Advertisment

ଅପ୍ରତ୍ୟାଶିତ କମବ୍ୟାକ ସହ ଐତିହାସିକ ବିଜୟ: ରେକର୍ଡ ବୁକ୍‌ରେ କାର୍ଲୋସ ଆଲକାରାଜ

୨୦୦୮ରେ ନାଡାଲ ୱିମ୍ବେଲଡନରେ ରୋଜର ଫେଡେରରଙ୍କୁ ହରାଇ ନିଜର ୫ମ ଗ୍ରାଣ୍ଡ ସ୍ଲାମ ଜିତିଥିଲେ। ଏହି ସମୟରେ ତାଙ୍କୁ ୨୨ ବର୍ଷ ୧ ମାସ ଓ ୩ ଦିନ ବୟସ ହୋଇଥିଲା।

author-image
Hemant Lenka
Alcaraz

Alcaraz

ଅପ୍ରତ୍ୟାଶିତ। ଆଶ୍ଚର୍ଯ୍ୟଜନକ ଓ ଐତିହାସିକ। ଟେନିସ ଜଗତର ନୂଆ ତଥା ଯୁବ ତାରକା ହେଉଛନ୍ତି କାର୍ଲୋସ ଆଲକାରଜ। ରବିବାର ଫ୍ରେଞ୍ଚ ଓପନ୍ ଫାଇନାଲ୍‌ର ଆଲକାରାଜ୍‌ ଯାହା କରିଛନ୍ତି, ତା’କୁ ବର୍ଷ ବର୍ଷ ଧରି ସମସ୍ତେ ମନେ ରଖିବେ। କାରଣ ସେ ମ୍ୟାଚ୍‌ରେ କେବଳ ଜବରଦସ୍ତ କମବ୍ୟାକ କରି ନାହାନ୍ତି, ବରଂ ଐତିହାସିକ ବିଜୟ ମଧ୍ୟ ହାସଲ କରିଛନ୍ତି। ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ସେ ନାଟକୀୟ ଭାବେ ହରାଇ ଦେଇଛନ୍ତି।

Advertisment

ଫାଇନାଲରେ ଆଲକାରାଜ୍‌ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍‌ରେ ସିନ୍ନରଙ୍କୁ ପରାସ୍ତ କରି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ଗତବର୍ଷ ଏଠାରେ ନିଜର ପ୍ରଥମ ଟ୍ରଫି ଜିତିଥିବା ଆଲ୍‌କାରାଜ୍‌ଙ୍କ କ୍ୟାରିୟର୍‌ର ଏହା ପଞ୍ଚମ ଗ୍ରାଣ୍ଡ୍ ସ୍ଲାମ୍।

ଦ୍ୱିତୀୟ ସିଡ୍ ତଥା ସ୍ପେନ୍‌ ତାରକା ୨୨ ବର୍ଷୀୟ ଆଲ୍‌କାରାଜ୍‌ ଫ୍ରେଞ୍ଚ ଓପନ୍ ଫାଇନାଲ୍‌ରେ ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ ହୋଇଥିଲେ। ପ୍ରଥମ ଦୁଇ ସେଟ୍‌କୁ ହାରିବା ପରେ ପରବର୍ତ୍ତୀ ତିନି ସେଟ୍‌ ଜିତି ସିନ୍ନରଙ୍କ ହାତରୁ ସେ ଟ୍ରଫି ଛଡ଼ାଇ ନେଇଥିଲେ। ସେ ମଧ୍ୟ ତିନିଟି ଚାମ୍ପିୟନ୍‌ଶିପ୍‌ ପଏଣ୍ଟ୍‌ ବଞ୍ଚାଇ ଫ୍ରେଞ୍ଚ୍ ଓପନ୍ ଜିତିବାରେ ପ୍ରଥମ ଖେଳାଳି ହେବାର ଐତିହାସିକ ସଫଳତା ଲାଭ କରିଥିଲେ।

Advertisment

ଏଥିସହ ସିନ୍ନରଙ୍କ ପ୍ରଥମ ଫ୍ରେଞ୍ଚ ଓପନ୍ ବିଜୟ ସ୍ୱପ୍ନକୁ ମଧ୍ୟ ସେ ଭାଙ୍ଗି ଚୂରମାର୍ କରି ଦେଇଛନ୍ତି। ରବିବାର ଫାଇନାଲ୍‌ର ୫ଟିରୁ ତିନିଟି ସେଟର ଫୈସାଲା ଟାଇବ୍ରେକର ଜରିଆରେ ହେବା ମଧ୍ୟ ବିରଳ ଘଟଣା। ଦୀର୍ଘ ୫ ଘଣ୍ଟା ୨୯ ମିନିଟ ଧରି ଧୂଷର ରଙ୍ଗର କୋର୍ଟରେ ଲଢ଼େଇ କରିବା ପରେ ଆଲକାରାଜ୍‌ ରୋନାଲ୍ଡ ଗ୍ରାସୋରେ ବିଜୟ ହୋଇପାରିଛନ୍ତି।

ବିଜୟ ପରେ କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି ଆଲକାରାଜ। ପଛରେ ପଡ଼ିଥିବା ଆଲକାରାଜ ନିଜର ୫ମ ଗ୍ରାଣ୍ଡସ୍ଲାମ ରବିବାର କରାୟତ କରିଛନ୍ତି। ଏହି ବିଜୟ ସହ ସେ ନିଜର ଆଦର୍ଶ ନାଡାଲଙ୍କ ସମକକ୍ଷ ହୋଇପାରିଛନ୍ତି। ୨୦୦୮ରେ ନାଡାଲ ୱିମ୍ବେଲଡନରେ ରୋଜର ଫେଡେରରଙ୍କୁ ହରାଇ ନିଜର ୫ମ ଗ୍ରାଣ୍ଡ ସ୍ଲାମ ଜିତିଥିଲେ। ଏହି ସମୟରେ ତାଙ୍କୁ ୨୨ ବର୍ଷ ୧ ମାସ ଓ ୩ ଦିନ ବୟସ ହୋଇଥିଲା। ସମାନ ବୟସରେ ଆଲକାରାଜ ମଧ୍ୟ ନିଜର ୫ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି।

ବିଜୟ ପରେ ଆଲକାରାଜ କହିଛନ୍ତି ଯେ ଏପରି ରେକର୍ଡ ସବୁ ଦିନ ପାଇଁ ତାଙ୍କ ଜୀବନରେ ପ୍ରମୁଖ ହୋଇ ରହିବ। ଫ୍ରେଞ୍ଚ ଓପନକୁ ଏକାଧିକ ଥର ଜିତି ରେକର୍ଡ କରିଥିବା ନାଡାଲଙ୍କ ସହ ସମକକ୍ଷ ହେବା ତାଙ୍କ ପାଇଁ ଗୋଟିଏ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।

ସେହିପରି ୨ଟି ସେଟ ପଛରେ ରହିବା ପରେ ଓ ୩ଟି ଚାମ୍ପିୟନଶିପକୁ ଅଟକାଇବା ପରେ ବିଜୟ ହାସଲ କରିବାର ଶ୍ରେୟ ସେ ରୋନାଲ୍ଡ ଗ୍ରାସୋରେ ଥିବା ଦର୍ଶକଙ୍କୁ ଦେଇଛନ୍ତି। ଫ୍ରେଞ୍ଚ ଓପନ ଜିତିଥିବା ଆଲକାରାଜ ଏବେ ୱମ୍ବେଲଡନରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Tennis Carlos Alcaraz