/odisha-reporter/media/post_attachments/uploadimage/library/16_9/16_9_0/IMAGE_1710320170.jpg)
Lotus And Conch
ଦେବେନ୍ଦ୍ର ପୃଷ୍ଟି
ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଓ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଚର୍ଚ୍ଚା ଓ ଆଲୋଚନା ଏଯାଏଁ ଥମି ନାହିଁ। ଆଜି ଅର୍ଥାତ ମାର୍ଚ୍ଚ ୧୩ ତାରିଖ ଭିତରେ ଉଭୟ ଦଳ ମଧ୍ୟରେ ମେଣ୍ଟ ନିଷ୍ପତ୍ତି ଘୋଷଣା ହୋଇପାରେ। ଏହା ପରେ ଏନଡିଏର ନୈଶ୍ୟଭୋଜିରେ ଯୋଗଦେଇପାରେ ବିଜେଡି। ଆଜି ସକାଳୁ ଏପରି ଏକ ସମ୍ଭାବନା ନେଇ ଗଣମାଧ୍ୟମରେ ବିଭିନ୍ନ ମତାମତ ଓ ଆକଳନ ଦେଖିବାକୁ ମିଳୁଛି।
ତେବେ, ଏହା ନିଶ୍ଚିତ ଯେ ଯେତେବେଳେ ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପାଳିତ ଉତ୍ତରାଧିକାରୀ ଭୈରବ ପାଣ୍ଡିଆନ ଯଦି ଚାହିଁବେ ମେଣ୍ଟ ହେବ, ନଚେତ ନାହିଁ। ଏଥିରେ ଦଳର ଅନ୍ୟ ନେତା ଓ କର୍ମୀମାନଙ୍କର ମତାମତର ଆଦୌ କିଛି ଗୁରୁତ୍ୱ ନାହିଁ। ଯଦି ମେଣ୍ଟ ହୁଏ ତେବେ ଉଭୟ ଦଳର ନେତା ଓ କର୍ମୀଙ୍କ ପାଇଁ ଅନେକ ଅଡ଼ୁଆ ପ୍ରଶ୍ନ ସୃଷ୍ଟି ହେବ। ସେମାନଙ୍କ ଭବିଷ୍ୟତ ନେଇ ଅନେକ ସନ୍ଦେହ ଓ ଆଶଙ୍କା ମଧ୍ୟ ଲାଗି ରହିବ।
୧. ଯଦି ବିଜେଡି ଓ ବିଜେପି ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୁଏ ତେବେ ଉଭୟ ଦଳ ମଧ୍ୟରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ବଣ୍ଟାଯିବ। ଏବେ ଚାଲିଥିବା ଚର୍ଚ୍ଚା ଯଦି ସତ ହୁଏ ତେବେ ବିଜେପି ଭାଗରେ ୧୩ ଲୋକସଭା ଆସନ ଓ ୪୯ ବିଧାନସଭା ଆସନ ପଡ଼ିବ। ସେହିପରି ବିଜେଡି ଭାଗରେ ୮ ଲୋକସଭା ଆସନ ଓ ୯୮ ବିଧାନସଭା ଆସନ ପଡ଼ିବ। ଏଭଳି ପରିସ୍ଥିତିରେ ଉଭୟ ଦଳର ବହୁ ସମ୍ଭାବ୍ୟ ପ୍ରାର୍ଥୀ ହତାଶ ହେବେ। ଗତ ଥର ବିଜେଡି ୧୪୭ ଆସନରେ ପ୍ରାର୍ଥୀ ଦେଇଥିଲା। ଗଲା ତିନିଟି ନିର୍ବାଚନରେ ଦଳର ୧୪୭ ପ୍ରାର୍ଥୀ ଲଢ଼ି ଆସିଛନ୍ତି। ଏବେ ଯଦି ଦଳ ୯୮/୧୦୦ ଆସନରେ ପ୍ରାର୍ଥୀ ଦିଏ ତେବେ ବାକି ଆସନଗୁଡ଼ିକର ସମ୍ଭାବ୍ୟ ପ୍ରାର୍ଥୀମାନେ ନିଶ୍ଚୟ ହତାଶ ହେବେ। ସେମାନଙ୍କ ଆସନରେ ବିଜେପିର ପ୍ରାର୍ଥୀମାନେ ଲଢ଼େଇ କରି ଜିତିଲେ ସେମାନଙ୍କର ସାଂସଦ ବିଧାୟକ ହେବା ଆଶା ଆଶାରେ ରହିଯାଇ ପାରେ। ୨୦୨୯ ନିର୍ବାଚନରେ ମଧ୍ୟ ମେଣ୍ଟ ଅବ୍ୟାହତ ରହିଲେ ବିଜେତା ଅଗ୍ରାଧିକାର ପାଇବେ, ଯଦି ବଦନାମ ହୋଇ ନଥାନ୍ତି। ସେ ଯାହା ହେଉ, ଏଇ ନିର୍ବାଚନରେ ବିଜେଡିର ପ୍ରାୟ ୫୦ ସମ୍ଭାବ୍ୟ ପ୍ରାର୍ଥୀ ହତାଶ ହେବେ। ସେମାନେ କ’ଣ କରିବେ ସେମାନଙ୍କ ଇଚ୍ଛା। ପୂର୍ବ ପରି ଦଳ ପ୍ରତି ସମର୍ପିତ ରହିବେ କି ସ୍ୱାଧୀନ ଭାବେ ଲଢ଼ିବେ କି ଭିତରେ ଭିତରେ ଚେର କାଟିବେ ତାହା ପରେ ଜଣାପଡ଼ିବ। ସେହିପରି ବିଜେପିର ପ୍ରାୟ ୧୦୦ ସରିକି ନିର୍ବାଚନ ମଣ୍ଡଳୀ ନେତା ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ି ପାରିବେ ନାହିଁ। ସେମାନେ ଦଳ ପାଇଁ ସଂପଦ ହେବେ କି ବିପଦ ତାହା ମଧ୍ୟ ଆଗକୁ ଜଣାପଡ଼ିବ। ଲୋକସଭା କ୍ଷେତ୍ରରେ ମଧ୍ୟ ସମାନ କଥା।
୨. ଏହି ସମ୍ଭାବ୍ୟ ହତାଶିଆ ଓ ଅସନ୍ତୁଷ୍ଟିଆମାନଙ୍କୁ ଉଭୟ ଦଳ ନାନାଦି ପ୍ରଲୋଭନ ଦେଖାଇ ପାରନ୍ତି। ମାତ୍ର, ଏତେ ଅସନ୍ତୁଷ୍ଟଙ୍କ ପାଇଁ ରାଜ୍ୟ ସରକାରରେ ପଦବୀର ଅଭାବ ପଡ଼ିପାରେ। ଉଭୟ ଦଳର ୧୫୦ ଉପରେ ସମ୍ଭାବ୍ୟ ବିଧାୟକଙ୍କ ପାଇଁ ତତ୍ତୁଲ୍ୟ ଗୁରୁତ୍ୱ ବହନ କରୁଥିବା ପଦବୀ ଓଡ଼ିଶା ସରକାରରେ ନାହିଁ। ତେଣୁ ସେମାନଙ୍କ ପାଇଁ ବିଧାନ ପରିଷଦ ଆବଶ୍ୟକ ହୋଇପାରେ। ରାଜ୍ୟ ଓ କେନ୍ଦ୍ରର ଉଭୟ ଶାସକ ଦଳ ଏକାଠି ହେଉଥିବାରୁ ବିଧାନ ପରିଷଦ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ଆଦୌ ଅସୁବିଧା ହେବ ନାହିଁ। ଯଦି ତାହା ହୁଏ, ଉଭୟ ଦଳର ବହୁ ନେତା ନିଶ୍ଚୟ ସେହି ବାଟେ ଥଇଥାନ ହେବାର ସୁଯୋଗ ପାଇବେ। ଗୁରୁତ୍ୱ ବହନ କରୁ ନଥିବା ବାକି ନେତାମାନଙ୍କୁ ଉପଦେଷ୍ଟା ଆଦି ପଦ ମିଳିପାରେ।
୩. କିନ୍ତୁ ମନେ କରାଯାଉ, ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢ଼େଇ କରିବାକୁ ପଣ କରିଥିବା ଉଭୟ ଦଳର କିଛି ନେତା ଆସନ୍ନ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡ଼ିଲେ ଏବଂ ଭବିଷ୍ୟତରେ କୌଣସି ସୁପ୍ରିମୋ କିମ୍ବା ହାଇକମାଣ୍ଡଙ୍କ ସ୍ୱାର୍ଥ ପାଇଁ ନିଜର ଇଜ୍ଜତ ମହତ ବିକ୍ରି ନକରିବାକୁ ନିଷ୍ପତ୍ତି ନେଲେ, ତେବେ ସେମାନେ କ’ଣ କରିବେ? ଏବେ ଆଉ ନୂଆ ଦଳ ଗଠନ କରିବାକୁ ସମୟ ନାହିଁ। ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼େଇ କଲେ ଅନେକ ଆସନରେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ। ଜଣେ ଜଣେ ପ୍ରାର୍ଥୀ ୧୦-୧୫ ହଜାର ଭୋଟ ଭାଙ୍ଗିଦେଲେ ଫଳାଫଳ ଓଲଟପାଲଟ ହୋଇଯାଇପାରେ। ତାହା ନକରି ସେମାନେ ଯଦି ନିଜ ଅନୁଗତମାନଙ୍କୁ ଭୋଟ୍ ଟ୍ରାନ୍ସଫର୍ କରିବାକୁ ବୁଝେଇଦେବେ ତେବେ ତାହା ମଧ୍ୟ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ।
୪. ଅନ୍ୟ ଏକ ସମ୍ଭାବ୍ୟ ପରିସ୍ଥିତି ହେଲା, ଉଭୟ ଦଳର ହତାଶ ଓ ଅସନ୍ତୁଷ୍ଟଙ୍କ ମଧ୍ୟରୁ ଅନେକ କଂଗ୍ରେସ କିମ୍ବା ଅନ୍ୟ କୌଣସି ଛୋଟମୋଟ ଦଳରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପାରନ୍ତି। ସେ ସ୍ଥିତିରେ ମଧ୍ୟ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ।
୫. କଂଗ୍ରେସ ପାଇଁ ଏଭଳି ଏକ ମେଣ୍ଟ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ। ମାତ୍ର, ସେହି ଦଳ ସେଥିରୁ କୌଣସି ଫାଇଦା ନେଇପାରିବ ନାହିଁ। କାରଣ ଏଯାଏଁ ଏହି ଦଳର ନେତାମାନେ ଏ ଦିଗରେ କୌଣସି ପ୍ରକାର ସଂକେତ ସାଧାରଣରେ ଛାଡ଼ି ନାହାନ୍ତି। ଶାସକ ଓ ବିରୋଧୀ ଅଧିକ ଭଲ ଫଳ ପାଇବାକୁ ମେଣ୍ଟ ବାନ୍ଧୁଥିବାବେଳେ ଭୟଙ୍କର ଭାବେ ଭୋଟ୍ଭିତ୍ତି ହରାଇ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଥିବା ପ୍ରଦେଶ କଂଗ୍ରେସ ରାଜ୍ୟରେ ଅନ୍ୟ ଅଣବିଜେପି ଓ ଅଣବିଜେଡି ଦଳ ସହିତ ନିର୍ବାଚନୀ ମେଣ୍ଟ କରିବାକୁ ଏଯାଏଁ କୌଣସି ଉଦ୍ୟମ ଆରମ୍ଭ କରିନାହିଁ। ସେହିପରି ବିଜେପି ଓ ବିଜେଡିର ବଂଚିତ ନେତାମାନଙ୍କ ପାଇଁ ଦଳର ଦ୍ୱାର ଖୋଲା ଅଛି ବୋଲି ମଧ୍ୟ କୌଣସି କଂଗ୍ରେସ ନେତା ବିବୃତ୍ତି