Advertisment

ଏସିଆ କପ୍‌: ଧୋନିଙ୍କ ଉପରେ ନିର୍ଭର କରିବ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର୍‌): ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଚଳିତ ଏସିଆ କପ୍‌ରେ ଅପେକ୍ଷାକୃତ ଦୁର୍ବଳ ଦଳ କୁହାଯାଉଥିବା ହଂକଂ ବିରୋଧରେ ଆସନ୍ତା ଗୁରୁବାର୍‌ ନିଜର ପ୍ରଥମ ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଆରମ୍ଭ କରିବ। ଏହା ପର ଦିନ ଅର୍ଥାତ୍‌ ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ନନ୍ଦ୍ୱୀ ପାକିସ୍ତାନ୍‌କୁ ଭେଟିବ। ପୁଣି ଏକ ଭାରତ-ପାକ୍‌ ମୁକାବିଲାର ସମ୍ଭାବ୍ୟ ରୋମାଞ୍ଚଭରା କ୍ରିକେଟ୍‌ର ମଜା ନେବାକୁ କେବଳ ଏସିଆ ମହାଦେଶ ନୁହେଁ, ସାରା ବିଶ୍ୱର କ୍ରିକେଟ୍‌ […]

ଅଦ୍ୟତନ ହୋଇଛି
ଏସିଆ କପ୍‌: ଧୋନିଙ୍କ ଉପରେ ନିର୍ଭର କରିବ ଟିମ୍‌ ଇଣ୍ଡିଆ

rohit sharma captain in asia cup

Advertisment

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର୍‌): ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଚଳିତ ଏସିଆ କପ୍‌ରେ ଅପେକ୍ଷାକୃତ ଦୁର୍ବଳ ଦଳ କୁହାଯାଉଥିବା ହଂକଂ ବିରୋଧରେ ଆସନ୍ତା ଗୁରୁବାର୍‌ ନିଜର ପ୍ରଥମ ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଆରମ୍ଭ କରିବ।

Advertisment

ଏହା ପର ଦିନ ଅର୍ଥାତ୍‌ ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ନନ୍ଦ୍ୱୀ ପାକିସ୍ତାନ୍‌କୁ ଭେଟିବ। ପୁଣି ଏକ ଭାରତ-ପାକ୍‌ ମୁକାବିଲାର ସମ୍ଭାବ୍ୟ ରୋମାଞ୍ଚଭରା କ୍ରିକେଟ୍‌ର ମଜା ନେବାକୁ କେବଳ ଏସିଆ ମହାଦେଶ ନୁହେଁ, ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀମାନେ ଅନାଇ ବସିଛନ୍ତି। ଏହି ଦୁଇ ପଡ଼ୋଶୀ କ୍ରିକେଟ୍‌ ମହାଶକ୍ତି ଚଳିତ ଏସିଆ କପ୍‌ରେ ଦୁର୍ବଳ ହଂକଂ ସହ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।

ତେବେ ଲିଗ୍‌ ମ୍ୟାଚ୍‌ରେ ପରସ୍ପରଠାରୁ ମାତ୍‌ ଖାଇଲେ ବି ସର୍ଫରାଜ୍‌ ଅହମ୍ମଦଙ୍କ ପାକିସ୍ତାନ ସହ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆର ଫାଇନାଲ୍‌ ମୁକାବିଲାର ଯଥେଷ୍ଟ ସମ୍ଭାବନା ରହିଛି। ଭିନ୍ନ ଗ୍ରୁପ୍‌ରେ ସ୍ଥାନ ପାଇଥିବା ବାଂଲାଦେଶ ଶନିବାର ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମହାଦେଶର ଅନ୍ୟତମ କ୍ରିକେଟ୍ ଶକ୍ତି ଶ୍ରୀଲଙ୍କାକୁ ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଟାଇଟଲ୍‌ ପାଇଁ ନିଜ ଦାବିଦାରୀକୁ ଜବରଦସ୍ତ ଢଙ୍ଗରେ ଶୁଭାରମ୍ଭ କରିଛି।

Advertisment

କିଛି କ୍ରିକେଟ୍‌ ପଣ୍ଡିତ ପାକିସ୍ତାନ୍‌କୁ ଟୁର୍ଣ୍ଣାମେଣ୍ଟ୍‌ର ଫେଭରିଟ୍‌ କହୁଛନ୍ତି। ତେବେ ଟ୍ରଫି ଜିତିବା ପାଇଁ ସର୍ଫରାଜ୍‌ ଅହମ୍ମଦଙ୍କ ଦଳ ରୋହିତ୍‌ ଶର୍ମାଙ୍କ ଭାରତ ଓ ମଶ୍ରଫି ମର୍ତାଜାଙ୍କ ବାଂଲାଦେଶଠାରୁ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବ।

ନବାଗତ ହୋଇଥିଲେ ହେଁ ଟୁର୍ଣ୍ଣାମେଣ୍ଟ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ଆଫ୍‌ଗାନିସ୍ତାନ୍‌ର ମଧ୍ୟ ରହିଛି।  ଅଜଗର୍‌ ଆଫ୍‌ଗାନ୍‌ଙ୍କ ନେତ୍ୱାଧୀନ ଆଫ୍‌ଗାନିସ୍ତାନ୍‌ ଦଳ ବାଂଲାଦେଶ ଓ ଶ୍ରୀଲଙ୍କା ସହ ଗ୍ରୁପ୍‌ ବି'ରେ ରହିଛି।

[caption id="attachment_276635" align="aligncenter" width="1145"]rohit photo-deccanchronicle.com[/caption]

ଇଂଲଣ୍ଡ୍‌ ଗସ୍ତ ପରେ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳରୁ ଭେଟେରାନ୍ ସୁରେଶ୍‌ ରୈନା, ଶ୍ରେୟସ୍‌ ଆୟର୍‌, ଉମେଶ ଯାଦବ୍ ଓ ସିଦ୍ଧାର୍ଥ କୌଲ୍‌ଙ୍କୁ ଏସିଆ କପ୍‌ ପାଇଁ ବାଦ୍ ଦିଆଯାଇଛି।

ଏମାନଙ୍କ ବଦଳରେ ଅମ୍ବାତି ରାୟିଡ଼ୁ, କେଦାର୍‌ ଯାଦବ୍‌ ଓ ମନୀଷ ପାଣ୍ଡେଙ୍କ ସହ ରାଜସ୍ଥାନର ବାମହାତୀ ଯୁବ ଫାଷ୍ଟ୍‌ ବୋଲର୍‌ ଖଲିଲ୍‌ ଅହମ୍ମଦ ଦଳରେ ସାମିଲ୍‌ ହୋଇଛନ୍ତି। ତେବେ ୫ଥର ଏସିଆ କପ୍‌ (୫୦ ଓଭର୍ ଫର୍ମାଟ୍‌) ଜିତିଥିବା ଭାରତୀୟ ଦଳ ଏଥର ଟାଇଟଲ୍‌ ଜିତିବା ପାଇଁ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ୍‌ଙ୍କ ସହ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଉପରେ ନିର୍ଭର କରିବ।

ଶିଖର୍‌ ଧୱନ୍‌ ଟିମ୍‌ର ଉପଅଧିନାୟକ ହୋଇଥିବାରୁ ଏହି ବାମହାତୀଙ୍କ ସହ ଲୋକେଶ୍ ରାହୁଲ୍‌ଙ୍କୁ ଓପନିଂ ପଠାଇ ଅଧିନାୟକ ରୋହିତ୍‌ ଶର୍ମା ବିରାଟ୍‌ଙ୍କ ଅନୁପସ୍ଥିତିରେ ଦଳର ମଧ୍ୟକ୍ରମ ବ୍ୟାଟିଂ ମଙ୍ଗ ସମ୍ଭାଳିବାର ସମ୍ଭାବନା ଅଧିକ। ଏମିତି ହେଲେ, ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଫେରିଥିବା ଅମ୍ବାତି ରାୟିଡ଼ୁଙ୍କ ତିନି ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିପାରେ।

ଦଳୀୟ ବ୍ୟାଟିଂରେ ୫ ନମ୍ବର ସ୍ଥାନ ପାଇଁ କିନ୍ତୁ କେଦାର୍ ଯାଦବ୍‌ ଓ ମନୀଷ ପାଣ୍ଡେଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିଭଳି ଦଳୀୟ ସନ୍ତୁଳନକୁ ସୁରକ୍ଷା ଦେବା ପାଇଁ ୭ ନମ୍ବର୍‌ରେ ଦୀନେଶ୍‌ କାର୍ତ୍ତିକଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଉପରେ ଭରସା କରିବା ପାଇଁ ଟିମ୍‌ ଇଣ୍ଡିଆ ଥିଙ୍କ୍‌ଟ୍ୟାଙ୍କ୍‌ ସ୍ଥିର କରିପାରନ୍ତି।

ଦୁବାଇର ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବା ପାଇଁ ଦୁଇ ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ ଓ କୁଲଦୀପ୍‌ ଯାଦବ୍‌ଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଲେ, ବାମହାତୀ ଅକ୍ଷର୍‌ ପଟେଲ୍‌ ପୁଣି ଏକ ସୁଯୋଗ ପାଇଁ ବେଞ୍ଚ୍‌ରେ ଅପେକ୍ଷା କରିବେ।

ଦଳର ଡେଥ୍‌ ଓଭର୍‌ ସ୍ପେଶାଲିଷ୍ଟ୍‌ କୁହାଯାଉଥିବା ଯଶପ୍ରୀତ୍‌ ବୁମ୍ରାଙ୍କ ସହ ଭୁବନେଶ୍ୱର କୁମାର୍‌ ନୂଆ ବଲ୍‌ ସମ୍ଭାଳିବେ। ତେବେ ରଣନୀତି, ପଡ଼ିଆ ଭିତର ସମରସଜ୍ଜା ସହିତ କ୍ରିଜ୍‌ରେ ପ୍ରଦର୍ଶନ ପାଇଁ ଭାରତୀୟ ଦଳ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ସବୁଠାରୁ ଅଧିକ ନିର୍ଭର କରିବ।

[caption id="attachment_276636" align="aligncenter" width="1157"]publive-image photo-cricket.yahoo.net[/caption]

ଗତ ତିନିଟି ମ୍ୟାଚ୍‌ରେ ମନ୍ଥର ପ୍ରଦର୍ଶନ ସତ୍ୱେ ନିଜ ଉପସ୍ଥିତିର ପ୍ରମାଣ ଦେବାକୁ ଏହି ପୂର୍ବତନ ‌ଅଧିନାୟକ ତଥା ବିଚକ୍ଷଣ କ୍ରିକେଟ୍‌ ମୁଣ୍ଡ ଶତପ୍ରତିଶତ ଉଦ୍ୟମ କରିବେ ବୋଲି ଟିମ୍‌ ଇଣ୍ଡିଆ କ୍ରିକେଟ୍ ଫ୍ୟାନ୍‌ମାନେ ଆଶା ବାନ୍ଧିଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ୍‌(ଉପଧିନାୟକ), କେଏଲ୍ ରାହୁଲ୍‌, ଅମ୍ବାତି ରାୟିଡ଼ୁ, ମନୀଷ ପାଣ୍ଡେ/କେଦାର୍ ଯାଦବ,ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର୍‌, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ୍‌ ଓ ଯଶପ୍ରୀତ୍‌ ବୁମ୍ରା।

ଅତିରିକ୍ତ: ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍‌, ଶାର୍ଦୁଲ ଠାକୁର୍‌ ଏବଂ ଖଲିଲ୍‌ ଅହମ୍ମଦ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe