Advertisment

ଟି-ଟ୍ୱେଣ୍ଟି ଫର୍ମାଟରେ ବିରଳ ରେକର୍ଡ: 9 ବଲରେ ଦ୍ରୁତତମ ଅର୍ଦ୍ଧଶତକ, 20 ଓଭରରେ 314 ରନ୍

2019ରେ ଆଫଗାନିସ୍ତାନ ଆୟରଲ୍ୟାଣ୍ଡ ବିପକ୍ଷକରେ 278/3 ରନ୍ କରିଥିଲା। ଏହାକୁ ଅତିକ୍ରମ କରି ନେପାଳ 314/3 ବିଶାଳ ସ୍କୋରରେ ପହଞ୍ଚିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Dipendra Singh Airee

Dipendra Singh Airee

ଚାଇନାର ହାଙ୍ଗଝୌରେ ଆୟୋଜିତ ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ନାମେଣ୍ଟରେ ଇତିହାସ ରଚିଲା ନେପାଳ। କେବଳ ଏସିଆନ୍ ଗେମ୍ସ କ୍ରିକେଟ୍ ନୁହେଁ ପୂରା ଟି-ଟ୍ୱେଣ୍ଟି ଫର୍ମାଟରେ ବିରଳ ରେକର୍ଡ କରିଛି ନେପାଳ ଟିମ୍। ମାତ୍ର 20 ଓଭରରେ 3 ୱିକେଟ ହରାଇ ଦଳ କରିଛି 314 ରନ୍।

Advertisment

ଟି-ଟ୍ୱେଣ୍ଟି ଫର୍ମାଟରେ ଏହି ଲମ୍ୱା ସ୍କୋର୍ କରି କ୍ରିକେଟ ପ୍ରେମୀଙ୍କୁ ତାଜୁବ କରିଦେଇଛି ନେପାଳ ଟିମ୍। ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ନେପାଳର ଏହି ରେକର୍ଡ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। 2019ରେ ଆଫଗାନିସ୍ତାନ ଆୟରଲ୍ୟାଣ୍ଡ ବିପକ୍ଷକରେ 278/3 ରନ୍ କରିଥିଲା। ଏହାକୁ ଅତିକ୍ରମ କରି ନେପାଳ 314/3 ବିଶାଳ ସ୍କୋରରେ ପହଞ୍ଚିଛି। 

ଆଫଗାନିସ୍ତାନ ନିଜ ଇନିଂସରେ ମୋଟ 22 ଛକା ମାରିଥିବା ବେଳେ ନେପାଳ 26 ଛକା ମାରି ଏହି ରେକର୍ଡକୁ ବି ଅତିକ୍ରମ କରିଛି। ସେହିପରି ଟିମ୍ ପ୍ଲେୟର୍ ମଧ୍ୟ ବ୍ୟକ୍ତିଗତ କୀର୍ତ୍ତିମାନ ହାସଲ କରିଛନ୍ତି। ନେପାଳ ଅଲରାଉଣ୍ଡର ଦିପେନ୍ଦ୍ର ସିଂହ ଏରି ମାତ୍ର 9 ବଲରେ ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

Advertisment

ପୂର୍ବରୁ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଆଇସିସି ଟି-20 ବିଶ୍ୱକପ 2007ରେ ଇଂଲଣ୍ଡ ବିପକ୍ଷରେ 12 ବଲରେ 50 ରନ୍ କରିଥିଲେ। ଏହି ପାଳିରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ 6 ଛକା ମାରି କିମ୍ବଦନ୍ତୀ ପ୍ଲେୟର୍ ସାଜିଥିଲେ। ବର୍ତ୍ତମାନ ଦିପେନ୍ଦ୍ର ଯୁବରାଜଙ୍କ ଦ୍ରୁତତମ ଅର୍ଦ୍ଧଶତକୀୟ ପାଳି ରେକର୍ଡକୁ ବି ଅତିକ୍ରମ କରି ଯାଇଛନ୍ତି। ଏହି ମ୍ୟାଚରେ ଏରି ମାତ୍ର 10 ବଲରେ ଅପରାଜିତ 52 ରନ୍ ସଂଗ୍ରହ କରିଛନ୍ତି। 

ଏହି ମ୍ୟାଚରେ ନେପାଳର ଷ୍ଟ୍ରାଇକ୍ ହାର 520 ମଧ୍ୟ ଟି-20 ଇନିଂସରେ ଶ୍ରେଷ୍ଠତମ। ସେହିପରି ଟିମର କୁଶଲ ମଲ୍ଲା ମଧ୍ୟ ଭାରତର ରୋହିତ ଶର୍ମା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ପରି ଟି-20 ଫର୍ମାଟରେ ଦ୍ରୁତତମ ଶତକୀୟ ପାଳି ଖେଳିଛନ୍ତି। କୁଶଲ ମାତ୍ର 34 ବଲରେ ଶତକ କରିଛନ୍ତି। ସେ ଏହି ମ୍ୟାଚରେ ଅପରାଜିତ ରହି ମାତ୍ର 50 ବଲରେ 137 ରନ୍ ସଂଗ୍ରହ କରିବାର କୀର୍ତ୍ତି ହାସଲ କରିଛନ୍ତି। ତାଙ୍କର ବ୍ୟକ୍ତିଗତ 8ଟି ଚୌକା ଏବଂ 12 ଛକା ରହିଛି।

ସେପଟେ 315 ରନର ବିଶାଳ ସ୍କୋରକୁ ପିଛା କରି ମାଟି କାମୁଡିଛି ମୋଙ୍ଗୋଲିଆ। ମାତ୍ର 41 ରନରେ ଦଳ ସମସ୍ତ ୱିକେଟ ହରାଇ ଶୋଚନୀୟ ଭାବେ ପରାଜିତ ହୋଇଛି। ଫଳରେ 273 ରନରେ ଏହି ମ୍ୟାଚକୁ ଜିତି ନେଇଛି ନେପାଳ। 

Asian Games 2023 Cricket Games Sports Dipendra Singh Kushal Malla Nepal T-20 Record T-20 Asian Games Cricket