Advertisment

ବାରବାଟୀ ଷ୍ଟାଡିୟମର କାପାସିଟି କେତେ? ଟିକେଟ୍‌ ବିକ୍ରିବଣ୍ଟା ହୁଏ କେତେ?

ବାରବାଟୀ ଷ୍ଟାଡିୟମରେ କେତେ ଲୋକ ବସିପାରିବେ? ଟିକେଟ ବିକ୍ରିବଣ୍ଟା ହେଉଛି କେତେ? ବାକି ଜାଗା କ’ଣ ଖାଲି ପଡ଼ୁଛି? ଗ୍ୟାଲେରୀର ଚିହ୍ନିତ ସିମେଣ୍ଟ ଆସନରେ ଜଣେ ବସିବେ ବୋଲି ଘୋଷଣା ଥିଲେ ମଧ୍ୟ ସେଠି ତିନି ଜଣ ବସନ୍ତି ନା ନାହିଁ? ସେହି ଅନ୍ୟ ଦୁଇୟ ଜଣଙ୍କର ଟିକେଟ କେଉଁଠି ବିକ୍ରି ହୋଇଥାଏ?

Barabati Cricket Stadium

Barabati Cricket Stadium

Advertisment

ଦେବେନ୍ଦ୍ର ପୃଷ୍ଟି

ବାରବାଟୀ ଷ୍ଟାଡିୟମରେ କେତେ ଲୋକ ବସିପାରିବେ? ଟିକେଟ ବିକ୍ରିବଣ୍ଟା ହେଉଛି କେତେ? ବାକି ଜାଗା କ’ଣ ଖାଲି ପଡ଼ୁଛି? ଗ୍ୟାଲେରୀର ଚିହ୍ନିତ ସିମେଣ୍ଟ ଆସନରେ ଜଣେ ବସିବେ ବୋଲି ଘୋଷଣା ଥିଲେ ମଧ୍ୟ ସେଠି ତିନି ଜଣ ବସନ୍ତି ନା ନାହିଁ? ସେହି ଅନ୍ୟ ଦୁଇୟ ଜଣଙ୍କର ଟିକେଟ କେଉଁଠି ବିକ୍ରି ହୋଇଥାଏ? କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌। ଏହି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ତରଫରୁ ଟିକେଟ୍‌ ବିକ୍ରି ଓ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ତା’ ସହିତ କଟକ ଓ ଭୁବେନଶ୍ୱରର ପବନରେ ଉଡ଼ି ବୁଲୁଛି ଏଭଳି ଅନେକ ପ୍ରଶ୍ନ।

Advertisment

ତଥ୍ୟାଭିଜ୍ଞ ମହଲର ସୂଚନା ଅନୁସାରେ ବାରବାଟୀ ଷ୍ଟାଡିୟମରେ ପ୍ରାୟ ୬୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ଅଛି। ଗ୍ୟାଲେରୀର ସିମେଣ୍ଟ ପାହାଚରେ ଜଣଙ୍କ ପାଇଁ ଚିହ୍ନିତ ଜାଗାରେ ଦୁଇରୁ ଅଧିକ ଲୋକ ବସିପାରିବେ। ଦର୍ଶକଙ୍କୁ ଆରାମ ଦେବା ପାଇଁ ଏପରି ହୋଇଥାଏ ବୋଲି କୁହାଯାଇଥାଏ। ମାତ୍ର, ସେ ସ୍ଥାନ ନାନାଦି କୌଶଳରେ ବିକ୍ରି ହୋଇଥାଏ ବୋଲି ମଧ୍ୟ ଅଭିଯୋଗ ହୁଏ। ଏହା ଉପରେ କୌଣସି କର୍ତ୍ତୃପକ୍ଷ ସରଜମିନ ତଦନ୍ତ କରି ନାହାନ୍ତି କି ଷ୍ଟାଡିୟମରେ ପ୍ରକୃତରେ କେତ ଲୋକଙ୍କ ବସିବା ପାଇଁ ସ୍ଥାନ ଅଛି ସେ ନେଇ ପୁଲିସ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣପତ୍ର ମିଳି ନାହିଁ।

