ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ

ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

ପଥର ସନ୍ଧିରେ ଲାଗିଥିବା ପାଇପରୁ ପାଣି ସଂଗ୍ରହ କରୁଛନ୍ତି ଦୁଇ ମହିଳା

  • Published: Thursday, 10 April 2025
  • , Updated: 10 April 2025, 04:51 PM IST

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ୍‌ ସାନବାର୍ଲି ପଞ୍ଚାୟତରେ ଅଛି ବଡ଼ବାର୍ଲି ଗାଁ। ଏହି ଗାଁ ୧୦୦ ବର୍ଷରୁ ଅଧିକ ପୁରୁଣା। କିନ୍ତୁ ୧୦୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁର ପ୍ରମୁଖ ସମସ୍ୟା ଦୂର ହୋଇପାରି ନାହିଁ। ଗାଁର ପ୍ରମୁଖ ସମସ୍ୟା ହେଉଛି ପାଣି। ପାଣି ପାଇଁ ଏହି ଗାଁର ଲୋକେ ହନ୍ତସନ୍ତ ହେବା ସହିତ ହଟହଟା ମଧ୍ୟ ହେଉଛନ୍ତି। କାରଣ ଏହି ଗାଁରେ ଅନ୍ୟ କୌଣସି ଗାଁର ଲୋକେ ସେମାନଙ୍କ ଝିଅଙ୍କୁ ବାହା କରିବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ବଡ଼ବାର୍ଲି ଗାଁରେ ଏବେ ପ୍ରାୟ ୮୦ ଜଣ ବିବାହଯୋଗ୍ୟ ଯୁବକଙ୍କ ବାହାଘର ହୋଇପାରୁନାହିଁ।

କେଉଁଠାରୁ ଆଣୁଛନ୍ତି ପାଣି

ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ। ଏମିତି ନୁହେଁ ଯେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ଗାଁରେ ୭ଟି ନଳକୂପ ବସାଯାଇଥିଲା। ସେଥିରୁ ୩ଟି ସଂପୂର୍ଣ୍ଣ ଅଚଳ ହୋଇସାରିଛି। ବାକି ୪ଟି ନଳକୂପରୁ ଗୋଟିଏରୁ ପାଣି ବାହାରୁଛି। କିନ୍ତୁ ବହୁତ ଅଳ୍ପ ପାଣି ବାହାରୁଛି। ବାଲ୍‌ଟି ପୂରିବାକୁ ବହୁ ସମୟ ଲାଗୁଛି। ତେଣୁ ତାହା ଆଉ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି କହିଲେ ଭୁଲ ହେବ ନାହିଁ। ସେହିପରି ବାକି ୩ଟି ନଳକୂଅ ଆଉ ପାଣି ବାହାରୁ ନାହିଁ।

କେବଳ ଏହି ସ୍ଥାନରେ ଅଛି ଜଳ

ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହାରା ସାଜିଛି ଗାଁ ନିକଟରେ ଥିବା ଏକ ଝରଣା। ଝରଣାଟି ଗାଁଠାରୁ ୧ କିଲୋମିଟର ଦୂରରେ ରହିଛି। ସେଠାରେ ପଥର ସନ୍ଧିରେ ୨ଟି ମୋଟା ପାଇପ ଲଗାଇ ଦିଆଯାଇଛି। ସେହି ପାଇପରୁ ଲୋକେ ପାଣି ସଂଗ୍ରହ କରୁଛନ୍ତି। କେବଳ ପାଣି ସଂଗ୍ରହ କରୁ ନାହାନ୍ତି, ଗାଧୋଇବା, ଲୁଗା ସଫା କରିବା ତଥା ବାସନକୁସନ ସଫା ଆଦି କାର୍ଯ୍ୟ ବି ସେଠାରେ ହୋଇଥାଏ। ତେଣୁ ସକାଳ ହେଲାମାତ୍ରେ ସେଠାରେ ଭିଡ଼ ଜମେ। ଝରରୁ ପାଣି ସଂଗ୍ରହ କରିବା ପାଇଁ ପାହାଡ଼ରେ ପ୍ରାୟ ୩୦ ଫୁଟ ତଳକୁ ଓହ୍ଲାଇବାକୁ ପଡ଼େ। ଅବଶ୍ୟ ଆଉ କିଛି କରୁ ନ କରୁ ପ୍ରଶାସନ ଏଠାରେ ଲୋକେ ଯେପରି ଝର ପାଖରେ ସୁବିଧାରେ ପହଞ୍ଚିପାରିବେ, ସେଥିପାଇଁ ପାହାଚ ବ୍ୟବସ୍ଥା କରି ଦେଇଛି।

କାହିଁକି ଅଚଳ ହୋଇଯାଉଛି ନଳକୂପ

ନବରଙ୍ଗପୁରର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ (ଆରଡବ୍ଲ୍ୟୁଏସଏସ)ର ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ କୁମାର ରାଉତ କହିଛନ୍ତି, ବଡ଼ବାର୍ଲି ଗାଁଟି ରେଡ୍ ଜୋନ୍‌ରେ ଯାଉଛି। ଏଠାରେ ଭୂତଳ ଜଳସ୍ତରର ସମସ୍ୟା ରହିଛି। ପୂର୍ବରୁ ଏହି ଗାଁରେ ୭ଟି ନଳକୂପ ଥିଲା। ସେଥିରୁ ୩ଟି ସଂପୂର୍ଣ୍ଣ ଅଚଳ ହୋଇସାରିଛି। ଏବେ ସେଠାରେ ୪ଟି ନଳକୂପ ରହିଛି। ସେଥିରୁ ଗୋଟିଏ ସ୍କୁଲ ପରିସରରେ ଅଛି। ଏହି ୪ଟି ନଳକୂପରୁ ୩ଟିର ଜଳସ୍ତର ବହୁତ କମି ଯାଇଛି। ଗୋଟିଏ ମାତ୍ର ଚାଲୁଛି। ଯେହେତୁ ଗାଁରେ ଜଳ ପାଇଁ ବହୁତ ଅସୁବିଧା ସୃଷ୍ଟି ହେଲାଣି, ତେଣୁ ଆମେ ଟ୍ୟାଙ୍କରରେ ଜଳ ଯୋଗାଣ କରିବାକୁ ପଦକ୍ଷେପ ନେବୁ।

ବଡ଼ବାର୍ଲି ଗାଁ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୁଇ ବର୍ଷ ତଳୁ ଏହାର କାମ ଚାଲିଛି। ପାଣି ଟାଙ୍କି ନିର୍ମାଣ କାମ ଶେଷ ହୋଇଥିବା ବେଳେ ଗାଁର ବିଭିନ୍ନ ସ୍ଥାନରେ ଜଳ ସଂଗ୍ରହ ପାଇଁ ପାଇପ ବିଛା ଯାଇ ଟ୍ୟାପ ସଂଯୋଗ କରାଯାଇଛି। କିନ୍ତୁ ପ୍ରକଳ୍ପ କାମ ଶେଷ ହେବାରେ ବିଳମ୍ବ ହେଉଛି।

ମେଗା ପାନୀୟ ଜଳ ପ୍ରକଳ୍ପରେ ନିର୍ମିତ ପାଣି ଟାଙ୍କି

ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି, ମେଗା ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଯୋଗୁ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ। ନିର୍ମାଣକାରୀ ସଂସ୍ଥା ଉପରେ ପେନାଲ୍ଟି ବସାଯାଇଛି। ଏବେ କାମ ଜୋରସୋରରେ ଚାଲିଛି। ଜୁନ୍ ସୁଦ୍ଧା କାମ ଶେଷ କରି ଆମେ ସେଥରୁ ଜଳ ଯୋଗାଣ କରିବାକୁ ବ୍ୟବସ୍ଥା କରିବୁ।

ପାଣି ନଥିବାରୁ ବାହା ହୋଇପାରୁନାହାନ୍ତି ୮୦ ଯୁବକ

ବଡ଼ବାର୍ଲି ଗାଁର ଜଳ ସମସ୍ୟା ସଂପର୍କରେ ଏହା ଆଖପାଖ ସମସ୍ତ ଗାଁର ଲୋକେ ଜାଣିଛନ୍ତି। ତେଣୁ ସେହି ଗାଁଗୁଡ଼ିକର କୌଣସି ଲୋକ ତାଙ୍କ ଝିଅକୁ ଏହି ଗାଁରେ ବାହା ଦେବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ବଡ଼ବାର୍ଲି ଗାଁର ପ୍ରାୟ ୮୦ରୁ ୧୦୦ ଯୁବକଙ୍କର ବିବାହ ବୟସ ହୋଇଯାଇଥିଲେ ବି ସେମାନେ ବାହା ହୋଇପାରୁ ନାହାନ୍ତି। ଫଳରେ ଏବେ ବଡ଼ବାର୍ଲି ଗାଁର କେହି କେହି ଯୁବକ ସେହି ଗାଁର ଝିଅଙ୍କୁ ବିବାହ କରୁଥିବା ଦେଖିବାକୁ ମିଳୁଛି।

ଗ୍ରାମର ରବୀନ୍ଦ୍ର ନାଗ କହିଛନ୍ତି, ଆମେ ଝିଅ ଦେଖିବାକୁ ଗଲେ ତାଙ୍କ ପରିବାର ଲୋକେ ଆମ ଘର ଦେଖିବାକୁ ଆସୁଛନ୍ତି। ଗାଁକୁ ଆସିବା ପରେ ସେମାନେ ଜଳ ସମସ୍ୟା ବିଷୟରେ ଜାଣୁଛନ୍ତି। ସେମାନଙ୍କ ଝିଅ ସବୁ ଦିନେ ଗୋଟିଏ କିଲୋମିଟର ଚାଲି ପାଣି ଆଣିପାରିବ ନାହିଁ କହି, ସେମାନେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଉଛନ୍ତି।

ପାଣି ସମସ୍ୟା ଯୋଗୁ ସ୍ୱାମୀ ଓ ପୁଅକୁ ଛାଡ଼ି ପଳାଇଲେ ମହିଳା

ପାଣି ସମସ୍ୟା ଯୋଗୁ ବଡ଼ବାର୍ଲି ଗାଁର ଯୁବକମାନଙ୍କ ବିବାହର ସମସ୍ୟା ଉପୁଜୁଥିବା ବେଳେ ବାହାଘର ପରେ ମଧ୍ୟ ସମସ୍ୟା ଦେଖାଯାଉଛି। ସ୍ତ୍ରୀ ଗାଁରେ ରହିବାକୁ ପସନ୍ଦ କରୁନି। ଏମିତି ଜଣେ ମହିଳା ତାଙ୍କ ସ୍ୱାମୀ ଓ ପୁଅକୁ ଛାଡ଼ି ବାପ ଘରକୁ ପଳାଇବାର ନଜିର ରହିଛି।

ପାଣି ପାଇଁ କରିବାକୁ ପଡ଼େ କଷ୍ଟ

ଉଦାହରଣ ଭାବେ ଆମେ ଗାଁର ରାଏସିଙ୍ଗ ନାୟକଙ୍କୁ ନେଇ ପାରିବା। ପାଣି ସମସ୍ୟା ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ସେ ୨୦୧୪ରେ ବିବାହ କରିଥିଲେ। ହେଲେ ପାଣି ସମସ୍ୟା ଯୋଗୁ ସେ ବଡବାର୍ଲି ଗାଁରେ ୨ ବର୍ଷ ବି ରହିପାରିଲେ ନାହିଁ। ଏତେ ବାଟରୁ ସବୁ ଦିନେ ପାଣି ଆଣି ପାରିବେ ନାହିଁ ବୋଲି କହି ସ୍ୱାମୀ ଓ ୬ ମାସର ପୁଅକୁ ଛାଡ଼ି ପଳାଇଥିଲେ।

ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଗ୍ରାମବାସୀ

ସମୀର ହରିଜନ କହିଛନ୍ତି, ବଡ଼ବାର୍ଲି ଗାଁରେ ପାଣି ସମସ୍ୟା ବଡ଼ ଉତ୍କଟ। ଆମେ ଝରଣ ପାଣି ଉପରେ ନିର୍ଭର କରୁଛୁ। ତେଣୁ ଲୋକେ ରୋଗରେ ମଧ୍ୟ ପଡ଼ୁଛନ୍ତି। ଅନ୍ୟ ଗାଁର ଲୋକେ ଆମ ଗାଁରେ ଝିଅ ଦେବାକୁ ରାଜି ହେଉ ନାହାନ୍ତି। ପାଣି ସମସ୍ୟାରୁ ମୁକୁଳିବା ପାଇଁ ପଦକ୍ଷେପ ନେବାକୁ ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ। ପ୍ରଶାସନ ଏହାକୁ ଗୁରୁତ୍ୱ ନ ଦେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ଓ ଆନ୍ଦୋଳନ କରିବୁ।

(ରିପୋର୍ଟ: ନବରଙ୍ଗପୁରରୁ ନବଘନ ବିଷୋୟୀ)

Related story