ଦେଇ ନାହାନ୍ତି। ତେଣୁ ଏହି ବଂଚିତ ନେତାମାନେ ଯେ କଂଗ୍ରେସକୁ ଭରସା କରିବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଅଣବିଜେପି ଓ ଅଣବିଜେଡି କ୍ଷୁଦ୍ର ରାଜନୀତିକ ଶକ୍ତିଗୁଡ଼ିକ ସହିତ ମେଣ୍ଟ ଗଢ଼ି ଏକତାର ବାର୍ତ୍ତା ସହିତ ଭୋଟରଙ୍କୁ ଅସ୍ଥା ଓ ଭରସା ଦେବାରେ ବିଫଳ ହେଲେ କଂଗ୍ରେସ ମଧ୍ୟ ପୁଣି ଥରେ ବିଧାନସଭାରେ ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିନପାରେ। ସେଥିପାଇଁ ଦଳର ସଦସ୍ୟ ସଂଖ୍ୟା ୧୫ ହେବା ଦରକାର। କଂଗ୍ରେସର ଏବେ ୯ ବିଧାୟକ ଅଛନ୍ତି। ଦଳ ୯ରୁ ୯୦ ସ୍ଲୋଗାନ ଦେଉଥିଲେ ମଧ୍ୟ ସେ ଦିଗରେ କୌଣସି ଠୋସ ରାଜନୀତିକ କାର୍ଯ୍ୟକ୍ରମ ନଥିବାରୁ ତଥା ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାରେ ବିଫଳ ହୋଇଥିବାରୁ ଏହି ପରିସ୍ଥିତିର ଫାଇଦା ଦଳକୁ ନମିଳିପାରେ।
୬. ଯଦି କଂଗ୍ରେସ ଏହାର ଫାଇଦା ନନେଇପାରେ ଏବଂ ବିଧାନସଭାରେ ଆଖି ଦୃଶିଆ ଉପସ୍ଥିତି ଜାହିର କରି ନପାରେ ତେବେ ଓଡ଼ିଶା ବିଧାନସଭା ବିପକ୍ଷଶୂନ୍ୟ ହୋଇଯିବ। ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କୌଶଳରେ ନିଜକୁ ବିରୋଧୀଶୂନ୍ୟ ରଖିବାରେ କୌଣସି ତ୍ରୁଟୀ କରିନାହାନ୍ତି। ସେ କଂଗ୍ରେସ ନେତାମାନଙ୍କୁ ନିଜ ଦଳରେ ଗ୍ରହଣ କରି, ଯେଉଁମାନେ ତଥାପି କଂଗ୍ରେସ ପତାକା ଟେକି ଧରିଛନ୍ତି ସେମାନଙ୍କୁ ଭିତରେ ଭିତରେ ଖୁସି କରି ନିଜକୁ ନିରଙ୍କୁଶ ରଖିପାରିଛନ୍ତି। ୨୦୧୯ ପରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ନବୀନ ଓ ବିଜେଡିର ବିକଳ୍ପ ହେବାର ପତିଆରା ସୃଷ୍ଟି କରିଥିବା ବିଜେପି ସହିତ ମେଣ୍ଟ କରି ପୁଣି ଥରେ ସେ ନିଜକୁ ନିରଙ୍କୁଶ ରଖିବାରେ ସଫଳ ହେବେ। ପୂର୍ବରୁ ଅନେକ ବାମପନ୍ଥୀ, ଝାଡ଼ଖଣ୍ଡୀ, ରାଷ୍ଟ୍ରବାଦୀ କଂଗ୍ରେସ ନେତାଙ୍କୁ ବିଜେଡିରେ ସାମିଲ କରି ସେହି ଦଳଗୁଡ଼ିକର ଅସ୍ତିତ୍ୱ ଏକରକମ ଲୋପ କରିବାରେ ସେ ସଫଳ ହୋଇଛନ୍ତି। ଏଥର ସେ ତାଙ୍କର ସେହି କୌଶଳରେ ସବୁଠୁ ବଡ଼ ଶିକାର କରିବେ।
୭. ପୁଣି ଥରେ ବିଜେପି ପଛକୁ ହଟିବ ଓ ବିଜେଡିର ସମକକ୍ଷ, ସମାସ୍କନ୍ଦ କିମ୍ବା ବିକଳ୍ପ ହେବାର ଉଦ୍ୟମ ଫସରଫାଟିବ। ପୁଣି ଥରେ ବିଜେପି ବିଜେଡିର ଦ୍ୱିତୀୟ ପକ୍ଷ ହୋଇ ରହିବ। ମେଣ୍ଟ ହେଲେ ଏଭଳି ଏକ ସମ୍ଭାବନା ଜଳଜଳ ହୋଇ ଦିଶୁଥିବାବେଳେ ବିପରୀତ ମଧ୍ୟ ଘଟିପାରେ। କୌଣସି କୌଶଳରେ ଯଦି ବିଜେପି ମହାରାଷ୍ଟ୍ରର ଶିବ ସେନା ଓ ଏନସିପି ପରି ବିଜେଡିରେ ବିଭାଜନ ଘଟାଇଲା ତେବେ, ବିଜେପି ହାତକୁ ନିୟନ୍ତ୍ରଣ ଯାଇପାରେ।
୮. ଆଉ ଏକ ସମ୍ଭାବନା ହେଲା ବାବୁରୁ ନେତା ହୋଇ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ବିଜେଡିରେ ମାନ୍ୟତା ଲାଭ କରିଥିବା ଭୈରବ ପାଣ୍ଡିଆନଙ୍କୁ ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମେଣ୍ଟ ରାଜନୀତିର ସୁଯୋଗ ନେଇ ବଶ କରିପାରିଲେ ତେବେ ମଧ୍ୟ ଦୃଶ୍ୟ ବଦଳିଯାଇପାରେ।
୯. ତେବେ, ନବୀନ ଶାସନରେ ଅତିଷ୍ଠ ତଥା ଅସ୍ମିତାହରା ଓଡ଼ିଆ ନେତା ଓ ବାବୁଙ୍କ ପାଇଁ ଏକଜୁଟ ହେବାର ଏକ ସୁଯୋଗ ସୃଷ୍ଟି କରିପାରେ। ରାଜ୍ୟର ବିଭିନ୍ନ ଦଳରେ ଥିବା ସ୍ୱାଭିମାନୀ ଓଡ଼ିଆମାନେ ଏକାଠି ହୋଇ ବିଜେଡିର ବିକଳ୍ପ ଭାବେ ପୁଣି ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି। ଅବଶ୍ୟ ଏହା ଏ ନିର୍ବାଚନର କଥା ନୁହେଁ। ୨୦୨୯ ନିର୍ବାଚନ ଲକ୍ଷ୍ୟରେ ୨୦୨୪ ନିର୍ବାଚନ ପରେ ପରେ ସେପରି ଏକ ସମ୍ଭାବନା ସୃଷ୍ଟି ହୋଇପାରେ।
୧୦. ମେଣ୍ଟ ହେଲେ ଡବଲ୍ ଇଞ୍ଜିନ ସରକାରର ସଂଜ୍ଞା ସ୍ପଷ୍ଟ ହୋଇଯିବ। ପୂର୍ବରୁ ଗୋଟେ ଧାରଣା ଥିଲା ଯେ ମୋଦି ଓ ଶାହା ଯେଉଁ ଡବଲ୍ ଇଞ୍ଜିନ ସରକାର କଥା କହୁଥିଲେ ତାହା ହେଉଛି ଉଭୟ ଓଡ଼ିଶା ଓ କେନ୍ଦ୍ରରେ ବିଜେପି ଶାସନ। ଏବେ ବୁଝାଯିବ ଯେ ଓଡ଼ିଶା ବିକାଶ ଟ୍ରେନ୍ର ଦୁଇଟି ଇଞ୍ଜିନ୍- ଗୋଟିଏ ବିଜେଡି, ଅନ୍ୟଟି ବିଜେପି। ଏ ଦୁଇ ଟ୍ରେନ୍ ମିଶି ଓଡ଼ିଶାକୁ ଆଗକୁ ଟାଣିବେ। ଯଦି ଇଞ୍ଜିନ୍ ଦୁଇଟି ପରସ୍ପର ବିପରୀତ ଦିଗରେ ମୁହାଁଇଲେ ତାହା ହେଲେ ଅଲଗା ଘଟିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
