Advertisment

ଏ ହସରେ ରହିଛି ଅନେକ ଯନ୍ତ୍ରଣା; ଆଉ ଖୋଜୁଛି ନିଜ ଠିକଣା!

ଏଟିଏମ୍‌ ବାରଣ୍ଡାରେ ଦିନ କାଟୁଥିବା ମାଆ ଓ ଛୁଆଙ୍କ ପରିଚୟ କ’ଣ? ସେମାନେ କେଉଁଠାରୁ ଆସିଛନ୍ତି? କ’ଣ ପାଇଁ ସେଠାରେ ଡେରା ପକାଇଛନ୍ତି? ଏହାର ଉତ୍ତର କାହା ପାଖରେ ନାହିଁ।

Boudh

Boudh

Advertisment

ଏ ହସ କହୁଛି ଅନେକ କଥା। ଆଉ ଦେଉଛି ଅନେକ ବ୍ୟଥା। ଖାଲି କଥା କି ବ୍ୟଥା ନୁହେଁ, ହସ ଭିତରେ ଥିବା ଛାତି ଥରା ଯନ୍ତ୍ରଣା ଖୋଜୁଛି ନୂଆ ଠିକଣା। ଯଦି କେହି ପରିଚିତ ଲୋକଟିଏ ମିଳିଯା’ନ୍ତା, ତାହାହେଲେ ମିଳିପାରନ୍ତା ମାଆ ଓ ଝିଅଙ୍କ ପୂରା ଠିକଣା। ନିଜର ଠିକଣା ଅପେକ୍ଷାରେ ଦେଢ଼ ମାସ ହେଲା ATM ବାରଣ୍ଡାରେ ଜୀବନ ବିତାଉଥିଲେ ମାଆ ଝିଅ।

Advertisment

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସଦର ମହକୁମାରେ ରହିଛି ଚାରିଛକ ମୁଖ୍ୟ ବଜାର। ସେହି ବଜାର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥ। ସେହି ରାସ୍ତା ପାର୍ଶ୍ୱରେ ରହିଛି ଗୋଟିଏ SBI ଏଟିଏମ୍‌। ଆଉ ତାହାରି ବାରଣ୍ଡାରେ ଆଜକୁ ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଆଶ୍ରୟ ନେଇଛନ୍ତି ମାଆ ଓ ଝିଅ। ମହିଳାଙ୍କ ବୟସ ୨୦ ବର୍ଷରୁ ଅଧିକ ହେବ। ଝିଅର ବୟସ ୩ ବର୍ଷ ବୋଲି ଅନୁମାନ କରାଯାଉଛି। ଭୋକ ଉପବାସରେ ଜୀବନ କାଟୁଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଯିଏ ଯାହା ଦେଉଛନ୍ତି, ତାକୁ ଖାଇ ବଞ୍ଚୁଛନ୍ତି। ମଝିରେ ମଝିରେ ଛୋଟ ଝିଅଟି ସାଥୀରେ ଆଣିଥିବା ବହିର ପୃଷ୍ଟାକୁ ଓଲଟାଉଛି। ଆଉ କ’ଣ ସବୁ ଗୁଣୁଗୁଣୁ ହୋଇ କହୁଛି।

ଏଟିଏମ୍‌ ବାରଣ୍ଡାରେ ଦିନ କାଟୁଥିବା ମାଆ ଓ ଛୁଆଙ୍କ ପରିଚୟ କ’ଣ? ସେମାନେ କେଉଁଠାରୁ ଆସିଛନ୍ତି? କ’ଣ ପାଇଁ ସେଠାରେ ଡେରା ପକାଇଛନ୍ତି? ଏହାର ଉତ୍ତର କାହା ପାଖରେ ନାହିଁ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ହରଭଙ୍ଗା ବିଡିଓ ସ୍ଵପ୍ନିତା ନାୟକଙ୍କୁ ଅବଗତ କରାଇଥିଲେ। ଏହା ପରେ ବିଡ଼ିଓ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେହି ସମୟରେ ମହିଳା ଜଣକ ନିଜର ଛୁଆ ସହ ଖେଳୁଥିବା ଦେଖିବାକୁ ପାଇଥିଲେ।

Advertisment

ମାଆ ଓ ଝିଅଙ୍କ ସହିତ କଥା ହେବାକୁ ଚାହିଁଥିଲେ ବିଡିଓ ମାଡ଼ାମ। ହେଲେ ସେ ଠିକ୍‌ରେ ଉତ୍ତର ଦେଇପାରୁନଥିଲେ। ତେଣୁ ଉଭୟଙ୍କ ପରିଚୟ ମିଳିପାରିନଥିଲା। ଶେଷରେ ଉଭୟଙ୍କୁ ଉଦ୍ଧାର କରାଯାଇ ସରସରା ସ୍ଥିତ ଜାଗୃତି ଗୃହରେ ଥଇଥାନ କରାଯାଇଛି। ମହିଳାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଶିଶୁକନ୍ୟାର ରହଣୀ ଓ ପାଠ ପଢିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe