Advertisment

ଶୁଣିଲାନି ପ୍ରଶାସନ, ନିଜ ରାସ୍ତା ନିଜେ ତିଆରିକଲେ ଗ୍ରାମବାସୀ

ବାରମ୍ବାର ଅନୁରୋଧ ପରେ ବି ଶୁଣିଲାନି ପ୍ରଶାସନ। ତେଣୁ କୋଡ଼ି କୋଦାଳ ଧରି ଗାଁର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜ ପାଇଁ ରାସ୍ତା ତିଆରି କଲେ।

ଅଦ୍ୟତନ ହୋଇଛି
koraput

koraput

Advertisment

ଗାଁ ଗୁଡ଼ିକୁ ସଂଯୋଗ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ରାସ୍ତା ଯୋଗାଇ ଦେଇ ଆସୁଛନ୍ତି। ହେଲେ କୋରାପୁଟ ଜିଲ୍ଲାରେ ଆଜି ବି ଅନେକ ଗାଁ ରହିଛି ଯେଉଁଠିକୁ ଯିବାକୁ ରାସ୍ତା ନାହିଁ। ଭଲ ରାସ୍ତା ଟିଏ ନ ଥିବା ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅନୁରୋଧ ପରେ ବି ଶୁଣିଲାନି ପ୍ରଶାସନ। ତେଣୁ କୋଡ଼ି କୋଦାଳ ଧରି ଗାଁର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ରାସ୍ତା ତିଆରି କରିବା ପାଇଁ ଆଗେଇ ଆସିଛନ୍ତି।

Advertisment

ଏ ହେଉଛି କୋରାପୁଟ ପୌର ପରିଷଦ ୧୬ ନମ୍ବର ୱାର୍ଡ଼ର ଚିନ୍ଦ୍ରିମାଳି ଗୁଡ଼ା ଗାଁ। ଏହି ଗ୍ରାମଟି କୋରାପୁଟ ସହରଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମରେ ୬୦ରୁ ଅଧିକ ପରିବାର ଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ଲୋକେ ବାସ କରୁଛନ୍ତି। ଗ୍ରାମରେ ବାସ କରୁଥିବା ଅଧିବାସୀମାନେ ସାଧାରଣତଃ ଚାଷ କାର୍ଯ୍ୟ ଓ କୌଳିକ ବୃତ୍ତି ଉପରେ ନିର୍ଭର କରନ୍ତି। ଚାଷ କ୍ଷେତରୁ ଉତ୍ପାଦନ ହେଉଥିବା ଖାଦ୍ୟ ଶସ୍ୟକୁ ବଜାରରେ ବିକ୍ରି କରିବା ପାଇଁ ପ୍ରତିଦିନ କ୍ଷେତ ଭିତର ଦେଇ ଯାତାୟତ କରନ୍ତି।

ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସେଇ ମାଟିକାଦୁଅ ଭରପୂର ବିଲ ଭିତର ଦେଇ ଯିବାଆସିବା କରନ୍ତି। ଗାଁ ପାଖ ଦେଇ କଂକ୍ରିଟ ସଡ଼କ ଯାଇଥିଲେ ବି ଗାଁ ଭିତରକୁ ସଂଯୋଗ ନଥିଲା। କଂକ୍ରିଟ ସଡ଼କ ସହିତ ଗାଁକୁ ଯୋଡ଼ିବା ପାଇଁ ମାତ୍ର ୫୦୦ ମିଟରର ରାସ୍ତା ନିର୍ମାଣ ଦରକାର ଥିଲା। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଯୋଗୁ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଥିଲା। ଖରା ଦିନରେ ଯାହା ଯେମିତି ଚଳି ଯାଉଥିଲା, ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଦୁଃଖ ଦୁଇ ଗୁଣ ବଢ଼ିଯାଉଥିଲା। 

Advertisment

ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପୌର ପରିଷଦଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ଗ୍ରାମବାସୀମାନେ ନିଜ ରାସ୍ତା ନିଜେ ନିର୍ମାଣ କରିବା ପାଇଁ ଆଗେଇ ଆସିଲେ। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ହାତରେ କୋଡ଼ି କୋଦାଳ ଧରି ନିଜ ଜମି ଉପରେ ରାସ୍ତା ନିର୍ମାଣ କଲେ। ଗ୍ରାମବାସୀଙ୍କ ଜମି ଉପରେ ନିର୍ମାଣ ହେଲା ୫୦୦ ମିଟରର ଅସ୍ଥାୟୀ ରାସ୍ତା। 

ଏବେ ସେହି ଜମି ଉପରେ ସ୍ଥାୟୀ ସଡ଼କ ନିର୍ମାଣ କରିବାକୁ ଦାବି କରୁଛନ୍ତି ଗ୍ରାମବାସୀ। ଯେଉଁ ଜମି ଉପରେ ଗାଁ ଲୋକେ ଅସ୍ଥାୟୀ ସଡ଼କ ନିର୍ମାଣ କରିଛନ୍ତି ସେଇ ଜମି ଛାଡ଼ିବା ପାଇଁ ଜମି ମାଲିକମାନେ ରାଜି ଅଛନ୍ତି। କିନ୍ତୁ ଏନେଇ ପ୍ରଶାସନ ସେମାନଙ୍କ ସହ ଆଲୋଚନା କରୁ ନାହାନ୍ତି। 

ଖାଲି ନିର୍ବାଚନ ଆସିଲେ ରାଜନେତା ଗାଁକୁ ଆସି ଭୋଟ ମାଗୁଛନ୍ତି। ବିଭିନ୍ନ ମିଛ ପ୍ରତିଶୃତି ଦେଇ ଭୋଟ ନେଉଛନ୍ତି। ଆଉ ନିର୍ବାଚନରେ ଜିତିଗଲା ପରେ ନେତାଙ୍କର ଦେଖା ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ପୌର ପରିଷଦ ଅଧକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି ଯେ ଏହାର ସମାଧାନ ପାଇଁ ଜମି ମାଲିକଙ୍କ ସହିତ କଥା ହୋଇ ଖୁବ ଶୀଘ୍ର ରାସ୍ତା ନିର୍ମାଣ କରାଯିବ। 

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା

Begging For Village Road Road Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe