Advertisment

ସରକାର ବନ୍ଦ କରିଥିବା ସ୍କୁଲକୁ ଗାଁ ଲୋକେ ଖୋଲିଲେ, ପାଳିକରି ପଢ଼ାଇଲେ

ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ସୋମବାରଠାରୁ ବିଦ୍ୟାଳୟଟିକୁ ଖୋଲିଛନ୍ତି। ସ୍କୁଲ ଯାଇନପାରି ଗାଁରେ ଏଣେ ତେଣେ ବୁଲୁଥିବା ପିଲାମାନଙ୍କୁ ଡାକି ପାଠ ପଢ଼ା ଯାଉଛି।

ଅଦ୍ୟତନ ହୋଇଛି
Balasore

Balasore

Advertisment

୧୨୧ ବର୍ଷର ପୁରୁଣା ସ୍କୁଲକୁ ବନ୍ଦ କରି ଦେଇଥିଲେ ରାଜ୍ୟ ସରକାର। ଗାଁ ଲୋକ ଯେତେ ନେହୁରା ହେଲେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ସ୍କୁଲ ଖୋଲିଲା ନାହିଁ। ଶେଷରେ ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ବନ୍ଦ ହୋଇଥିବା ସ୍କୁଲକୁ ଖୋଲିଲେ। ଆଉ ଗାଁର ଶିକ୍ଷିତ ଯୁବକ ଓ ଯୁବତୀମାନେ ପାଳି କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଏପରି ଏକ ସ୍କୁଲ ବାଲେଶ୍ୱର ଜିଲ୍ଲାରେ ଚାଲିଛି।

Advertisment

ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତ ବାଉଁଶଖଣା ଗାଁ। ସୁବର୍ଣ୍ଣରେଖା ନଦୀର ଅବବାହିକାରେ ଅବସ୍ଥିତ ଏହି ଗାଁରେ ୧୫୦ଟି ପରିବାର ବାସ କରୁଛନ୍ତି। ଅଧିକାଂଶ ହେଉଛନ୍ତି ମତ୍ସଜୀବୀ ଓ ଦିନମଜୁରିଆ। ସେଥିରୁ ଯାହା ଉପାର୍ଜନ ହୁଏ, ସେଥିରେ ଜଳେ ଚୂଲି ଓ ମେଣ୍ଟେ ପରିବାରର ଗୁଜୁରାଣ। ଏହି ଗାଁ ଉପରେ ବାରମ୍ୱାର ସୁବର୍ଣ୍ଣରେଖାର କୋପ ଦୃଷ୍ଟି ପଡ଼େ। ବନ୍ୟା ପାଣିରେ ଗାଁ ଲୋକଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଭାସିଯାଏ। ସେଥିପ୍ରତି ଗାଁ ଲୋକେ ତିଳେ ମାତ୍ର ଭୃକ୍ଷେପ ନକରି କାହାର ହାତ ଟେକାକୁ ଅପେକ୍ଷା ନକରି ପୁଣି ଥରେ ମାଟିରୁ ଉଠି ସଜାଡ଼ନ୍ତି ନିଜ ପରିବାର।

ଶିକ୍ଷାର ଦୀପ ଜଳାଇବା ପାଇଁ ୧୯୦୨ ମସିହାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ହେଲେ ଗତ ଦୁଇ ବର୍ଷ ହେଲା ଏହି ସ୍କୁଲକୁ ବନ୍ଦ କରିଦିଆଯାଇଛି। କମ୍‌ ପିଲା ଦର୍ଶାଇ ଜିଲ୍ଲା ପ୍ରଶାସନ ସ୍କୁଲକୁ ବନ୍ଦ କରିଦେଇଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି। ଯଥାଶୀଘ୍ର ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୋଲିବା ପାଇଁ ଗାଁ ଲୋକେ ବାରମ୍ବାର ଶିକ୍ଷା ବିଭାଗ ପାଖରେ ଗୁହାରୀ କରିଥିଲେ। ଏଥିସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ହେଲେ କିଛି ସୁଫଳ ମିଳିନାହିଁ।

Advertisment
Balasoreପିଲାମାନେ ବସି ଖାଦ୍ୟ ଖାଉଛନ୍ତି
ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ସୋମବାରଠାରୁ ବିଦ୍ୟାଳୟଟିକୁ ଖୋଲିଛନ୍ତି। ସ୍କୁଲ ଯାଇନପାରି ଗାଁରେ ଏଣେ ତେଣେ ବୁଲୁଥିବା ପିଲାମାନଙ୍କୁ ଡାକି ପାଠ ପଢ଼ା ଯାଉଛି। ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୪୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଗାଁର ବଳରାମ ବେହେରା, କବିତା ଜେନା, ମୌସୁମୀ ମାଝୀ ପ୍ରମୁଖ ବିନା ଦରମାରେ ପିଲାମାନଙ୍କୁ ପାଠ ପଢାଉଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ଗାଁ ଲୋକେ ଘରକୁ ଘର ବୁଲି ଚାଉଳ ଓ ପରିବାର ଆଦାୟ କରୁଛନ୍ତି। ଆଉ ସେଥିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ। ଅନ୍ୟ ସ୍କୁଲ ପରି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି।

ଗାଁର ଧନଞ୍ଜୟ ବଢ଼ାଇ କହିଛନ୍ତି, ଦୁଇ ବର୍ଷ ହେଲା ବାଉଁଶଖଣା ଗାଁକୁ ଆଦର୍ଶ ଗାଁର ମାନ୍ୟତା ମିଳିଛି। ହେଲେ ଦୁର୍ଭାଗ୍ୟ ଏହି ଗାଁରେ ଚାଲିଥିବା ସ୍କୁଲକୁ ବନ୍ଦ କରିଦେଲେ ରାଜ୍ୟ ସରକାର। ଆମ ଗାଁ ସ୍କୁଲକୁ ଦେଢ଼ କିମି ଦୂରରେ ଥିବା ଏକ ସ୍କୁଲରେ ମିଶ୍ରଣ କରିଦେଲେ। ସ୍କୁଲ ମିଶ୍ରଣ ପରେ କିଛି ଦିନ ପିଲାମାନେ ସେଠାକୁ ଯାଇଥିଲେ। ହେଲେ ସବୁ ଦିନ ପରିବାର ଲୋକେ ନିଜ ପିଲାଙ୍କୁ ଏତେ ଦୂରରେ ଥିବା ସ୍କୁଲକୁ ନେବା ସମ୍ଭବପର ହେଉନାହିଁ। ତେଣୁ ଅଧିକାଂଶ ସମୟରେ ପିଲାମାନେ ପାଠ ପଢ଼ା ବନ୍ଦ କରି ଘରେ ବୁଲୁଛନ୍ତି ବୋଲି ଶ୍ରୀ ବଢ଼ାଇ କହିଛନ୍ତି।

Balasoreମାଡ଼ାମ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି

ବିଦ୍ୟାଳୟରେ ପାଠ ପଢ଼ାଉଥିବା ଯୁବକ ବଳରାମ ବେହେରା କହିଛନ୍ତି, ୧୨୧ ବର୍ଷର ପରୁଣା ସ୍କୁଲ। ଏହି ସ୍କୁଲକୁ ସରକାର ବନ୍ଦ କରିଦେଇଥିଲେ। ସ୍କୁଲ ବନ୍ଦ ହେବାରୁ ଗାଁର ପିଲାମାନେ ପାଠ ପଢ଼ା ଏକ ପ୍ରକାର ବନ୍ଦ କରିଦେଥିଲେ। ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେଇଯାଥିଲା। ତେଣୁ ଆମେମାନେ ପିଲାଙ୍କୁ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଲୁ। ଏବେ ପାଠ ପଢ଼ାଉଛୁ ବୋଲି ଶ୍ରୀ ବେହେରା କହିଛନ୍ତି।

ବିଦ୍ୟାଳୟ ବନ୍ଦ ନେଇ ଭୋଗରାଇ ଗୋଷ୍ଠୀ ଶିକ୍ଷା ଧିକାରୀ କମଳ ଲୋଚନ ବିଶ୍ୱାଳ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିଦ୍ୟାଳୟ ଖୋଲିବା ଦିଗରେ ଯଥା ସମ୍ଭବ ଉଦ୍ୟମ କରିବି ଶ୍ରୀ ବିଶ୍ୱାଳ କହିଛନ୍ତି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe