Deepak-Punia
ଟୋକିଓ: ଭାରତର ଅନ୍ୟତମ ଷ୍ଟାର ରେସଲର ଦୀପକ ପୁନିଆ ସମସ୍ତଙ୍କୁ ନିରାଶ କରିଛନ୍ତି। ୫୭ କେଜି ବର୍ଗରେ ରବି କୁମାର ଦାହିୟା ପଦକ ପକ୍କା କରିଥିଲେ ହେଁ ଦୀପକ ପୁନିଆ ସେମି ଫାଇନାଲରେ ଝୁଣ୍ଟିଛନ୍ତି। ଦୀପକ ୮୬ କେଜି ବର୍ଗରେ ଭାଗ ନେଇଥିଲେ। ଦମଦାର ପ୍ରଦର୍ଶନ ସହ ସେ ସେମିରେ ପ୍ରବେଶ କରିଥିଲେ।
ସେମିରେ ତାଙ୍କର ମୁକାବିଲା ଆମେରିକାର ଡାଭିଡ ଟେଲରଙ୍କ ସହ ହୋଇଥିଲା। କିନ୍ତୁ ଟେଲର ଭାରତର ଦୀପକଙ୍କୁ ୧୦-୦ରେ ହରାଇ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାତ୍ର ୩ ମିନିଟ୍ରୁ କମ ସମୟରେ ଦୀପକଙ୍କୁ ପରାସ୍ତ ହେବାକୁ ପଡ଼ିଛି। ମ୍ୟାଚ୍ ଆରମ୍ଭରୁ ହିଁ ଟେଲର ନିଜର ପ୍ରଭାବ ଦେଖାଇଥିଲେ।
ବାରମ୍ବାର ଆଟାକ କରି ଦୀପକ ପୁନିଆଙ୍କୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ସେ କ୍ରମାଗତ ପଏଣ୍ଟ ହାସଲ କରି ଏକଦା ୭-୦ ଲିଡ୍ କରି ଯାଇଥିଲେ। ଏହି ସମୟରେ ଦୀପକ କମବ୍ୟାକ୍ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଆଟାକ କରିବାକୁ ଯାଇ ସେ ଆମେରିକାର ରେସଲର ଟେଲରଙ୍କ ଜାଲରେ ଫସି ଯାଇଥିଲେ।
ଟେଲର ଲଗାତର ୩ ପଏଣ୍ଟ ହାସଲ କରି ବ୍ୟବଧାନକୁ ୧୦-୦ କରି ଦେଇଥିଲେ। ଫଳରେ ଟେକ୍ନିକାଲ ସୁପରିୟରିଟି ବଳରେ ଅମ୍ପାୟାର ମ୍ୟାଚ୍କୁ ସେହିଠାରେ ବନ୍ଦ କରିଥିଲେ। କାରଣ ରେସଲିଂର ନିୟମ ଅନୁଯାୟୀ, ଦୁଇ ରେସଲରଙ୍କ ମଧ୍ୟରେ ଯଦି ପଏଣ୍ଟ ବ୍ୟବଧାନ ୧୦ ହୋଇଯାଏ, ତା’ହେଲେ ମ୍ୟାଚ୍କୁ ସେହିଠାରେ ବନ୍ଦ କରିବାକୁ ପଡ଼ିଥାଏ। ଏହି ଆଧାରରେ ଦୀପକ ପୁନିଆ ପୂରା ୬ ମିନିଟ୍ ମଧ୍ୟ ଲଢ଼େଇ କରିବାକୁ ସୁଯୋଗ ପାଇ ନଥିଲେ।
ଦୀପକ ସେମି ଫାଇନାଲରେ ହାରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବାର ଗୋଟିଏ ସୁଯୋଗ ପାଇବେ।
ସୂଚନାଯୋଗ୍ୟ, ୮୬ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଦୁନିଆର ତିନି ନମ୍ବର ରେସଲର୍ ତଥା ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଥିଲା। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/Deepak-Punia.jpg)