Advertisment

ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ

୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

ଅଦ୍ୟତନ ହୋଇଛି
Water

Water

Advertisment

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ କହ୍ନେଇପୁର ପଞ୍ଚାୟତରେ ଅଛି ଚିନ୍ତାମଣିପୁର ଗାଁ। ଏହି ଗାଁରେ ବସବାସ କରନ୍ତି ପ୍ରାୟ ୪୦ଟି ପରିବାର। ଗାଁଟି କଟକ ଜିଲ୍ଲାରେ ଥିଲେ ହେଁ ଏହା ଏକ ଉପାନ୍ତ ଅଞ୍ଚଳ ଭଳି ଦେଖାଯାଏ। କାରଣ ଗାଁକୁ ରାସ୍ତା, ପାନୀୟ ଜଳ ଭଳି ବ୍ୟବସ୍ଥା ନାହିଁ। ଗାଁ ଲୋକେ ସରକାରୀ ଯୋଜନାରୁ ପକ୍କା ଘର ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ମୋଟାମୋଟି କହିବାକୁ ଗଲେ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଯାଇଛି।

Advertisment

ଚିନ୍ତାମଣିପୁର ଗାଁରେ ଗୋଟିଏ ନଳକୂପ ଅଛି। କିନ୍ତୁ ସେଥିରୁ ବାହାରୁଥିବା ପାଣି ଭଲ ନୁହେଁ। ତେଣୁ ଲୋକେ ସେହି ପାଣିକୁ ପିଇ ପାରୁ ନାହାନ୍ତି କି ସେଥିରେ ଖାଦ୍ୟ ପ୍ରସ୍ତୁତ କରିପାରୁ ନାହାନ୍ତି। କେବଳ ବାସନ ଓ ଲୁଗାପଟା ସଫା କରିବା ପାଇଁ ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ।

Wellକୂଅରୁ ପାଣି ନେଉଛନ୍ତି ଗାଁ ମହିଳା

ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ କୂଅରୁ ଲୋକେ ପାଣି ଆଣି ଖାଇବାପିଇବା ପାଇଁ ବ୍ୟବହାର କରନ୍ତି। କୂଅଟିର ପାଣି ମଧ୍ୟ ଭଲ ନୁହେଁ। ଜମିମାଳ ମଧ୍ୟରେ ଥିବା ଏହି କୂଅ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାରେ ରହିଛି। କିନ୍ତୁ ପାନୀୟ ଜଳର ଅନ୍ୟ କୌଣସି ଉତ୍ସ ନଥିବାରୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାଁର ମହିଳାମାନେ ଗରା ନେଇ ଏହି କୂଅରୁ ପାଣି ଆଣନ୍ତି। ଏହି କୂଅର ପାଣି ଦୂଷିତ ହୋଇଥିବାରୁ ଚର୍ମ ରୋଗ ମଧ୍ୟ ହୋଇଥାଏ ବୋଲି ଲୋକେ କହିଛନ୍ତି। ପାନୀୟ ଜଳ କଷ୍ଟ ଦୂର କରିବାକୁ ଗ୍ରାମବାସୀ ପଞ୍ଚାୟତରୁ ଧରି ବ୍ଳକ୍ ଅଫିସ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏଁ ସେମାନଙ୍କୁ କୌଣସି ସୁଫଳ ମିଳି ନାହିଁ।

Advertisment

ଗାଁର ନିରୁ ସାମଲ କହିଛନ୍ତି, ଆମ ଗାଁରେ କ’ଣ ଅଛି କି? ଆମେ ସବୁ ଭଙ୍ଗା କୁଡ଼ିଆରେ ପଡ଼ିଛୁ। କ’ଣ ଅଛି ଆମର? କିଛି ତ ନାହିଁ। ଦୂରରୁ ପାଣି ଆଣି ଖାଉଛୁ। ଗାଁରେ କୂଅ ନାହିଁ କି ପୋଖରୀ ନାହିଁ। ଯେଉଁ ନଳକୂଅଟି ଅଛି, ସେଥିରୁ ଭଲ ପାଣି ବାହାରୁ ନାହିଁ। ନଳକୂଅ ପାଣିକୁ ବାସନ ଓ ଲଗାପଟା ସଫା ଭଳି କାର୍ଯ୍ୟରେ ବ୍ୟବହାର କରୁଛୁ। ନିର୍ବାଚନ ବେଳେ ନେତାମାନେ ଆମକୁ ପ୍ରତିଶ୍ରୁତି ଦେଇ ଭୋଟ୍ ନେଉଛନ୍ତି। କିନ୍ତୁ ନିର୍ବାଚନ ଶେଷ ହେବା ପରେ ଆମ ପାଇଁ କିଛି କରୁନାହାନ୍ତି। 

