ପାକିସ୍ତାନରୁ ଅଲଗା ହୋଇଯିବ କି ବେଲୁଚିସ୍ତାନ?

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କାଲାତ ଜିଲ୍ଲା। ଏହି ଜିଲ୍ଲାର ଗୋଟିଏ ସହରର ନାଁ ହେଲା ମଙ୍ଗୋଚେର୍‌। ଏଠାରେ ପ୍ରାୟ ୬୫ ହଜାର ଲୋକ ବସବାସ କରନ୍ତି। ସମସ୍ତେ ହେଉଛନ୍ତି ବେଲୁଚ୍‌। ବେଲୁଚ୍‌ମାନେ ପାକିସ୍ତାନ ଶାସନାଧୀନ ରହିବାକୁ ଚାହାନ୍ତି ନାହିଁ। ସେମାନେ ପାକିସ୍ତାନରୁ ଅଲଗା ରହିବାକୁ ଯୁଦ୍ଧ ଚଳାଇଛନ୍ତି।

Balochstan

Balochstan

Debendra Prusty
  • Published: Saturday, 01 February 2025
  • , Updated: 01 February 2025, 06:30 PM IST

ଦେବେନ୍ଦ୍ର ପୃଷ୍ଟି

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କାଲାତ ଜିଲ୍ଲା। ଏହି ଜିଲ୍ଲାର ଗୋଟିଏ ସହରର ନାଁ ହେଲା ମଙ୍ଗୋଚେର୍‌। ଏଠାରେ ପ୍ରାୟ ୬୫ ହଜାର ଲୋକ ବସବାସ କରନ୍ତି। ସମସ୍ତେ ହେଉଛନ୍ତି ବେଲୁଚ୍‌। ବେଲୁଚ୍‌ମାନେ ପାକିସ୍ତାନ ଶାସନାଧୀନ ରହିବାକୁ ଚାହାନ୍ତି ନାହିଁ। ସେମାନେ ପାକିସ୍ତାନରୁ ଅଲଗା ରହିବାକୁ ଯୁଦ୍ଧ ଚଳାଇଛନ୍ତି।

୨୦୨୫ ଫେବୃଆରୀ ପହିଲା। ଏହି ଦିନ ମଙ୍ଗୋଚେର୍‌ ସହର ଦେଇ ପାକିସ୍ତାନର ସାମରିକ ଗାଡ଼ିଟିଏ ଯାଉଥିଲା। ରାସ୍ତାରେ ପ୍ରତିବନ୍ଧକ ଥିଲା। ତେଣୁ ଗାଡ଼ି ଠିଆ ହେଲା। ଭିତରେ ଥିଲେ ପାକିସ୍ତାନୀ ଅର୍ଦ୍ଧସାମରିକ ସୀମାନ୍ତ ପ୍ରହରୀ ସେନାର ଅନେକ ଯବାନ। ଦୁର୍ଯୋଗକୁ ସେତେବେଳେ ସେମାନେ ନିରସ୍ତ୍ର ଥିଲେ। ଏହି ସମୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ୭୦-୮୦ ଜଣ ବେଲୁଚ୍‌ ଗରିଲା। ସେମାନେ ସମସ୍ତେ ବେଲୁଚିସ୍ତାନ ମୁକ୍ତି ସେନା ବା ବିଏଲଏର ସଦସ୍ୟ। ସେମାନଙ୍କ ଅତର୍କିତ ଗୁଳିଚାଳନାରେ ଗାଡ଼ିରେ ଥିବା ୧୮ ଜଣ ପାକ୍‌ ସୈନିକ ଘଟଣାସ୍ଥଳରେ ଲୋଟି ପଡ଼ିଲେ। ଗାଡ଼ିରେ ଥିବା ସୈନିକଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ ଓ ମାତ୍ର ୨ ଜଣ କୌଣସି ପ୍ରକାରେ ଅକ୍ଷତ ଅବସ୍ଥାରେ ଖସି ପଳାଇବାକୁ ସକ୍ଷମ ହେଲେ।

ପାକିସ୍ତାନୀ ସେନା ଓ ଅଧିକାରୀଙ୍କ ଉପରେ ବେଲୁଚ ମୁକ୍ତି ବାହିନୀର ଏହା ପ୍ରଥମ ଆକ୍ରମଣ ନୁହେଁ। ବହୁ ବର୍ଷ ହେଲାଣି ସେମାନେ ପାକିସ୍ତାନରୁ ସ୍ୱତନ୍ତ୍ର ହେବା ପାଇଁ ଏହିପରି ଗରିଲା ଯୁଦ୍ଧ ଚଳାଇଛନ୍ତି। ୨୦୨୫ ଜାନୁଆରୀ ମାସରେ ବେଲୁଚିସ୍ତାନରେ ଗୋଟିଏ ବୋମା ବିସ୍ଫୋରଣ ଘଟଣାରେ ୬ ଜଣ ପାକ୍‌ ସେନିକଙ୍କର ମୃତ୍ୟୁ ହୋଇଥିଲା। ସେହି ବିସ୍ଫୋରଣ ପାଇଁ ବେଲୁଚ୍ ମୁକ୍ତି ବାହିନୀ ନିଜକୁ ଦାୟୀ କରିଥିଲା।

୨୦୨୪ ନଭେମ୍ବର ମାସରେ ବେଲୁଚିସ୍ତାନର ରାଜଧାନୀ କ୍ୱେଟାର ମୁଖ୍ୟ ରେଳ ଷ୍ଟେସନରେ ମଧ୍ୟ ବୋମା ମାଡ଼ ହୋଇଥିଲା। ସେହି ଘଟଣାରେ ୨୬ ଜଣ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୪ ଜଣ ପାକ୍‌ ସୈନିକ। ତା’ର ଦୁଇ ମାସ ପୂର୍ବରୁ ଅଗଷ୍ଟ ମାସରେ ବେଲୁଚ୍‌ ମୁକ୍ତି ବାହିନୀର ଏକାଧିକ ଆକ୍ରମଣରେ ପାକିସ୍ତାନର ୩୯ ଜଣ ଯବାନ ପ୍ରାଣ ହରାଇଥିଲେ।

ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବେଲୁଚ ମୁକ୍ତି ସେନା ଆଜିର କଥା ନୁହେଁ। ଏହା ୨୦୦୦ ମସିହାରୁ ନିଜର ଉପସ୍ଥିତି ଜାହିର କଲାଣି। ଏହି ସଂଗଠନଟି ଆଫଗାନିସ୍ତାନରେ ଥିବା ବେଲୁଚ୍‌ ଅଞ୍ଚଳରୁ କାର୍ଯ୍ୟ କରୁଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ସୀମା ଉଭୟ ଆଫଗାନିସ୍ତାନ ଓ ଇରାନକୁ ଲାଗିଛି। ଇରାନରେ ମଧ୍ୟ ବେଲୁଚି ବିଦ୍ରୋହୀମାନେ ସକ୍ରିୟ ଅଛନ୍ତି। ଆଫଗାନିସ୍ତାନରେ ସୋଭିଏଟ୍‌ ୟୁନିଅନର ପ୍ରଭାବ ଥିଲାବେଳେ ବେଲୁଚ୍‌ ବିଦ୍ରୋହୀମାନେ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ୧୯୭୩ରୁ ୧୯୭୭ ମଧ୍ୟରେ ସେମାନେ ସଂଗଠିତ ହେବା ସହିତ ପାକିସ୍ତାନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେତେବେଳେ ଏମାନଙ୍କ ପଛରେ ସୋଭିଏଟ୍‌ ୟୁନିଅନର ଗୁଇନ୍ଦା ସଂସ୍ଥା କେଜିବିର ସମର୍ଥନ ଥିଲା ବୋଲି ଅଭିଯୋଗ ହେଉଥିଲା।

କିନ୍ତୁ ସୋଭିଏଟ୍‌ ୟୁନିଅନ୍‌ ଆଫଗାନିସ୍ତାନ ଛାଡ଼ିବା ପରେ କିଛି କାଳ ପାଇଁ ଏହି ବିଦ୍ରୋହ ଥମି ଯାଇଥିଲା। ମାତ୍ର ପରେ ୨୦୦୦ ମସିହାରେ ସେମାନେ ସଂଗଠିତ ହୋଇ ବେଲୁଚ ମୁକ୍ତି ବାହିନୀ ନାମରେ ଅଭିଯାନ ଚଳାଇଛନ୍ତି। ପାକିସ୍ତାନରୁ ମୁକ୍ତି ନେବା ଲକ୍ଷ୍ୟରେ ବେଲୁଚିସ୍ତାନରେ ଥିବା ଅଣବେଲୁଚ୍‌ମାନଙ୍କୁ ହତ୍ୟା କରିବାକୁ ୨୦୦୯ ମସିହାରେ ସେମାନଙ୍କର ନେତା ବ୍ରହମଦାଘ୍‌ ଖାଁ ବୁଗ୍‌ଟି ଆହ୍ୱାନ ଦେଇଥିଲେ। ସେବେଠାରୁ ବେଲୁଚ୍‌ମାନେ ପାକିସ୍ତାନୀ ନାଗରିକ, ସେନା ଓ ଅଧିକାରୀମାନଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି। ଚୀନ ସରକାର ପାକ୍‌ ସରକାରଙ୍କ ସହଯୋଗରେ ବେଲୁଚିସ୍ତାନରେ ନିର୍ମାଣ କରିଥିବା ଗ୍ୱାଦର ବନ୍ଦର ଉପରେ ଆଧିପତ୍ୟ ଚଳାଇଛି। ଏହାକୁ ମଧ୍ୟ ବେଲୁଚମାନେ ବିରୋଧ କରୁଛନ୍ତି। ଗ୍ୱାଦର ବନ୍ଦରଟି ଆରବ ସାଗର କୂଳରେ ଅବସ୍ଥିତ। ଏହାକୁ ଚାଇନାର ଏକ କମ୍ପାନୀ ପରିଚାଳନା କରୁଛି। ସେହି ବନ୍ଦର ଦେଇ ଚୀନ ଓ ପାକିସ୍ତାନର ଅନେକ ପ୍ରକାର ଖଣିଜ କାରବାର ହେଉଛି। ପାକିସ୍ତାନ ମଧ୍ୟ ଦେଇ ଯାଇଥିବା ଚାଇନା ପାକିସ୍ତାନ ଇକୋନୋମିକ କରିଡର ମୁଖ୍ୟତଃ ଭାବେ ଏହି ଗ୍ୱାଦର ବନ୍ଦରକୁ ସଂଯୋଗ କରୁଛି। ବେଲୁଚ ବିଦ୍ରୋହୀମାନେ ଚୀନର ଆଧିପତ୍ୟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଇତିମଧ୍ୟରେ ସେମାନଙ୍କ ଆକ୍ରମଣରେ ଅନେକ ଚୀନ ନାଗରିକ ପ୍ରାଣ ହରାଇଲେଣି।

ବେଲୁଚ୍‌ ମୁକ୍ତି ବାହିନୀର ଏପରି ହିଂସାତ୍ମକ କାର୍ଯ୍ୟ ପାଇଁ ପାକିସ୍ତାନ ସରକାର ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରିଛନ୍ତି। ଇଂଲଣ୍ଡ, ଆମେରିକା, ଚୀନ ଓ ୟୁରୋପୀୟ ୟୁନିଅନ ମଧ୍ୟ ଏହାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଏପରିକି ଇରାନ୍‌ ମଧ୍ୟ ଏହିପରି ଘୋଷଣା କରିଛି।

ସୋଭିଏଟ୍‌ ରୁଷ ବେଲୁଚ୍‌ ବିଦ୍ରୋହୀଙ୍କୁ ସମର୍ଥନ କରୁଥିବା ସମୟରେ ଇରାକ୍‌ ସରକାର ମଧ୍ୟ ଏହି ସଂଗଠନକୁ ଅସ୍ତ୍ରଶସ୍ତ୍ର ସହାୟତା ଦେଉଥିଲେ। ୧୯୭୩ ମସିହାରେ ପାକିସ୍ତାନୀ ସେନା ଇସଲାମାବାଦରେ ଥିବା ଇରାକୀ ଦୂତାବାସରେ ଅତର୍କିତ ଚଢ଼ାଉ କରି ଏଭଳି କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲଫିକର ଅଲୀ ଭୁଟୋ ଏନେଇ ଭାରତ, ଆଫଗାନିସ୍ତାନ ସୋଭିଏଟ୍‌ ୟୁନିଅନ୍‌ ଓ ଇରାକ ବିରୋଧରେ ଅଭିଯୋଗ କରିଥିଲେ ଓ ଏହି ବିଦ୍ରୋହ ଦମନ କରିବାକୁ ପାକ୍‌ ସେନାକୁ ନିର୍ଦ୍ଦେଶ ଦେଇଥିଲେ।

ତଥାପି, ଏହା ଏଯାଏଁ ଥମି ନାହିଁ। ବରଂ ଅଧିକରୁ ଅଧିକ ସଂଗଠିତ ହେଉଛି ଓ ଅଧିକ ହିଂସାକାଣ୍ଡ ଘଟାଇ ଚାଲିଛି। ଏମାନଙ୍କର ଏକମାତ୍ର ଦାବି ହେଉଛି ପାକିସ୍ତାନରୁ ମୁକ୍ତି। ବେଲୁଚିସ୍ତାନରେ ଥିବା ଖଣିଜ ତଥା ଅନ୍ୟାନ୍ୟ ପ୍ରାକୃତିକ ସଂପଦ ବେଲୁଚ୍‌ମାନଙ୍କ କାମରେ ଲାଗିବା ପରିବର୍ତ୍ତେ ପାକିସ୍ତାନୀଙ୍କ କାର୍ଯ୍ୟରେ ଲାଗିଥିବାରୁ ସେମାନେ ତାହାର ବିରୋଧ କରୁଛନ୍ତି। ପାକ୍‌ ସେନା ବୁଗ୍‌ଟିଙ୍କୁ ହତ୍ୟା କରିବା ପରେ ମଧ୍ୟ ତାଙ୍କର ଅନୁଗତମାନେ ସଂଗଠିତ ହୋଇ ସଶସ୍ତ୍ର ବିଦ୍ରୋହ ଚଳାଇଛନ୍ତି। ୨୦୨୫ ଫେବୃଆରୀ ୧ ତାରିଖର ହିଂସାକାଣ୍ଡ ହେଉଛି ସେହି ମୁକ୍ତି ସଂଗ୍ରାମର ଅନ୍ୟ ଏକ ଅଂଶ।

ଭାରତର ଜମ୍ମୁକଶ୍ମୀରକୁ ଅକ୍ତିଆର କରିବା ପାଇଁ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନ ଏବେ ନିଜ ଦେଶରେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ଥିବା ବେଲୁଚିସ୍ତାନର ଏକ ଶକ୍ତିଶାଳୀ ଗୋଷ୍ଠୀ ପାକିସ୍ତାନ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଥିବାବେଳେ ଉତ୍ତର-ପଶ୍ଚିମ ସୀମାନ୍ତରେ ଥିବା ଖାଇବର ପାଖ୍‌ତୁନ୍‌ଖାୱାରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟିଶ ଶାସନ କାଳରୁ ଏହି ଅଞ୍ଚଳ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ନାମରେ ନାମିତ ଥିଲା। ଏହି ଅଞ୍ଚଳର ନେତା ଥିଲେ ସୀମାନ୍ତ ଗାନ୍ଧୀ ଖାନ୍‌ ଅବ୍ଦୁଲ ଗଫର ଖାଁ। ସୀମାନ୍ତ ଗାନ୍ଧୀ ଭାରତ ବିଭାଜନକୁ ବିରୋଧ କରୁଥିଲେ। ପାକିସ୍ତାନରେ ପାସ୍ତୁନମାନଙ୍କର ସଂସ୍କୃତି ଓ ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେ ଯୁକ୍ତି କରୁଥିଲେ। ତା’ଛଡ଼ା ପାକିସ୍ତାନରେ ମିଶିବା ପାଇଁ ସେ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସକୁ ସହଯୋଗ କରୁନଥିଲେ ବୋଲି ଦାବି କରୁଥିଲେ। ତେବେ ବ୍ରିଟିଶ ସରକାର, କଂଗ୍ରେସ ଓ ମୁସଲିମ ଲିଗ୍‌ର ସହମତିରେ ଭାରତ ବିଭାଜନ ହେଲା ଓ ଗଫର ଖାଁ ବିଶ୍ୱାସଘାତର ଶିକାର ହେଲେ ବୋଲି ଅନୁଭବ କରି ବିଭାଜନକୁ ବାଧ୍ୟବାଧକତା ବଶତଃ ମାନିଥିଲେ। ଇତିମଧ୍ୟରେ ବିତି ଯାଇଥିବା ୭୭ ବର୍ଷର ଅନୁଭବ ପରେ ଖାଇବର ପାଖ୍‌ତୁନ୍‌ଖାୱାରେ ମଧ୍ୟ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ପାସ୍ତୁନମାନେ ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଅଭିଯାନ ଆରମ୍ଭ କରିଛନ୍ତି। ସେପଟେ ଭାରତଠାରୁ କପଟତାର ସହିତ ଛଡ଼ାଇ ନେଇଥିବା କାଶ୍ମୀର ଅଂଶ ବା ପାକ୍‌ ଅଧିକୃତ କାଶ୍ମୀରରେ ମଧ୍ୟ ଅସନ୍ତୋଷ ବ୍ୟାପିବାରେ ଲାଗିଲାଣି। ସେଠା ଲୋକମାନେ ଆଜାଦ କାଶ୍ମୀର ପାଇଁ ସ୍ୱର ଉତ୍ତୋଳନ କଲେଣି। ସେମାନେ ପାକିସ୍ତାନର ଏକ ପ୍ରଦେଶ ହେବାକୁ ଭାରତରୁ ଅଲଗା ହେବାକୁ ଚାହିଁ ନଥିଲେ ବୋଲି ଦାବି କଲେଣି। ପାକିସ୍ତାନ ସେନା ସେଠାରେ ଚଳାଇଥିବା ଅତ୍ୟାଚାରକୁ ସେଠା ଲୋକେ ଆଉ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି। ତେଣୁ ସେମାନେ ସେଠାକାର ସରକାର ବିରୋଧରେ ସଶକ୍ତ ଆନ୍ଦୋଳନ ଜରିଆରେ ଜନମତ ସଂଗଠିତ କଲେଣି।

ଏହି ପରିସ୍ଥିତିରେ ପାକିସ୍ତାନରୁ ଆଗ କେଉଁ ପ୍ରଦେଶ ଅଲଗା ହେଉଛି ବା ପାକ୍‌ ସେନା ସମସ୍ତ ବିଦ୍ରୋହକୁ ଦମନ କରିବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ଅଛି।

Related story