Advertisment

ଏସୀୟ କ୍ରୀଡ଼ା: ରୌପ୍ୟ ପଦକ ଜିତିବା ସହ ଇତିହାସ ରଚିଲେ ଅଦିତି

ଆଜି ଭାରତକୁ ଶୁଟିଂରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Aditi Ashok

Aditi Ashok

ଚୀନର ହାଙ୍ଗଝୌ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ଇତିହାସ ରଚିଛନ୍ତି ଭାରତର ଗଲ୍‌ଫ ଖେଳାଳି ଅଦିତି ଅଶୋକ। ପ୍ରଥମ ଭାରତୀୟ ମହିଳା ଗଲ୍‌ଫ ଖେଳାଳି ଭାବେ ସେ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଗଲ୍‌ଫ ଖେଳାଳି ଏସୀୟ କ୍ରୀଡ଼ାରେ ପଦକ ଜିତି ନଥିଲେ। 

Advertisment

ରବିବାର ଗଲ୍‌ଫର ମହିଳା ଏକକ ବର୍ଗରେ ଅଦିତି ଦ୍ୱିତୀୟ ସ୍ଥାନରେ ରହି ଜିତିଛନ୍ତି ରୌପ୍ୟ ପଦକ। ଏହି ଇଭେଣ୍ଟରେ ଥାଇଲ୍ୟାଣ୍ଡର ଅର୍ପିଚୟ ୟୁବୋଲ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଦକ୍ଷିଣ କୋରିଆର ହିୟୁଞ୍ଜୋ ୟୋ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅଦିତିଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଯାଇଛି। ଏସୀୟ କ୍ରୀଡ଼ାରେ ଗଲ୍‌ଫରେ ଏକକ ବର୍ଗରେ ପଦକ ଜିତିବାରେ ଅଦିତି ଅଶୋକ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହା ପୂର୍ବରୁ ୨୦୦୨ରେ ବୁସାନ ଏସୀୟ କ୍ରୀଡ଼ାରେ ଶିବ କପୁର ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Advertisment

ଏସୀୟ କ୍ରୀଡ଼ା ଇତିହାସରେ ଭାରତ ବର୍ତ୍ତମାନ ସୁଦ୍ଧା ଗଲ୍‌ଫରେ ୭ଟି ପଦକ ଜିତିଛି। ତା’ ମଧ୍ୟରେ ରହିଛି ୩ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ। ଶେଷଥର ପାଇଁ ୨୦୧୦ ଗୁଆନ୍‌ଝୁ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଗଲ୍‌ଫରେ ପଦକ ଜିତିଥିଲେ ରାହୁଲ ବଜାଜ, ଅଭିଜିତ ସିଂହ ଚଢ଼ା, ରଶିଦ ଖାନ ଓ ଅଭିନବ ଲୋହାନଙ୍କୁ ନେଇ ଗଠିତ ଟିମ୍। ଟିମ୍ ଇଭେଣ୍ଟରେ ସେମାନେ ରୌପ୍ୟ ପଦକ ଜିତିଥିଲେ। ଆଉ ଏହାର ୧୩ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଗଲ୍‌ଫରେ ପୁଣି ପଦକ ଜିତିଛି ଭାରତ।

ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୧ରେ ପହଞ୍ଚି ଯାଇଛି। ତା’ ମଧ୍ୟରେ ୧୧ଟି ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ ସହିତ ୧୪ଟି ବ୍ରୋଞ୍ଚ ପଦକ ରହିଛି।

ଆଜି ଭାରତକୁ ଶୁଟିଂରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି। ଶୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ମହିଳା ଟ୍ରାପ୍ ଇଭେଣ୍ଟରେ ରୌପ୍ୟ ପଦକ ମିଳିଛି।

Asian Games Golf Aditi Ashok