ଏହି ଗାଁରେ ରହୁଥିବା ଲୋକମାନଙ୍କର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି, ସେମାନଙ୍କ ପାଖରେ ଜମି ପଟ୍ଟା ନାହିଁ। ଏହାକୁ ଗାଁର ମୂଳ ସମସ୍ୟା କୁହାଯାଇପାରେ। ଜମିପଟ୍ଟା ନଥିବାରୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଆବାସ ଯୋଜନାରେ ସେମାନେ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଲୋକେ ଭଙ୍ଗା, ଦଦରା ଚାଳଛପର ଘରେ ରହୁଛନ୍ତି। ଅନେକ ଘରର ଚାଳଛପର ନଷ୍ଟ ହୋଇଗଲାଣି। ତେଣୁ ଲୋକେ ଚାଳଛପର ଘର ଉପରେ ଜରି ପାଲ ପକାଇଛନ୍ତି। ସେହିପରି ଗାଁକୁ ରାସ୍ତା ନାହିଁ। ସେଥିପାଇଁ ଗ୍ରାମବାସୀ ଭାରି ହଇରାଣ ହେଉଛନ୍ତି।

Houseପକ୍କା ଘର ସ୍ବପ୍ନ ହୋଇଯାଇଛି

ଗାଁର ଲତା ପ୍ରଧାନ କହିଛନ୍ତି, ଆମ ଗାଁରେ ଅନେକ ସମସ୍ୟା ରହିଛି। ପାଣି ପାଇଁ ଆମେ ଭାରି କଷ୍ଟ କରୁଛୁ। ଗାଁରେ ରାସ୍ତା ନାହିଁ। ଏବେ ବି ଆମେ ଚାଳ ଘରେ ରହୁଛୁ। ଆମକୁ ପକ୍କା ଘର ମିଳିନାହିଁ। ବନ୍ୟା, ବାତ୍ୟା ହେଲେ ଆମେ କ’ଣ କରିବୁ? ନିର୍ବାଚନ ବେଳେ ନେତାମାନେ ଆସି ଏ କାମ କରିଦେବେ ସେ କାମ କରିଦେବେ ବୋଲି କହୁଛନ୍ତି। ନିର୍ବାଚନ ସରିଗଲେ ସେମାନେ ନିଜ ନିଜ ବାଟରେ ଚାଲି ଯାଉଛନ୍ତି।

ସେହିପରି କ୍ଷୀରୋଦ ବେହେରା କହିଛନ୍ତି, ନଳକୂଅ ପାଣି ପିଇବା ଉପଯୋଗୀ ନୁହେଁ। ସେଥିରୁ ବାହାରୁଥିବା ପାଣି ଲୁହାଳିଆ ଲାଗୁଛି। ଦୂରରୁ କୂଅରୁ ପାଣି ଆଣୁଛନ୍ତି ଗାଁ ଲୋକେ। ରାସ୍ତାଟିଏ ନାହିଁ। ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିନାହିଁ।

ଏତିକିରେ ଶେଷ ହୋଇନି ଚିନ୍ତାମଣିପୁର ଗ୍ରାମବାସୀଙ୍କ ସମସ୍ୟା। ରୋଜଗାରର ମାଧ୍ୟମ ନଥିବାରୁ ଗାଁର କିଛି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଛନ୍ତି ଅଭିଷେକ ମଲ୍ଲିକ। ସେହିପରି ହାତୀ ଆତଙ୍କରେ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ କହିଛନ୍ତି ଯେ ଟାଙ୍ଗୀ ବ୍ଲକରେ ଚିନ୍ତାମଣିପୁର ସମେତ ୪/୫ଟି ଆଦିବାସୀ ଗାଁ ଅଛି, ଯେଉଁଠାରେ ଜମି ପଟ୍ଟା ସମସ୍ୟା ଦୂର ହୋଇଗଲେ ଗ୍ରାମବାସୀଙ୍କୁ ସମସ୍ତ ସରକାରୀ ଯୋଜନା ମିଳିପାରିବ। ସେଥିପାଇଁ ଆବଶ୍ୟକ କାଗଜପତ୍ର ନେଇ ତହସିଲଦାରଙ୍କ ନିକଟରେ ଜମା କରିବାକୁ ଲୋକଙ୍କୁ କୁହାଯାଇଛି।

୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ। ଏବେ ରାଜ୍ୟରେ ବିଜେପି କ୍ଷମତାସୀନ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଚିନ୍ତାମଣିପୁର ଗ୍ରାମବାସୀଙ୍କ ଚିନ୍ତା ଦୂର କରିବେ ବୋଲି ଆଶା।

ଆଠଗଡ଼ରୁ ପ୍ରକାଶ କୁମାର ନାୟକଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe