Advertisment

ଶୁଣିଲାନି ପ୍ରଶାସନ, ଲୋକେ ତିଆରି କଲେ ବାଉଁଶ ପୋଲ

ଦୀର୍ଘ ୮/୧୦ ବର୍ଷ ହେବ ପୋଲଟି ଭାଙ୍ଗି ଯାଇଛି। କିନ୍ତୁ ଆଉ ନୂଆ ପୋଲ ତିଆରି ହେଉ ନାହିଁ।

ଅଦ୍ୟତନ ହୋଇଛି
Bambo Bridge

Bambo Bridge

Advertisment

ଅଭିଯୋଗ କରି କରି ଥକି ଗଲେ। କିନ୍ତୁ ଶୁଣିଲାନି ପ୍ରଶାସନ। ଫଳରେ ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ। ସରକାରୀ ଅବହେଳାର ଏମିତି ଏକ ନମୂନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକର ମୁଣ୍ଡାକଟା ଗାଁରେ।

Advertisment

ଏହି ଗାଁରେ ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟ ଦିନ ମଜୁରିଆ। ଏହି ଗାଁରୁ ଖଇରବଣି, ପୁରୁଣାପାଣି, କୋରକୋଚିଆ ଓ ବୈଦପୁରକୁ ସଂଯୋଗ କରୁଥିଲା ଏକ ପୋଲ। ଦୀର୍ଘ ୮/୧୦ ବର୍ଷ ହେବ ପୋଲଟି ଭାଙ୍ଗି ଯାଇଛି। ତେଣୁ ଏହି ରାସ୍ତାରେ ଯା’ଆସ କରିବାରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ ସମସ୍ୟା ହେଉଛି। ଗାଁକୁ ଆମ୍ବୁଲାନ୍ସ ବା କୌଣସି ଗାଡ଼ିମୋଟର ଆସିପାରୁନି।

ପୋଲଟିଏ ନିର୍ମାଣ କରିବା ପାଇଁ ମୁଣ୍ଡାକଟା ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର କହିଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ତିଆରି କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ।

Advertisment

ଗ୍ରାମବାସୀ ଏକାଠି ହୋଇ ଚାନ୍ଦା ଆଦାୟ କରିଥିଲେ। ପରେ କାଠ ଗଣ୍ଡି ଓ ବାଉଁଶ ଆଦି ଆଣି ପୋଲ କାମ ଆରମ୍ଭ କରିଥିଲେ। ପୋଲ ତିଆରି କରିବା ପାଇଁ ସେମାନଙ୍କୁ ୭ ଦିନ ଲାଗିଥିଲା।

ମୁଣ୍ଡାକଟାର ବାସିନ୍ଦା ତପନ ମହାନ୍ତ କହିଛନ୍ତି, ଏଇ ରାସ୍ତା ଦେଇ ଆମେ ସବୁ ଦିନେ ଯା’ଆସ କରୁ। ଗାଁର ଛାତ୍ରଛାତ୍ରୀମାନେ ଏହି ବାଟ ଦେଇ ପୁରୁଣାପାଣିରେ ଥିବା ସ୍କୁଲକୁ ଯାଆନ୍ତି। କିନ୍ତୁ ପୋଲଟି ଭୁଶୁଡ଼ି ପଡ଼ିବା ପରେ ନୂଆ ପୋଲ କରିଗଲା ନାହିଁ। ଯେତେ ଦାବି କଲେ ମଧ୍ୟ କେହି କିଛି ଶୁଣିଲେନି। ତେଣୁ ବାଧ୍ୟ ହୋଇ ଗାଁ ଲୋକ ଏକାଠି ହୋଇ ବାଉଁଶ ପୋଲ ତିଆରି କରିଛୁ।

ପୁରୁଣା ପୋଲ ଭୁଶୁଡ଼ି ପଡ଼ିବା ପରେ ଏହି ବାଟରେ ଲୋକେ ପାଣି, କାଦୁଆରେ ପଶି ଯା’ଆସ କରିବାକୁ ବାଧ୍ୟ ହେଉଥିଲେ। ଏବେ ଅସ୍ଥାୟୀ ପୋଲ ହୋଇଥିବାରୁ ଲୋକେ ଅପେକ୍ଷାକୃତ ଭଲରେ ଯିବାଆସିବା କରିପାରୁଛନ୍ତି। ତେବେ ଆଗକୁ ସ୍ଥାୟୀ ପୋଲ ନିର୍ମାଣ ନେଇ ସରକାର ପଦକ୍ଷେପ ନନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ଗାଁର ଜଗନ୍ନାଥ ମହାନ୍ତ।

ମୁଣ୍ଡାକଟା ଗାଁଟି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଛି। ରାଜ୍ୟ ସରକାର ଗାଁକୁ ଭଲ ରାସ୍ତା, ବିଜୁ ସେତୁ ଯୋଜନା ଆଦିର ଡିଣ୍ଡିମ ପିଟୁଥିବା ବେଳେ ମୁଣ୍ଡାକଟା ଗାଁ ଉପରେ ଏତେ ବର୍ଷ ହୋଇଗଲାଣି କାହିଁକି ନଜର ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ସରକାର ଓ ପ୍ରଶାସନ ଏବେ ସଜାଗ ହେବେ ନା ସେମିତି ହାତ ବାନ୍ଧି ବସି ରହିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ବାରିପଦାରୁ ମାନିକ ଲାଲ ପାଣିଙ୍କ ରିପୋର୍ଟ

Begging For Village Road Bamboo Bridge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe