ସରକାର ଇ-ଯାନର ପ୍ରଚାର ପ୍ରସାର କରୁଛନ୍ତି। ହେଲେ କୋଣାର୍କ ଏନ୍ଏସିରେ ଖାତ ଖାଉଛି ୨୦ଟି ଇ-ଅଟୋ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୩ ବର୍ଷ ଧରି ଅଟୋ ଗୁଡ଼ିକ ଖରା କାକରରେ ପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏଥିପାଇଁ ଭୁଲ୍ କାହାର? ଏନେଇ ଏନ୍ଏସି ଅଧ୍ୟକ୍ଷାଙ୍କୁ ପଚାରିଲେ ଆଈ ମାଆ କାହାଣୀ କହୁଛନ୍ତି।
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି କୋଣାର୍କ। ଆଉ ବିଶ୍ୱ ଐତିହ ସ୍ଥଳର ମାନ୍ୟତା ପାଇଛି ସୂର୍ଯ୍ୟ ମନ୍ଦିର। ସେଥିପାଇଁ ପ୍ରତିଦିନ ଦୂର ଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ସେଠାକୁ ଆସୁଛନ୍ତି। ସେମାନଙ୍କ ନିମନ୍ତେ ପ୍ରଦୂଷଣ ମୁକ୍ତ ତଥା ପରିବେଶ ଅନୁକୂଳ ବାତାବରଣ ଉପଲବ୍ଧ କରିବା ପାଇଁ ହୋଇଥିଲା ବିଦ୍ୟୁତ ଚାଳିତ ଅଟୋ(ଇ-ଅଟୋ)ର ବ୍ୟବସ୍ଥା। କିନ୍ନର, ଭିନ୍ନକ୍ଷମ, ଏସ୍ଏଚ୍ଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ବ୍ୟବସ୍ଥା କରିଥିଲା କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷ। ସେଥିପାଇଁ ଓରେଡା ୨୦୨୧ ମସିହାରରେ ୨୦ଟି ଇ-ଅଟୋ ଦେଇଥିଲା। ଏଥିସହ ୩ଟି ସ୍ଥାନରେ ସୋଲାର ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିଥିଲା।
ଇ-ଅଟୋ ଗୁଡ଼ିକ କୋଣାର୍କ ଏନ୍ଏସି କ୍ୟାମ୍ପସ ପରିସରରେ ଛିଡ଼ା ହୋଇଛି। ଇତି ମଧ୍ୟରେ ୩ ବର୍ଷ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଅଟୋ ଗୁଡ଼ିକୁ ବିତରଣ କରାଯାଇ ନାହିଁ। ଖରାବର୍ଷା ଖାଇ ଅନେକ ଇ-ଅଟୋର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ଏଥିପାଇଁ ଅପାରଗ ଅଫିସର ଓ କାଉନସିଲରମାନେ ଦାୟୀ ବୋଲି କହିଛନ୍ତି ପୂର୍ବତନ କାଉନସିଲର ଓ ବୁଦ୍ଧିଜୀବୀ।
ତେବେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ କହିଛନ୍ତି, ୨୦୨୧ ମସିହାରେ ଓରେଡ଼ା ତରଫରୁ ୨୦ଟି ଇ-ଅଟୋ ଆସିଥିଲା। ସେତେବେଳେ ଏନ୍ଏସି କାଉନ୍ସିଲ ବଡ଼ି ନଥିଲା। ଏନ୍ଏସି ଦାୟୀତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଗାଇଡ୍ଲାଇନ୍ ଅନୁସାରେ ବଣ୍ଟନ କରିଥିଲେ ଭଲ ହୋଇଥାଆନ୍ତା। ହେଲେ ତାହା ହୋଇନଥିଲା। ତେବେ ୨୦୨୨ ଏପ୍ରିଲ୍ରେ ଏନ୍ଏସି କାଉନ୍ସିଲ ବଡ଼ି ଗଢ଼ିବା ପରେ ଇ-ଅଟୋ ସମ୍ପର୍କରେ ଖୋଳତାଡ ହୋଇଥିଲା। ଖୋଳତାଡ଼ ପରେ ଇ-ଅଟୋ ଗୁଡ଼ିକ କାହାକୁ ଦିଆଯିବ ଓ କେମିତି ଦିଆଯିବ, ସେଥିପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଥିଲା। ଏହା ପରେ ଘଟଣା ସମ୍ପର୍କରେ ପିଡ଼ିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ କାଉନ୍ସିଲ ବୈଠକରେ ଇ-ଅଟୋ ମରାମତି ପରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମତୀ ତ୍ରିପାଠୀ କହିଛନ୍ତି।
ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି