Advertisment

ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ

ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।

Baliguda

Baliguda

Advertisment

ଗାଁକୁ ଯିବା ପାଇଁ ରାସ୍ତା ନାହିଁ। କୂଅ ବା ନଳକୂପ ନାହିଁ। ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲାନି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ। ଯେଉଁଥିପାଇଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଗାଁ ଲୋକେ। ରାସ୍ତା ନଥିବାରୁ ଲୋକମାନେ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ସଦର ମହକୁମାକୁ ଯିବା ପାଇଁ ହେଲେ ଗାଁ ଲୋକଙ୍କୁ ୨୦ କିମି ଜଙ୍ଗଲୀ ରାସ୍ତା ଅତିକ୍ରମ କରିବାକୁ ପଡୁଛି। ନାହିଁ ନାହିଁର ଏପରି ଗାଁ ରହିଛି କନ୍ଧମାଳ ଜିଲ୍ଲାରେ।

Advertisment

ପାହାଡ଼ କୋଳରେ ରହିଛି ଡାଙ୍ଗେସୀ ଗାଁ। ରାଇକିଆ ବ୍ଲକ୍‌ ମାଣିକେଶ୍ୱର ପଞ୍ଚାୟତରେ ଯାଉଥିବା ଏହି ଗାଁରେ ୧୫ଟି ପରିବାର କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ମୂଲମଜୁରୀ ଲାଗି ପରିବାର ଭରଣପୋଷଣ କରୁଛନ୍ତି। ହେଲେ ଦୁଃଖର ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଯିବା ଆସିବା ପାଇଁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଲୋକମାନେ ଆବୁଡା ଖାବୁଡ଼ା ଓ ଉଠାଣୀ ଗଡାଣୀ ଜଙ୍ଗଲ ଭିତରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।

ସ୍ଥାନୀୟ ଲୋକଙ୍କ କହିବା କଥା ପଞ୍ଚାୟତ ସଦର ମୁହକୁମାରୁ ଗାଁକୁ ଦୂରତା ପ୍ରାୟ ୨୦ କିମି ହେବ। ସରକାରଙ୍କ ପିଡିଏସ୍‌ ଚାଉଳ ଆଣିବା ପାଇଁ ଗାଁ ଲୋକଙ୍କୁ ପାଦରେ ଚାଲି ଚାଲି ୫ କିମି ଜଙ୍ଗଲୀ ରାସ୍ତା ଅତିକ୍ରମ କରୁଛନ୍ତି। ତା’ପରେ ସେଠାରୁ ଅଟୋରେ ୧୫ କିମି ଦୂରରେ ଥିବା ପଞ୍ଚାୟତ ସଦର ମହକୁମାକୁ ଯାଉଛନ୍ତି। ଡିଲରଙ୍କଠାରୁ ଚାଉଳ ସଂଗ୍ର କରିବା ପରେ ଅଟୋ ଭଡ଼ା କରନ୍ତି। ଏଥିପାଇଁ ଅଟୋ ଚାଳକଙ୍କୁ ଚାଉଳ କିଲୋ ପିଛା ୨ ଟଙ୍କା ଓ ଯାତ୍ରୀଙ୍କ ପିଛା ୧୫ ଟଙ୍କା ଦେବାକୁ ପଡ଼ୁଛି। ଜଙ୍ଗଲ ପାର୍ଶ୍ୱରେ ଅଟୋ ପହଞ୍ଚିବା ପରେ ଲୋକମାନେ ଚାଉଳ ବସ୍ତା ମୁଣ୍ଡାଇ ୫ କିମି ଜଙ୍ଗଲି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚନ୍ତି। ଇଏ ହେଉଛି ପ୍ରତିଦିନର କଥା।

