Advertisment

କେନ୍ଦ୍ରର ତାଗିଦ- କାହିଁକି କାମଚଳା ଡିଜିପି?

‘ତିନି ମାସ ଯଥେଷ୍ଟ ସମୟ। ଯେଉଁଥିରେ ୟୁପିଏସି ବୈଠକ ବସି ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରାଯାଇପାରିଥା’ନ୍ତା। ମାତ୍ର ବିଭିନ୍ନ ବାହାନା ବା ଆଳ ଦେଖାଇ ଯଦି ବୈଠକ ଡକା ନଯିବ, ତେବେ କାମଚଳା ଡିଜିପି ନିଯୁକ୍ତି କରିବାକୁ ସୁଯୋଗ ମିଳିଯିବ।’

Nabin Patnaik

Nabin Patnaik

Advertisment

ଓଡ଼ିଶା ଭଳି ୭ଟି ରାଜ୍ୟରେ ଏବେ କାମଚଳା ପୁଲିସ ମହାନିର୍ଦ୍ଦେଶ ବା ଡିଜିପିଙ୍କୁ ନିଯୁକ୍ତି ଦିଆଯାଇଛି, ଯାହାକି ୨୦୦୬ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି। ଏନେଇ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କରିଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି।

Advertisment

ରାଜ୍ୟ ସରକାର ପୁଲିସ ଡିଜିଙ୍କ ଅବସରର ତିନି ମାସ ପୂର୍ବରୁ ପରବର୍ତ୍ତୀ ଡିଜିପିଙ୍କୁ ବାଛିବା ପାଇଁ ଡିଜିପି-ରାଙ୍କର କିଛି ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସସିକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ୟୁପିଏସସିର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ ସ୍ତରୀୟ ଚୟନ କମିଟି ବିଭିନ୍ନ ଦିଗକୁ ତର୍ଜମା କରି ତିନି ଜଣଙ୍କ ନାଁ ବାଛିଥା’ନ୍ତି। ସେଥିରୁ ରାଜ୍ୟ ସରକାର ଜଣଙ୍କୁ ଡିଜିପି ରୂପେ ବାଛିଥା’ନ୍ତି। ଏହି କମିଟିରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ସଚିବ ଓ ଡିଜିପି ମଧ୍ୟ ସଦସ୍ୟ ଭାବେ ଯୋଗ ଦେଇଥା’ନ୍ତି। ଓଡ଼ିଶାରେ ପୂର୍ବତନ ଡିଜିପି ସୁନୀଲ ବଂଶଲ ଡିସେମ୍ବର ୩୧ ତାରିଖରେ ଅବସର ନେବେ ବୋଲି ସରକାର ବହୁପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସୁଦ୍ଧା ଏଥିପାଇଁ କାହିଁକି ପ୍ରକ୍ରିୟା ଶେଷ ହୋଇପାରିଲା ନାହିଁ ତାହା ପ୍ରଶ୍ନ ସୃଷ୍ଟି କରିଛି।

ଏ ନେଇ ପୂର୍ବତନ ସଚିବ ପ୍ରସନ୍ନ ମିଶ୍ର କହିଛନ୍ତି- ତିନି ମାସ ଯଥେଷ୍ଟ ସମୟ। ଯେଉଁଥିରେ ୟୁପିଏସି ବୈଠକ ବସି ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରାଯାଇପାରିଥା’ନ୍ତା। ମାତ୍ର ବିଭିନ୍ନ ବାହାନା ବା ଆଳ ଦେଖାଇ ଯଦି ବୈଠକ ଡକା ନଯିବ, ତେବେ କାମଚଳା ଡିଜିପି ନିଯୁକ୍ତି କରିବାକୁ ସୁଯୋଗ ମିଳିଯିବ। କେବଳ ଅତି ଆସାଧାରଣ ପରିସ୍ଥିତିରେ କାମଚଳା ଡିଜିପି ନିଯୁକ୍ତି କରାଯାଇପାରେ। ମାତ୍ର ଏହା ଦ୍ୱାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହେଉଛି।

Advertisment

ପୁଲିସ ସଂସ୍କାର ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ପୁଲିସ ଡିଜି ପ୍ରକାଶ ସିଂହଙ୍କ ଆବେଦନ କ୍ରମେ ୨୦୦୬ରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ସବୁ ରାଜ୍ୟକୁ ୭ଟି ବଡ଼ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁସାରେ, କେବଳ ଅସାଧାରଣ ସମୟ ବ୍ୟତୀତ ଅନ୍ୟ କୌଣସି ସମୟରେ ରାଜ୍ୟମାନେ କାମଚଳା ଡିଜିପି ବା ଆଡହକ୍‌ ଡିଜିପି ନିଯୁକ୍ତି ଦେଇପାରିବେ ନାହିଁ। ସଂସ୍କାରର ଉଦ୍ଦେଶ୍ୟ ଥିଲା- ପୁଲିସ ନିଯୁକ୍ତି, ବଦଳି, ତଦନ୍ତ ପ୍ରସଙ୍ଗରେ ରାଜନୈତିକ ହସ୍ତକ୍ଷେପ ନରହୁ ଓ ଡିଜିପିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ମନଇଚ୍ଛା ବଦଳାନଯାଉ। ସେଥି ୟପାଇଁ ଡିଜିପିଙ୍କୁ ନିଯୁକ୍ତିର ୨ ବର୍ଷ ଭିତରେ ବଦଳି କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଦେଖାଯାଉଛି, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ କାମଚଳା ଡିଜିପି ରହିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ସଂପୃକ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି କରିଛନ୍ତି। ୨୦୦୬ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଏହା ଉଲ୍ଲଂଘନ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି।

ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି, ୟୁପିଏସସି ଆନୁକୂଲ୍ୟରେ ବୈଠକ ବସି ଓଡ଼ିଶାକୁ ୩ଟି ନାଁ ଆସିନାହିଁ ବୋଲି ମୁଁ ଜାଣିଛି। ତେଣୁ ଏଥିରେ କିଛି ଭୁଲ ହୋଇନାହିଁ।

ପୂର୍ବତନ ସଚିବ ସଂଜୀବ କୁମାର ହୋତା କହିଛନ୍ତି, ୟୁପିଏସସି ବୈଠକ ଡାକି ତିନିଟି ନାଁ ପଠାଇବା ପରେ ରାଜ୍ୟ ସରକାର ଜଣଙ୍କୁ ନ ବାଛିଲେ ଦୋଷ ଦେଇ ହେବ। ନହେଲେ ରାଜ୍ୟକୁ ଦୋଷ ଦେଇ ହେବ ନାହିଁ। ପୁଲିସ୍ ବାହିନୀର ନେତୃତ୍ୱ ନେବା ପାଇଁ କାହାକୁ ତ କାମଚଳା ଡିଜିପି ରଖିବାକୁ ପଡ଼ିବ।

ଅନ୍ୟପଟରେ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିବା ବେଳେ ରାଜ୍ୟ ସରକାର ଡିସେମ୍ବର ୩୦ ତାରିଖରେ କାର୍ଯ୍ୟକାରୀ ଡିଜିପି ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନାଁ ଘୋଷଣା କରିଥିଲେ। ଡିଜି ପାହ୍ୟାରେ ଥିବା ଆଇପିଏସ୍ ଅଫିସରଙ୍କ ଭିତରେ ବି. ରାଧିକା ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ବରିଷ୍ଠ ହୋଇଥିବା ବେଳେ କାମଚଳା ଡିଜିପି ଘୋଷଣାର ପରଦିନ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖରେ ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ ଆବେଦନ କରିଥିଲେ। ୭ ମାସ ଚାକିରି ଥାଇ ବି. ରାଧିକା ଭିଆରଏସ୍ ଆବେଦନ କରିବା ପ୍ରଶ୍ନ ସୃଷ୍ଟି କରିଥିଲା। ତେବେ କେନ୍ଦ୍ର ଗୃହମନ୍ତ୍ରାଳୟର ଚିଠି ମୁଖ୍ୟ ଶାସନ ସଚିବ ପାଇଛନ୍ତି କି ନାହିଁ ଓ କାହିଁକି ପୂର୍ଣ୍ଣ କାଳୀନ ଡିଜିପି ନିଯୁକ୍ତି ହୋଇପାରିଲା ନାହିଁ, ତାହା ଜାଣିବା ପାଇଁ ଆମେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ହ୍ୱାଟ୍‌ସ ଆପ୍ ଯୋଗେ ପ୍ରଶ୍ନ ପଠାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। 

ଭୁବନେଶ୍ୱରରୁ ଲକ୍ଷ୍ମୀ ନାରାୟଣ କାନୁନଗୋଙ୍କ ରିପୋର୍ଟ

Odisha DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe