Advertisment

ଶୁଣିଲାନି ପ୍ରଶାସନ, ପାହାଡ଼ ଚିରି ୮ କିମି ରାସ୍ତା ତିଆରି କଲେ ଗ୍ରାମବାସୀ

ଧନ୍ୟ ଆମ ସରକାର। କେତେକ ଗାଁକୁ ରାସ୍ତା ନଥିବା ବେଳେ ଯୋଜନା ଉପରେ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road

Road

ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ! ଶେଷରେ ବଡ଼ ନିଷ୍ପତ୍ତି ନେଲେ ଗାଁ ଲୋକ। ସରକାରଙ୍କ ଉପରେ ଭରସା ହରାଇ ପାହାଡ଼ ଚିରି ନିଜ ଗାଁକୁ ୮କିଲୋମିଟର ରାସ୍ତା ତିଆରି କଲେ। ଏବେ ରାସ୍ତା କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦୁଝର ଜିଲ୍ଲା ହଦଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା। 

Advertisment

ହଦଗଡ଼ ପଞ୍ଚାୟତର ରତ୍ନମରା, ଝୁଣାବାରି, ଦଲକି ଓ ପୀତାନାଉଗାଁରେ ୧୫୦୦ରୁ ଅଧିକ ଲୋକେ ବସବାସ କରନ୍ତି। ଏହି ୪ ଖଣ୍ଡ ଗାଁ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଉପରେ ଅବସ୍ଥାପିତ। ଏହି ଗାଁର ଲୋକମାନଙ୍କୁ ମୁଖ୍ୟ ରାସ୍ତାକୁ ଯିବା ପାଇଁ ରାସ୍ତା ନାହିଁ। ଗ୍ରାମବାସୀ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଚଢ଼ି ୮ କିମି ରାସ୍ତା ପାର କରି ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ଓ ଡାକ୍ତରଖାନାକୁ ଯାଆନ୍ତି। ରାସନ ଚାଉଳ ହେଉ ବା ଅତ୍ୟାବଶ୍ୟକ ସାମଗ୍ରୀକୁ ଗ୍ରାମବାସୀ ମୁଣ୍ଡରେ ମୁଣ୍ଡାଇ ପାହାଡ ଚଢ଼ି ଆଣିଥାନ୍ତି। କାହାର ଦେହ ଖରାପ ହେଲେ ଗ୍ରାମାବାସୀ ଖଟିଆରେ ବୋହି ହଦଗଡ଼ ଆଣିଥାନ୍ତି। ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନେ ନେଇଥାନ୍ତି। ବର୍ଷା ଦିନେ ଯିବା ଆସିବା କରିବା ପାଇଁ ଗ୍ରାମବାସୀଙ୍କୁ କଷ୍ଟକର ହୋଇପଡ଼ିଥାଏ । ଲଗାଣ ବର୍ଷା ଲାଗି ରହିଲେ ଯିବା ଆସିବା ଏକ ପ୍ରକାର ଠପ୍‌ ହୋଇଯାଇଥାଏ।

Roadପାହାଡ଼ ଚିରି ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ

ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସଫଳ ମିଳିନଥିଲା। ଶେଷ ଗ୍ରାମବାସୀ ନିଜ ଗାଁକୁ ରାସ୍ତା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ବର୍ଷେ ହେଲା ପ୍ରତ୍ୟେକ ସୋମବାର ଦିନ ୪ ଖଣ୍ଡର ଗାଁର ଲୋକେ ସବୁ କାମଛାଡ଼ି ରାସ୍ତା ନିର୍ମାଣରେ ଲାଗି ପଡ଼ୁଥିଲେ। ଆଉ ଏବେ ବଡ଼ବଡ଼ ପଥର ଖଣ୍ଡକୁ ହଟାଇ ଜଙ୍ଗଲ ମଧ୍ୟରେ ୮ କିଲୋମିଟର ଲମ୍ବର ରାସ୍ତା ନିର୍ମାଣକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ପାରିଛନ୍ତି। 

Advertisment

ଗୋବର୍ଦ୍ଧନ ନାଇକ କହିଛନ୍ତି, ଆମର ଏହି ସବୁ ଗାଁକୁ ରାସ୍ତା ନଥିଲା। ସରକାରଙ୍କୁ ଯେତେ ଗୁହାରୀ କଲେ ମଧ୍ୟ ଆମ କଥା ଶୁଣିଲେ ନାହିଁ। ଶେଷରେ ଆମେ ଗ୍ରାମବାସୀ ମିଶି ରାସ୍ତା କାମ କରୁଛୁ।

ଦୃଢ ଇଚ୍ଛାଶକ୍ତି ଆଗରେ ହାରମାନିଛି ପ୍ରତିବନ୍ଧକ। ଏହି ଉକ୍ତିଟିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଏହି ୪ ଖଣ୍ଡ ଗାଁର ଲୋକେ।

Keonjhar