ତେଣୁ ଓଡ଼ିଶା କ୍ରିକେଟ ଆସୋସିଏସନର ଦାବି ମୁତାବକ ଷ୍ଟାଡିୟମର କାପାସିଟି ବା ଦର୍ଶକ ବସିବା କ୍ଷମତା ୪୫ ହଜାର ବୋଲି ଧରି ନିଆଯାଏ। ଯଦିଓ ବାରବାଟୀ ଷ୍ଟ୍ରାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଦେଖି ଫେରିଥିବା ଅନେକ ଜାଣିବା ଶୁଣିବା ଦର୍ଶକ କହନ୍ତି ଯେ ୫୫ରୁ ୬୦ ହଜାର ଲୋକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିଥାନ୍ତି।

Advertisment

ଏମିତି କାହିଁକି କୁହାଯାଏ?

ବାସ୍ତବରେ ଷ୍ଟାଡିୟମର କାପାସିଟି ନେଇ ପୂର୍ତ୍ତ ବିଭାଗ କୌଣସି ସାର୍ଟିଫିକେଟ ଦେଇନାହିଁ। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାହିନୀ ମଧ୍ୟ ତନଖି କରି ସେଭଳି ସାର୍ଟିଫିକେଟ ଦେଇନାହିଁ। ତେଣୁ ଓସିଏର ଦାବିକୁ ସତ ବୋଲି ମାନି ନିଆଯାଏ। ତେବେ ମଧ୍ୟ ଓସିଏର କାର୍ଯ୍ୟକଳାପରୁ ଅନ୍ତର୍ଜାତୀୟ କ୍ରକେଟ ମ୍ୟାଚ୍‌ରେ ଟିକଟ କଳାବଜାରୀ ହୁଏ ବୋଲି ପ୍ରତି ଥର ଅଭିଯୋଗ ହୋଇଥାଏ। ଏହାର କାରଣ ଅତ୍ୟନ୍ତ ରୋଚକ। ଷ୍ଟାଡିୟମରେ ୪୪ ହଜାର ୫୭୪ ଜଣ ଦର୍ଶକ ବସିବେ ବୋଲି କୁହାଯାଏ। ମାତ୍ର ବିକ୍ରି ପାଇଁ ଟିକେଟ୍‌ ଥାଏ ୨୪ ହଜାର। ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଏହି ଟିକେଟ ବିକ୍ରି ହୁଏ। ଅନେକ ଥର ଦେଖାଗଲାଣି ଯେ ଅନ୍‌ ଲାଇନ୍‌ ଟିକଟ ବିକ୍ରି ଆରମ୍ଭ ହେବାର କେଇ ମିନିଟ୍‌ ମଧ୍ୟରେ ତାହା ଶେଷ ହୋଇଯାଏ। ଏଥର ଅପରାହ୍ନ ୪ଟା ସମୟରେ ଅନ୍‌ ଲାଇନ୍‌ ଟିକଟ ବୁକିଂ ଆରମ୍ଭ ହେଲା। ଅପରାହ୍ନ ୪ଟା ବାଜି ୧ ସେକେଣ୍ଡ ବେଳକୁ କ୍ୟୁ ବା ଧାଡ଼ିରେ ୧୦ ହଜାର ଲୋକ ଅଛନ୍ତି ବୋଲି ଘୋଷିତ ହେଲା। ଅନ୍‌ ଲାଇନ୍‌ରେ ୪ ହଜାର ଟିକଟ ବିକ୍ରି ହେବାର ଥିଲା।

ସେହିପରି ଅଫ୍‌ ଲାଇନ୍‌ ଟିକେଟ୍‌ ବିକ୍ରିକୁ ନେଇ ମଧ୍ୟ ପ୍ରତି ଥର ଅସନ୍ତୋଷ ପଦାକୁ ଆସେ। ଲୋକେ ରାତିରୁ ଲାଇନ୍‌ ଲଗେଇ ଠିଆ ହୋଇଥିବେ। ବିକ୍ରି ଝରକା ଖୋଲିବାର ଘଣ୍ଟେ ଭିତରେ ଟିକେଟ ସରିଯାଏ। ଏଭଳି ଘଟଣାରୁ ସନ୍ଦେହ ହୁଏ ଯେ ଓସିଏ କର୍ତ୍ତୃପକ୍ଷ ଟିକେଟ କଳାବଜାରୀ କରନ୍ତି। ଏଥର ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଅଫ୍‌ ଲାଇନ୍‌ରେ ୨୪ ହଜାର ୬୯୨ ଟିକେଟ ବିକ୍ରି ହେବାର ଅଛି।

ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସହିତ ଅନୁବନ୍ଧିତ ଅନେକ ସଂସ୍ଥାଙ୍କ ମଧ୍ୟରେ ଟିକେଟ ବଣ୍ଟନ ହୋଇଥାଏ। ଏହାର ମୂଲ୍ୟ ସେମାନେ ଦେଇଥାନ୍ତି ବୋଲି କେହି କେହି କହିଥାନ୍ତି। ଅନ୍ୟମାନେ ମାଗଣାରେ ଟିକଟ ବଣ୍ଟାଯାଏ ବୋଲି ବି ଦାବି କରନ୍ତି। ଓସିଏ ସହିତ ଏବେ ପ୍ରାୟ ୭୦ଟି ସଂସ୍ଥା ଅନୁବନ୍ଧିତ ରହିଛନ୍ତି। ଓଡ଼ିଶାର ୩୩ଟି କ୍ରିକେଟ ଜିଲ୍ଲା, ୧୫ଟି କ ଶ୍ରେଣୀର କ୍ଲବ, ୫ଟି ଖ ଶ୍ରେଣୀର କ୍ଲବ, ୫ଟି ମହାବିଦ୍ୟାଳୟ, ୯ଟି ବିଦ୍ୟାଳୟ ଏବଂ ୪ଟି ଏକ୍ସ ଅଫିସିଓ ସଦସ୍ୟ। ଏମାନେ ୧୫୦ ଲେଖାଏଁ ଟିକଟ ପାଇଥାନ୍ତି ବୋଲି କୁହାଯାଏ। ଯଦି ତାହା ସତ, ତେବେ ସେମାନେ ମୋଟ ଉପରେ ୧୦ ହଜାର ୬୫୦ ଟିକଟ ନେବେ ବା ନେଇଥିବେ। ବିକ୍ରି ହେବ ୨୪ ହଜାର ୬୯୨, ବଣ୍ଟାଯିବ ୧୦ ହଜାର ୬୫୦, ମିଶି ହେଲା ୩୫ ହଜାର ୩୪୨। ଏହାର ଅର୍ଥ ଘୋଷିତ କାପାସିଟିର ଆହୁରି ୧୦ ହଜାର ଉପରେ ଟିକଟ କାରବାର ଅନ୍ଧାରରେ ହେଉଥିବ।

ଏହି ୧୦ ହଜାର ଟିକଟ କ’ଣ ଭିଆଇପିଙ୍କୁ ଦିଆଯାଏ? ରାଜ୍ୟର ୧୪୭ ବିଧାୟକ, ରାଜ୍ୟସଭାର ୧୦ ଓ ଲୋକସଭାର ୨୧ ସାଂସଦ, ୩୦ରୁ କିଛି ଅଧିକ ବିଭାଗର ମୁଖ୍ୟ ବା ସଚିବ, ଦ୍ୱୈତ ନଗରୀର ଉଚ୍ଚ ପଦସ୍ଥ ପୁଲିସ କର୍ତ୍ତା, ଡିଜି ଅଫିସର ବଡ଼ ପଦବୀଧାରୀ, ମହାଧିବକ୍ତା ବା ଏଜି ଅଫିସର ବଡ଼ ପଦବୀଧାରୀ, ହାଇକୋର୍ଟର ୨୨ ଜଣ ବିଚାରପତି ଓ ଏମାନଙ୍କର ପିଲାଝିଲାଙ୍କୁ ମିଶେଇଲେ ବି ୧୦ ହଜାର ହେବ ନାହିଁ। ସେହିଭଳି ମ୍ୟାଚ୍‌ ବିବରଣୀ ସଂଗ୍ରହ କରିବାକୁ କେତେ ସାମ୍ବାଦିକଙ୍କୁ ଏମିତି ପାସ୍‌ ଦିଆଯାଏ କି? ସେମାନଙ୍କ ସଂଖ୍ୟା ମଧ୍ୟ ୨୦୦ ଟପିବ ନାହିଁ। ତା’ ହେଲେ ସେସବୁ ଟିକଟ ହୁଏ କ’ଣ? ଚୋରା ବଜାରରେ ବିକ୍ରି ହୁଏ କି?

