Advertisment

କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?

ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।

ଅଦ୍ୟତନ ହୋଇଛି
Zeenat

Zeenat

Advertisment

ବାଘୁଣୀ ‘ଜିନ୍ନତ’। କେତେ ଶ୍ରଦ୍ଧାରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆଣିଥିଲେ ଓଡ଼ିଶା ସରକାର। ଭାବିଥିଲେ ଜୈବ ବିବିଧତାରେ ଭରା ଶିମିଳିପାଳ ଅଭୟାରଣ୍ୟର ଶୋଭାବର୍ଦ୍ଧନ କରିବ। ଆଉ ବଢ଼ି ଚାଲିଥିବା ଇନ୍‌ ବ୍ରିଡିଂ କଳାବାଘରେ ବ୍ରେକ୍‌ ଲାଗିବ। ହେଲେ ଦୁର୍ଭାଗ୍ୟକୁ ‘ଜିନ୍ନତ’ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ପଳାଇଗଲା ଝାରଖଣ୍ଡ। ସେଠାରୁ ଚାଲିଗଲା ପଶ୍ଚିମବଙ୍ଗ। ଆଉ ସେଠାରୁ ନଆସିବାରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି ‘ଜିନ୍ନତ’କୁ ଶିମିଳିପାଳ ଫେରାଇ ଆଣୁଛି। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ‘ଜିନ୍ନତ’ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲକୁ ପଳାଇ ଗଲା? ସିଏ କାହାକୁ ଖୋଜୁଛି? ନିଜର ପାଇଁ ଭଲ ସାଥୀଟିଏ ଖୋଜିବା ପାଇଁ ପଳାଇ ଯାଇନଥିଲା ତ? ‘ଜିନ୍ନତ’କୁ ନେଇ ଏବେ ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଛି।

Advertisment

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ୨୭୫୦ କିମି ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା ରହିଛି। ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣରେ ତୃଣଭୋଜୀ ପ୍ରାଣୀ ରହିଛନ୍ତି। ଯାହା ମହାବଳ ବାଘ ପାଇଁ ପ୍ରମୁଖ ଖାଦ୍ୟ। ସେଥିପାଇଁ ଏଠାରେ ୨୭ଟି ମହାବଳ ରହିଛନ୍ତି। ସେହି ୨୭ ମହାବଳ ମଧ୍ୟରେ ୧୩ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି। ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍। ତେଣୁ ଏମାନେ ଅଳ୍ପାୟୁ। ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ।

ମହାବଳଙ୍କ ଇନ୍‌ ବ୍ରିଡିଂକୁ ରୋକିବା ପାଇଁ ବନ ବିଭାଗ ତଡବା ଜଙ୍ଗଲରୁ ବାଘୁଣୀ ‘ଜିନ୍ନତ ’ ଓ ’ଯମୁନା’ଙ୍କୁ ଆଣିଥିଲେ। ଅକ୍ଟୋବର ୨୭ ତାରିଖ ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶିମିଳିପାଳରେ ପହଞ୍ଚିଥିଲା ‘ଜିନ୍ନତ’। କିଛି ଦିନ ତାଙ୍କୁ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା। ଗତ ୧୦ ତାରିଖରେ ‘ଜିନ୍ନତ’କୁ ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଛଡ଼ା ଯାଇଥିଲା। ଟ୍ରାକ୍‌ କରିବା ପାଇଁ ତା’ ବେକରେ ରେଡିଓ କଲାର ବନ୍ଧା ଯାଇଥିଲା। ‘ଜିନ୍ନତ’ ଘଞ୍ଚ ଜଙ୍ଗଲକୁ ଗଲା ପରେ ପେଟ ପାଇଁ ପ୍ରଥମେ ଶିକାର କରିଥିଲା। ଖାଇଲା ପରେ କିଛି ଦିନ କୋର ଏରିଆରେ ଘୂରି ବୁଲୁଥିଲା।

Advertisment

ଶିମିଳିପାଳ କୋର ଏରିଆରେ ରହିବା ପରେ ‘ଜିନ୍ନତ ’ ବରେହିପାଣୀ ପାଖାପାଖି ଦେଖିବାକୁ ମିଳିଥିଲା। ତା’ପରେ ଶିମିଳିପାଳ ଅଭୟାରଣ୍ୟ ଛାଡ଼ିଥିଲା। ଜାତୀୟ ରାଜପଥ ଅତିକ୍ରମ କରି ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ଜଙ୍ଗଲୀ ରାସ୍ତା ଦେଇ ଝାରଖଣ୍ଡ ପଳାଇ ଯାଇଥିଲା ‘ଜିନ୍ନତ’। ଜାମସେଦପୁର ରେଞ୍ଜର ଚାକୁଳିଆ ଜଙ୍ଗଲରେ ଘୂରି ବୁଲିଥିଲା। ଏ ସମ୍ପର୍କରେ ବନ ବିଭାଗ ଜାଣିବା ପରେ ଝାରଖଣ୍ଡ ବନ ବିଭାଗକୁ ଖବର ଦେଇଥିଲେ। ‘ଜିନ୍ନତ’ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମାଭିମୁଖୀ ହୋଇନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ କରାଇଥିଲା ଝାରଖଣ୍ଡ ବନ ବିଭାଗ। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇଥିଲା।

ଝାଡ଼ଖଣ୍ଡରେ କିଛି ଦିନ ରହିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗ ପଳାଇ ଆସିଥିଲା; ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୂରି ବୁଲୁଥିଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ‘ଜିନ୍ନତ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇନ୍‌ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍‌ ପାଇଁ ସ୍ୱତନ୍ତ୍ର ଟିମ୍‌ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’।

ରବିବାର ‘ଜିନ୍ନତ’ ବାଙ୍କୁରାରେ ଥିବା ଜଣାପଡ଼ିଥିଲା। ଏହା ପରେ ଚାରି ପାର୍ଶ୍ୱରୁ ଜାଲ ଘେରାଯାଇଥିଲା। ତା’ପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ‘ଜିନ୍ନତ’କୁ ଜନ୍ତାରେ ପୂରାଇ ଦିଆଯାଇଥିଲା। ତାକୁ ସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗର ଆଲିପୁର ଅଭୟାରଣ୍ୟକୁ ନିଆଯାଇଥିଲା। ସେଠାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ‘ଜିନ୍ନତ’ର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବାରୁ ଖୁବ୍‌ଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଅଣାଯିବ ବୋଲି ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ‘ଜିନ୍ନତ’ କାହିଁକି ପଳାଇ ଯାଇଥିଲା? ଏହାର ପ୍ରକୃତ ଉତ୍ତର କାହା ପାଖରେ ନାହିଁ। ହେଲେ ବିଶେଷଜ୍ଞଙ୍କ ମତରେ ନୂଆକରି ଆସିଥିବାରୁ ନିଜ ପାଇଁ ଏକ ସ୍ୱତନ୍ତ୍ର ଓ ସୁରକ୍ଷିତ ଅଞ୍ଚଳ ଖୋଜୁଛି ‘ଜିନ୍ନତ’। ସେଥିପାଇଁ ସେ ଏ ଜଙ୍ଗଲ ସେ ଜଙ୍ଗଲ ଘୂରି ବୁଲୁଛି। ତେବେ ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା। ତା’ପରେ ନୂଆ ସାଥୀ ସନ୍ଧାନରେ ଝାରଖଣ୍ଡ ପଳାଇ ଯାଇଥିଲା। ଦୁର୍ଭାଗ୍ୟକୁ ସେଠାରେ ମଧ୍ୟ ସାଥୀଟିଏ ମିଳିଲା ନାହିଁ। ତେଣୁ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲକୁ ଯାଇଥିଲା। ସେଠାରେ ଘୂରି ବୁଲୁଥିଲା।

ସେପଟେ ବାଘୁଣୀ ଯମୁନା କୁଲଡିହାରୁ ଶିମିଳିପାଳ ଫେରିଥିବାରୁ ‘ଜିନ୍ନତ’କୁ ନେଇ ଚିନ୍ତାରେ ପଡ଼ିଯାଇଥିଲା ବନ ବିଭାଗ। ତେଣୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବାଧ୍ୟ ହୋଇଥିଲା। ଏଥର ‘ଜିନ୍ନତ’କୁ ଶିମିଳିପାଳରେ ଛଡ଼ାଗଲା ପରେ ସିଏ ରହିବ ତ? ନା ପୂର୍ବ ପରି ଅନ୍ୟ କୌଣସି ଜଙ୍ଗଲକୁ ପଳାଇଯିବ। ତା’ହେଲେ ଶିମିଳିପାଳରେ ବଢ଼ିଚାଲିଥିବା ଇନ୍‌ ବ୍ରିଡିଂ କଳାବାଘର ବଂଶ କେମିତି ରୋକାଯାଇ ପାରିବ?

Similipal National Park Tigress Zeenat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe