Advertisment

ଏସିଆନ ଗେମ୍ସ: ଭାରତ ପାଇଁ ଅନୁଶ ଜିତିଲେ ଐତିହାସିକ ବ୍ରୋଞ୍ଜ

ଭାରତ ପାଇଁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ୨୪ ବର୍ଷୀୟ ଅନୁଶ ଅଗ୍ରୱାଲ।

author-image
Hemant Lenka
ଅଦ୍ୟତନ ହୋଇଛି
Asian Games

Asian Games

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ଆଜି ଆଉ ଗୋଟିଏ ପଦକ ମିଳିଛି। ଅଶ୍ୱଚାଳନାର ଡ୍ରେସେଜ(ବ୍ୟକ୍ତିଗତ) ଇଭେଣ୍ଟରେ ଭାରତ ଜିତିଛି ଐତିହାସିକ ବ୍ରୋଞ୍ଜ।

Advertisment

ଭାରତ ପାଇଁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ୨୪ ବର୍ଷୀୟ ଅନୁଶ ଅଗ୍ରୱାଲ। ଭାରତକୁ କେବେ ହେଲେ ବି ଆଜି ଯାଏ ଏସିଆନ ଗେମ୍ସରେ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ ପଦକ ମିଳି ନଥିଲା। ହେଲେ ଅନୁଶ ଓ ତାଙ୍କ ଘୋଡ଼ା ଇଟ୍ରୋ ଚମତ୍କାର ପ୍ରଦର୍ଶନ କରି ପଦକ କବଜା କରିଛନ୍ତି।

ଏହାପୂର୍ବରୁ ଭାରତକୁ ଡ୍ରେସେଜର ଟିମ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ମିଳିଥିଲା। ଏହି ଟିମରେ ଅନୁଶଙ୍କ ସହ ହୃଦୟ ଛେଡା, ଦିବ୍ୟାକ୍ରୀତି ସିଂହ ଓ ସୁଦିପ୍ତି ହାଜେଲ ରହିଥିଲେ। ଏମାନେ ମିଳିତ ଭାବେ ଅଶ୍ୱଚାଳନାରେ ଦୀର୍ଘ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଭେଟି ଦେଇଥିଲେ।

Advertisment

ଏସିଆନ ଗେମ୍ସ ଇତିହାସରେ ଭାରତ ଅଶ୍ୱଚାଳନାରେ ଏହାକୁ ମିଶାଇ ୧୪ଟି ପଦକ ଜିତିଛି। ଏହା ମଧ୍ୟରେ ଡ୍ରେସେଜ ଇଭେଣ୍ଟକୁ ମିଶାଇ ୪ଟି ସ୍ୱର୍ଣ୍ଣ ରହିଛି।

ଆଜି ୧୫ ଜଣଙ୍କୁ ନେଇ ଖେଳା ଯାଉଥିବା ଡ୍ରେସେଜ ଇଭେଣ୍ଟ ଫାଇନାରେ ଅନୁଶ ଅଗ୍ରୱାଲ ତାଙ୍କ ଘୋଡ଼ା ଇଟ୍ରୋ ଦମଦାର ପ୍ରଦର୍ଶନ କରିଥିଲେ। ଫାଇନାଲରେ ଭାରତୀୟଙ୍କ ପାଇଁ ଜୟ ହୋ ମ୍ୟୁଜିକ ବାଜିଥିଲା। ତା’ର ତାଳେତେଳେ ଇଟ୍ରୋ ଓ ଅନୁଶ ନିଜ ଜଲୱା ଦେଖାଇଥିଲେ। ଅନୁଶ ଓ ଇଟ୍ରୋ ମିଳିତ ଭାବେ ୬୯.୯୦୦ ଟେକ୍ନିକାଲ ପ୍ରତିଶତ ପାଇଥିବା ବେଳେ ଆର୍ଟିଷ୍ଟିକରେ ସେମାନଙ୍କୁ ୭୬.୧୬୦ ପଏଣ୍ଟ ମିଳିଥିଲା।

ଶେଷରେ ମୋଟ ସ୍କୋର ୭୩.୦୩୦ ପଏଣ୍ଟ ସହ ଅନୁଶ ଓ ଇଟ୍ରୋ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ କବଜା କରିଛନ୍ତି। ୭୫.୮୦ ସହ ମାଲେସିୟାର ମହମ୍ମଦ ବିନ ଫତିଲ ଓ ତାଙ୍କ ଘୋଡ଼ା ରୋସେନଷ୍ଟୋଲଜ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ହଂକଂର ୱିଙ୍ଗ ୟିଙ୍ଗ ରୌପ ପଦକ ହାତେଇଛନ୍ତି।

ଆଜିର ପଦକୁ ମିଶାଇ ଏସିଆନ ଗେମ୍ସରେ ଭାରତର ମେଡାଲ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏଥିରେ ୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ରହିଛି।

Asian Championships Asian Games Update