ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ଇତିହାସ ରଚିଛନ୍ତି ମେଘାଳୟର ଆକାଶ ଚୌଧୁରୀ। ପ୍ରଥମ-ଶ୍ରେଣୀ କ୍ରିକେଟ୍ ଇତିହାସରେ ମାରିଛନ୍ତି ଦ୍ରୁତତମ ଅର୍ଦ୍ଧଶତକ। ତା’ ସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ଲଗାତାର ୮ଟି ଛକା ମାରିବାରେ ବନି ଯାଇଛନ୍ତି ପ୍ରଥମ ଖେଳାଳି।
ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ମାତ୍ର ୧୧ଟି ବଲ୍ରେ ଅର୍ଦ୍ଧଶତକ (୫୦) କରିଛନ୍ତି ୨୫ ବର୍ଷୀୟ ଆକାଶ। ଏହା ସହିତ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଇଂଲଣ୍ଡର ୱେନ୍ ହ୍ୱାଇଟଙ୍କ ରେକର୍ଡ ଭାଙ୍ଗିଛନ୍ତି। ୱେନ୍ ୨୦୧୨ରେ ଲେଷ୍ଟେଶର ତରଫରୁ ଏସେକ୍ସ ବିପକ୍ଷରେ ୧୨ ବଲ୍ରେ ଅର୍ଦ୍ଧଶତକ କରିଥିଲେ।
ଆକାଶଙ୍କ ପୂର୍ବରୁ ରଣଜୀ ଟ୍ରଫିରେ ଦ୍ରୁତ ଅର୍ଦ୍ଧଶତକ ମାରିଥିଲେ ଜମ୍ମୁ ଓ କଶ୍ମୀରର ବନ୍ଦୀପ ସିଂହ। ୨୦୧୫ରେ ଅଗରତାଲାରେ ତ୍ରିପୁରା ବିପକ୍ଷରେ ସେ ୧୫ଟି ବଲ୍ରୁ ୫୦ ରନ୍ କରିଥିଲେ।
ଆଜି ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଆକାଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଲଗାତାର ୮ଟି ଛକା ମାରିଥିଲେ। ସେ ଲିମାର ଡାବିଙ୍କ ଓଭରରେ ୬ଟି ଛକା ମାରିଥିଲେ। ଅର୍ଥାତ୍ ଛଅଟି ବଲ୍ରେ ମାରିଥିଲେ ୬ଟି ଛକା। ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିବାରେ ଆକାଶ ହେଉଛନ୍ତି ତୃତୀୟ ଖେଳାଳି। ତାଙ୍କ ପୂର୍ବରୁ ଏହି ରେକର୍ଡ ରବି ଶାସ୍ତ୍ରୀ ଓ ୱେଷ୍ଟ ଇଣ୍ଡିଜର ଗ୍ୟାରୀ ସୋବର୍ସଙ୍କ ନାଁରେ ରହିଛି। ରଣଜୀ ଟ୍ରଫିରେ ଗୋଟିଏ ଓଭରରେ ୬ଟି ଛକା ମାରିବାରେ ରବି ଶାସ୍ତ୍ରୀଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଖେଳାଳି।
ଆଜି ୧୪ଟି ବଲ୍ରେ ୫୦ ରନ୍ କରି ଅପରାଜିତ ରହିଥିଲେ ଆକାଶ। ସେ ୫୦ ରନ୍ରେ ପହଞ୍ଚିଥିବା ବେଳେ ମେଘାଳୟ ତା’ର ଇଂନିସ ଘୋଷଣା କରି ଦେଇଥିଲା। ଦଳ ୬ ୱିକେଟ୍ ହରାଇ ୬୨୮ ରନ୍ କରିଥିଲା। ଜବାବରେ ଅରୁଣାଚଳ ପ୍ରଦେଶ ୭୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆକାଶ ଚୌଧୁରୀ ମଧ୍ୟ ଗୋଟିଏ ୱିକେଟ୍ ପାଇଥିଲେ। ମେଘାଳୟ ଫଲୋ-ଅନ୍ ଦେବା ପରେ ଅରୁଣାଚଳ ପ୍ରଦେଶ ପୁଣି ବ୍ୟାଟିଂ କରିଥିଲା। ଆଉ ଖେଳ ଶେଷ ହେବା ବେଳକୁ ଦଳ ୩ଟି ୱିକେଟ୍ ହରାଇ ୨୯ ରନ୍ କରିଥିଲା। ଏହି ୩ଟି ୱିକେଟ୍ ମଧ୍ୟରୁ ଆକାଶ ୨ଟି ନେଇଛନ୍ତି।
ସୂଚନାଯୋଗ୍ୟ, ଆକାଶ ଚୌଧୁରୀ ତାଙ୍କର ୩୧ତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଛନ୍ତି। ଏହା ପୂର୍ବରୁ ସେ ୧୪.୩୭ ହାରରେ ୫୦୩ ରନ୍ କରିଛନ୍ତି। ତା’ ମଧ୍ୟରେ ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୮୭ଟି ୱିକେଟ୍ ନେଇଛନ୍ତି। ସେ ୨୮ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି। ତା’ ସହିତ ୩୦ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଲିଷ୍ଟ ଏ’ରେ ୩୭ ଓ ଟି-ଟ୍ୱେଣ୍ଟିରେ ୨୮ଟି ୱିକେଟ୍ ନେଇଛନ୍ତି ଆକାଶ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/09/akash-2025-11-09-19-36-31.jpg)