ଭାରତ-ପାକିସ୍ତାନ
ପୁଣି ଗୋଟିଏ ରବିବାର। ଆଉ ଏଇ ରବିବାରରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଗ୍ରୁପ ଓ ସୁପର ୪ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଏସିଆ କପ ଫାଇନାଲରେ ଟ୍ରଫି ପାଇଁ ଲଢ଼େଇ କରିବେ।
ଏସିଆ କପ(Asia Cup)ର ୪୧ ବର୍ଷର ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ଫାଇନାଲରେ ଲଢ଼େଇ କରିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଗୁରୁବାର ନିଜର ଶେଷ ସୁପର ୪ ମୁକାବିଲାରେ ପାକିସ୍ତାନ ୧୧ ରନରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଏବେ ରବିବାର ଭାରତ ସହ ପାକିସ୍ତାନ ଟ୍ରଫି ପାଇଁ ମ୍ୟାଚ୍ ଖେଳିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଏହି ମହାମୁକାବିଲା ପାଇଁ ପୂରା ପ୍ରସ୍ତୁତ।
କ୍ରିକେଟ(Cricket) ଇତିହାସରେ ଭାରତ ଓ ପାକିସ୍ତାନ(India Vs Pakistan) ବହୁ ଦେଶୀୟ ଟୁର୍ଣ୍ଣାମେଣ୍ଟର ୫ଟି ଫାନାଲରେ ମୁହାଁମୁହିଁ ହୋଇଛନ୍ତି। ଏହି ୫ଟି ଫାଇନାଲରୁ ପାକିସ୍ତାନ ୩ଟିରେ ଜିତିବାକୁ ସକ୍ଷମ ହୋଇଛି। ପ୍ରଥମଥର ପାଇଁ ଦୁଇ ଦେଶ ୧୯୮୪-୮୫ ମସିହାରେ ଖେଳା ଯାଇଥିବା ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ପରସ୍ପରକୁ ଟକ୍କର ଦେଇଥିଲେ। ଏହି ଫାଇନାଲକୁ ଭାରତ ୮ ୱିକେଟରେ ଜିତି ନେଇଥିଲା।
୧୯୮୬ ମସିହା ଅଷ୍ଟ୍ରାଲ-ଏସିଆ କପ ଫାଇନାଲରେ ଜାଭେଦ ମିଆଁଦାଦ ଶେଷ ବଲରେ ଛକା ମାରି ଭାରତକୁ ହରାଇ ଦେଇଥିଲେ। ୧୯୯୪ ମସିହା ଅଷ୍ଟ୍ରାଲ-ଏସିଆ କପ ଫାଇନାଲରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚ୍କୁ ମଧ୍ୟ ପାକିସ୍ତାନ ୩୯ ରନରେ ଜିତିଥିଲା। ୨୦୦୭ ମସିହା ଟି-୨୦ ବିଶ୍ୱକପ ଫାଇନାଲରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ ହୋଇଥିଲା। ଏଥିରେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ୫ ରନରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା।
ଶେଷଥର ପାଇଁ ଦୁଇ ଦଳ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଲଢ଼େଇ କରିଥିଲେ। ଏହି ମ୍ୟାଚ୍କୁ ପାକିସ୍ତାନ ୧୮୦ ରନରେ ଜିତି ନେଇଥିଲା। ଅର୍ଥାତ ଏଯାଏ ଖେଳା ଯାଇଥିବା ୫ଟି ଫାଇନାଲରୁ ଭାରତ ୨ଟି ଓ ପାକିସ୍ତାନ ୩ଟି ଜିତିଛି। ଏଥର ଏସିଆ କପ ଜିତି ଭାରତ ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିବ।
ଏସିଆ କପରେ ଭାରତ ସବୁଠାରୁ ସଫଳ ଟିମ। ୧୯୮୪ରୁ ଏସିଆ କପ ଆରମ୍ଭ ହୋଇଥିବା ବେଳେ ୨୦୨୫ ହେଉଛି ଏହି ଟୁର୍ଣ୍ଣାମେଣ୍ଟର ୧୭ତମ ସଂସ୍କରଣ। ଭାରତ ୮ ଥର ଟ୍ରଫି ଜିତିଥିବା ବେଳେ ପାକିସ୍ତାନ ୨ ଥର ଚାମ୍ପିୟନ ହୋଇଛି। ହେଲେ ୪୧ ବର୍ଷର ଇତିହାସ ମଧ୍ୟରେ କେବେ ହେଲେ ଭାରତ ଓ ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହୋଇ ନଥିଲେ।
ଏବେ ସେହି ସମୟ ଆସି ଯାଇଛି। ସେପ୍ଟେମ୍ବର ୨୮ରେ ଭାରତ ଓ ପାକିସ୍ତାନ ଫାଇନାଲରେ ଲଢ଼େଇ କରିବେ।
୧୯୮୪ରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ୧୯୮୬ରେ ଶ୍ରୀଲଙ୍କା ୫ ୱିକେଟରେ ପାକିସ୍ତାନକୁ ହରାଇଥିଲା। ୧୯୮୮ରେ ଭାରାତ ୬ ୱିକେଟରେ ଶ୍ରୀଲଙ୍କାକୁ, ୧୯୯୦/୯୧ରେ ଶ୍ରୀଲଙ୍କାରକୁ ୮ ୱିକେଟରେ, ୧୯୯୫ରେ ସେହି ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଟ୍ରଫି ଜିତିବାରେ ହ୍ୟାଟ୍ରିକ ହାସଲ କରିଥିଲା।
୧୯୯୭ରେ ଶ୍ରୀଲଙ୍କା ୮ ୱିକେଟରେ ଭାରତକୁ ହରାଥିଲା। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା ପାକିସ୍ତାନ ଫାଇନାଲରେ ଦଳ ଶ୍ରୀଲଙ୍କାକୁ ୩୯ ରନରେ ହରାଇଥିଲା। ୨୦୦୪ ଓ ୨୦୦୮ରେ ଶ୍ରୀଲଙ୍କା ଯଥାକ୍ରମେ ୨୫ ଓ ୧୦୦ ରନରେ ଭାରତକୁ ହରାଇ ଟାଇଟଲ ହାସଲ କରିଥିଲା।
୨୦୧୦ରେ ଭାରତ ପୁଣି ୮୧ ରନରେ ଶ୍ରୀଲଙ୍କାକୁ ହରାଇଥିଲା। ୨୦୧୨ରେ ପାକିସ୍ତାନ ମାତ୍ର ୨ ରନରେ ବାଂଲାଦେଶକୁ ହରାଇ ଏସିଆ କପ ଜିତିଥିଲା। ୨୦୧୪ରେ ଶ୍ରୀଲଙ୍କା ୫ ୱିକେଟରେ ପାକିସ୍ତାନକୁ ହରାଇଥିଲା।
୨୦୧୬ରେ ପ୍ରଥମଥର ପାଇଁ ଟି-୨୦ ଫର୍ମାଟରେ ଖେଳା ଯାଇଥିଲା ଏସିଆ କପ। ଏହାର ଫାଇନାଲକୁ ଭାରତ ୮ ୱିକେଟରେ ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିଥିଲା। ୨୦୧୮ରେ ଦିନିକିଆ ଫର୍ମାଟରେ ଖେଳା ଯାଇଥିବା ଏସିଆ କପ ଫାଇନାଲରେ ଭାରତ ୩ ୱିକେଟରେ ବାଂଲାଦେଶକୁ ହରାଇଥିଲା।
୨୦୨୨ରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ଓ ୨୦୨୩ରେ ଭାରତ ୧୦ ୱିକେଟରେ ଶ୍ରୀଲଙ୍କାକୁ ହରାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/26/asia-cup-2025-09-26-13-33-12.jpg)