Advertisment

କେବଳ ରାସ୍ତା ନୁହେଁ, ନାନା ସମସ୍ୟାରେ ଜର୍ଜରୀତ ଏହି ଗାଁ ଲୋକ। ଗାଁରେ ପାନୀୟ ଜଳ ମୁନ୍ଦାଏ ପାଇଁ ନଳକୂପ ବା କୂଅଟିଏ ନାହିଁ। ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲା ନାହିଁ ପାନୀୟ ଜଳ ପ୍ରକଳ୍ପ। ତେଣୁ ଗାଁ ଲୋକଙ୍କୁ ପାହାଡ଼ି ଝରଣା ଉପରେ ନିର୍ଭର କରିବାକୁ ପଡୁଛି। ପାଣି ମୁନ୍ଦାଏ ପାଇଁ ମହିଳାମାନେ ଝରଣାରୁ ଗିନା ତାଟିଆରେ ପାଣି ସଂଗ୍ରହ କରୁଛନ୍ତି। ଏହି ଚିତ୍ର ଭାରି ଦୟନୀୟ।

ଗାଁ ଲୋକେ ଏନେଇ ସରପଞ୍ଚ, ବିଡିଓ ଓ ପୂର୍ବତନ ବିଧାୟକଙ୍କ ପାଖରେ ବହୁବାର ଅଭିଯୋଗ କରିଥିଲେ। ଏପରିକି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ବହୁବାର ଗୁହାରି କରିଛନ୍ତି। ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ହେଲେ ପରବର୍ତ୍ତୀ ସମୟରେ ଅଧିକାରୀଙ୍କ ପ୍ରତିଶ୍ରୁତି ଥଣ୍ଡା ବସ୍ତାକୁ ପଳାଇ ଯାଉଛି। ଲୋକମାନେ ଯେମିତି ଦୟନୀୟ ଭାବେ ଜୀବନ ବିତାଉଥିଲେ, ଆଜି ମଧ୍ୟ ସେମିତି କାଳାତିପାତ କରୁଛନ୍ତି। ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ନଜର ଦେଉନାହାନ୍ତି। ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଗାଁରେ ଅଧିକାରୀଙ୍କ ପାଦ ପଡ଼ିଲା ନାହିଁ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଗାଁର ଯୁବକ କହିଛନ୍ତି, ଆଜି ପର୍ଯ୍ୟନ୍ତ ଗାଁକୁ ଯିବା ପାଇଁ ରାସ୍ତା ହୋଇପାରିଲା ନାହିଁ। ତେଣୁ ଆମେ ବାଧ୍ୟ ହୋଇ ଜଙ୍ଗଲି ରାସ୍ତା ଅତିକ୍ରମ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବାକୁ ଯାଉଛି। ରାସ୍ତା ପାଇଁ ଆମେ ବହୁବାର ଅଭିଯୋଗ କରିଛୁ। ହେଲେ ସରପଞ୍ଚ, ବିଡିଓ ଓ ପୂର୍ବତନ ବିଧାୟକ ଆମ ଦାବି ପୂରଣ କରୁନାହାନ୍ତି। ଚାଉଳ ପାଇଁ ୨୦ କିମି ଦୂରରେ ଥିବା ପଞ୍ଚାୟତ ସଦର ମହକୁମାକୁ ଯିବାକୁ ପଡ଼ୁଛି ବୋଲି ଯୁବକ ଜଣକ କହିଛନ୍ତି।

ଗାଁର ଜଣେ ମହିଳା କହିଛନ୍ତି, ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଆମକୁ ଚାଉଳ ବସ୍ତା ମୁଣ୍ଡାଇ ଜଙ୍ଗଲି ରାସ୍ତାରେ ଯିବାକୁ ପଡ଼ୁଛି। ଏଥିପାଇଁ ବହୁ କଷ୍ଟ ହେଉଛି। ବେଳେ ବେଳେ ଚାଉଳ ବସ୍ତା ମୁଣ୍ଡାଇ ଆସିଲା ବେଳେ ପଡ଼ି ଯାଉଛୁ। ବର୍ଷା ଦିନର ଦୁଃଖ ନକହିବା ଭଲ ବୋଲି ମହିଳା ଜଣକ କହିଛନ୍ତି।

ରିପୋର୍ଟ- କନ୍ଧମାଳରୁ ଅଜିତ କୁମାର ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe