Advertisment

ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ

ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।

author-image
Debadatta Aryashrestha
Hannah with her Odia Family

Hannah with her Odia Family

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଯାହା ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ। ଆଉ ନିଜ ସଂସ୍କୃତିକୁ ନେଇ ଆମେ ସର୍ବଦା ଗର୍ବ କରିଥାଉ। ଏବେ ସୋଶାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଜଣେ ଓଡ଼ିଆ ଭାବରେ ଆପଣଙ୍କ ହୃଦୟକୁ ବି ଛୁଇଁବ।

Advertisment

ଏହି ଭିଡିଓ ଜଣେ ଆମେରିକୀୟ ମହିଳାଙ୍କର, ତାଙ୍କ ନାଁ ହେଉଛି ହାନ୍ନା। ଜଣେ ଓଡ଼ିଆ ପୁଅକୁ ବିବାହ କରି ଓଡ଼ିଆ ଘରର ବୋହୂ ହେଲା ପରେ ତାଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିଛି, ସେ ଏହି ଭିଡିଓରେ ବର୍ଣ୍ଣନା କରିଛନ୍ତି। ଯାହାକୁ ସୋଶାଲ ମିଡିଆ ୟୁଜର୍ସମାନେ ବେଶ ପସନ୍ଦ କରୁଛନ୍ତି। ଏହି ଭିଡିଓର ଶୀର୍ଷକରେ ସେ ଲେଖିଛନ୍ତି 'ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରିବା ପରେ କିପରି ମୋ ଜୀବନରେ ପରିବର୍ତ୍ତନ ଆସିଛି।' ହାନ୍ନା ପାଶ୍ଚାତ୍ୟ ସଂସ୍କୃତି ଭୁଲି ଏକ ନୂଆ ସଂସ୍କୃତି ଏବଂ ଓଡ଼ିଆ ପରିବାରକୁ କିପରି ଗ୍ରହଣ କରିଛନ୍ତି, ତାହା ସେ ଏହି ଭିଡିଓରେ ବର୍ଣ୍ଣନା କରିଛନ୍ତି।

Advertisment

ଭିଡିଓରେ ସେ ଲେଖିଛନ୍ତି, ମୁଁ ଗୋଟିଏ ଓଡ଼ିଆ ପରିବାରର ଅଂଶ। ଯେତେବେଳେ ବି ଆମେ ଏକାଠି ରହୁ, ଆମେ ପରସ୍ପର ଭିତରେ ହସ, ଖୁସି ଓ ଭଲ ପାଇବା ବାଣ୍ଟୁ। ସେମାନେ ବହୁତ ସରଳ ଓ ଭଲ ଲୋକ। ସବୁ ବୋହୂ ମାନେ ଏଭଳି ଶାଶୁ, ଶ୍ୱଶୁର ପାଆନ୍ତୁ। ଭିଡିଓର କ୍ୟାପସନରେ ମଧ୍ୟ ହାନ୍ନା ଏପରି ଏକ ସୁନ୍ଦର ପରିବାରର ଅଂଶ ହୋଇଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ ନିଶ୍ଚିତ ଭାବରେ ମୋ ସ୍ୱାମୀଙ୍କୁ ବିବାହ କରିବା ପରେ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ହେଲେ ମୋ ପାଇଁ ତାଙ୍କ ସୁନ୍ଦର ପରିବାରର ଅଂଶ ହେବା ସବୁଠାରୁ ବଡ଼ କଥା। ମୁଁ ଜାଣେ, ସବୁ ବୋହୂମାନେ ମୋ ଭଳି ଏତେ ଭାଗ୍ୟବତୀ ନୁହନ୍ତି। ଆମ ସଂସ୍କୃତି ଓ ପରମ୍ପରା ସଂପୂର୍ଣ୍ଣ ଭିନ୍ନ ହେଲେ ମଧ୍ୟ ମୋ ଶାଶୁ ଶ୍ୱଶୁର ଯେପରି ମୋତେ ନିଃସ୍ୱାର୍ଥପର ଭାବରେ ଭଲ ପାଆନ୍ତି, ହୁଏତ ଅନ୍ୟମାନେ ଅନୁପ୍ରାଣିତ ହେବେ। ହାନ୍ନାଙ୍କ ଭିଡିଓ ସୋଶାଲ ମିଡିଆ ବ୍ୟବହାରକାରୀମାନଙ୍କୁ ବେଶ ପସନ୍ଦ ଆସିଛି। ଅନ୍ୟ ସଂସ୍କୃତିକୁ ଆପଣେଇ ଶାଶୁ ଶ୍ୱଶୁରଙ୍କୁ ଏତେ ନିଜର କରିପାରିଥିବାରୁ ତାଙ୍କୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି।

America Woman Odisha Daughter In Law Hannah Deepak And Hannah