଓ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ୱୀକାର କରିଥିଲେ ରାଜ୍ୟ ସରକାର। ଉଦାହରଣ ସ୍ୱରୂପ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କୁ ମିଶାଇ ୨୪୪ଟି ମଞ୍ଜୁରୀପ୍ରାପ୍ତ ପଦ ଥିବାବେଳେ ଏବେ ମାତ୍ର ୧୨୫ ଜଣରେ କାମ ଚାଲିଛି। ଅର୍ଥାତ୍ ପ୍ରାୟ ଅଧା ପ୍ରାଧ୍ୟାପକ ପଦ ଖାଲିପଡ଼ିଛି। ସ୍ଥାୟୀ ପ୍ରାଧ୍ୟାପକ ପଦ ଖାଲିପଡ଼ିବାରୁ ୟୁଜିସି ଅନୁଦାନରେ ପରିଚାଳିତ ଅନେକ ବିଭାଗରେ ଆଡଭାନ୍ସ ସେଣ୍ଟର ମଧ୍ୟ ବନ୍ଦ ହୋଇଯାଇଛି। ଏହି କେନ୍ଦ୍ରଗୁଡ଼ିକ ପାଇଁ ପ୍ରଫେସର ନଥିବାରୁ ଦୁଇ ବର୍ଷ ହେଲା ରିସର୍ଚ୍ଚ ଫେଲେ ନିଯୁକ୍ତି ମଧ୍ୟ ବନ୍ଦ ହୋଇଯାଇଛି। ପାଠପଢ଼ା ଓ ଗବେଷଣା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଏହି ଅବସରରେ ଦେଢ଼ ବର୍ଷେ ତଳେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଥିବା କୋରାପୁଟର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ପ୍ରାୟତଃ ଭିଜିଟିଂ ଫାକ୍ଲଟିରେ ଚାଲିଛି ବୋଲି କହିଛନ୍ତି ପୂର୍ବତନ ଛାତ୍ର ନିଶାନ ପଟ୍ଟନାୟକ।
ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ରଂଜନ କୁମାର ପ୍ରଧାନ କହିଛନ୍ତି, ଭିଜିଟିଂ ଫାକ୍ଲଟିରେ କ୍ଲାସ ଚାଲିଛି। ସରକାର ସ୍ଥାୟୀ ପଦ ପୂରଣ କଲେ ଅଧିକ ଭଲ ହେବ।
ସେହିଭଳି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରାୟ ଅଧା ସ୍ଥାୟୀ ଅଧ୍ୟାପକ ପଦ ଖାଲିପଡ଼ିଛି। ସୁପ୍ରିମକୋର୍ଟ ଜୁଲାଇ ୯ ତାରିଖରେ ସରକାରଙ୍କ ପକ୍ଷରେ କି ଅଲଗା ରାୟ ଦେଉଛନ୍ତି, ତାକୁ ଦେଖିବାକୁ ପଡ଼ିବ।
୧୯୮୯ ମସିହାରେ ପ୍ରଣୀତ ବିଶ୍ୱବିଦ୍ୟାଳୟ ଆଇନକୁ ୨୦୨୦ରେ ରାଜ୍ୟ ସରକାର ସଂଶୋଧନ କରିଥିଲେ। ମାତ୍ର ଏଥିରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାୟତତ୍ତା କ୍ଷୁଣ୍ଣ ହେବା ସହ ସରକାରୀ ହସ୍ତକ୍ଷେପ ବୃଦ୍ଧି ପାଇଥିଲା। ଏ ପ୍ରକାର ସଂଶୋଧନ ୟୁଜିସି ଗାଇଡ୍ଲାଇନ୍-୨୦୧୮ର ବିରୋଧାଚରଣ କରୁଛି ବୋଲି ଦର୍ଶାଇ ୟୁଜିସି ଓ ଅନ୍ୟମାନେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ନୂଆ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ରହିଥିଲେ ସୁଦ୍ଧା ୧୯୮୯ ମସିହାର ପୁରୁଣା ଆଇନରେ ନିଯୁକ୍ତି ହୋଇପାରିବ। ଦରକାର ପଡ଼ିଲେ ସରକାର ନୂଆ ଆଇନକୁ ରଦ୍ଦ କରିପାରିବେ ବୋଲି କହିଛନ୍ତି ଆଇନଜୀବୀ କମଳାକାନ୍ତ ଦାସ।
ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରାଧ୍ୟାପକ ପଦ ଥିବାବେଳେ ଏଥିରୁ କେବଳ ୭୨୧ ପଦରେ ପ୍ରାଧ୍ୟାପକ ଅଛନ୍ତି। ୧୦୮୦ ପଦ ଖାଲି ପଡ଼ିଛି, ଅର୍ଥାତ୍ ରାଜ୍ୟରେ ୬୦% ପ୍ରାଧ୍ୟାପକ ବା ଶିକ୍ଷକ ପଦ ଖାଲିପଡ଼ିଛି। ସେହିଭଳି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ମୋଟ ୨୬୩୫ ମଂଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବାବେଳେ ଏବେ ମାତ୍ର ୮୭୪ ପଦରେ କାମ ଚାଲିଛି। ଅର୍ଥାତ୍ ୧୭୬୧ ପଦ ବା ୬୬% ଅଣ-ଶିକ୍ଷକ ପଦ ଖାଲିପଡ଼ିଛି।
ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