ଏସବୁ ବାହାରେ ବି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ଏହାର ଅନେକ ସଦସ୍ୟ ଓ ଚିହ୍ନାପରିଚିତ ଲୋକଙ୍କୁ ଡ୍ୟୁଟି ପାସ୍‌ ଜାରି କରିଥାଏ। ଏହି ଡ୍ୟୁଟି ପାସ୍‌ ଯେଉଁମାନେ ପାଇଥାନ୍ତି ସେମାନେ ଷ୍ଟାଡିୟମ ସାରା ଯୁଆଡ଼େ ପାରିବେ ସିଆଡ଼େ ଯାଇପାରିବେ। ସେମାନେ ପଡ଼ିଆ କଡ଼ରୁ ଯେକୌଣସି ଗ୍ୟାଲେରି, ବକ୍ସ ଓ ପାଭିଲିୟନକୁ ଏହି ପାସ୍‌ରେ ଯାଇପାରିବେ। ତାହା କେତେ ଲୋକଙ୍କୁ ବଣ୍ଟାଯାଏ କେବେ ବି ଘୋଷଣା କରାଯାଏ ନାହିଁ।

ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ହେଉଥିବା ଭାରତ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ବିଭିନ୍ନ ମୂଲ୍ୟର ଟିକଟ ଜାରି ହୋଇଛି। ଷ୍ଟଡିୟମର ୭ ନମ୍ବର ଗ୍ୟାଲେରୀ ଟିକଟ ଦାମ ୭୦୦ ଟଙ୍କା। ଗ୍ୟାଲେରୀ ନମ୍ବର ୨ ଓ ୪ରେ ଟିକେଟ ଦାମ ୯୦୦ ଟଙ୍କା। ୧ ଓ ୨ ନମ୍ବର ଗ୍ୟାଲେରୀ ଟିକଟ ଦାମ ୧୧୦୦ ଟଙ୍କା। ୫ ନମ୍ବର ଗ୍ୟାଲେରୀ ଟିକଟ ଦାମ ୧୨୦୦ ଟଙ୍କା। ସ୍ପେଶାଲ ଏନ୍‌କ୍ଲୋଜର ବା ସ୍ୱତନ୍ତ୍ର ଖୁଆଡ଼ ଟିକଟେ ମୂଲ୍ୟ ୬ ହଜାର ଟଙ୍କା। ଏସି ବକ୍ସ ଟିକଟ ମୂଲ୍ୟ ୮ ହଜାର ଟଙ୍କା। ନୂଆ ପାଭିଲିୟନ ଟିକଟ ମୂଲ୍ୟ ୧୦ ହଜାର ଟଙ୍କା। କର୍ପୋରେଟ୍‌ ବକ୍ସ ଟିକଟ ମୂଲ୍ୟ ୨୦ ହଜାର ଟଙ୍କା। ଏସବୁରୁ କେତେ ପାସ୍‌ କେତେ ଟିକଟ ତାହା କେବଳ ଓସିଏ ହିଁ କହିପାରିବ। ଏଣିକି ବିବାଦ ଓ ସନ୍ଦେହରୁ ଉର୍ଦ୍ଧ୍ୱକୁ ଉଠିବା ପାଇଁ ଓସିଏ ଟିକଟ ବିକ୍ରିବଣ୍ଟା ନେଇ ସ୍ୱଚ୍ଛତା ପ୍ରକାଶ କରିବ ବୋଲି ଆଶା କରାଯାଏ।

Indian Cricket Team Cricket Barabati Oca
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe