Milkha-Singh-and-Nirmal-Mil
ଚଣ୍ଡୀଗଡ଼: ମହାନ୍ ଧାବକ ମିଲଖା ସିଂହଙ୍କ ପତ୍ନୀ ନିର୍ମଳ ମିଲଖା ସିଂହ କରୋନା ଲଢ଼େଇରେ ହାରି ଯାଇଛନ୍ତି। ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖୋଦ୍ ମିଲଖା ସିଂହ ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଗୋଟିଏ ପଟେ ୯୧ ବର୍ଷୀୟ ମିଲଖା ସିଂହ କରୋନା ସହ ଲଢ଼େଇ ଜାରି ରଖିଛନ୍ତି। କିନ୍ତୁ ଅନ୍ୟପଟେ ୮୨ ବର୍ଷୀୟ ପତ୍ନୀ ଦୀର୍ଘ ଦିନ ଧରି କରୋନା ବିରୋଧରେ ଯେଉଁ ଲଢ଼େଇ ଜାରି ରଖିଥିଲେ, ସେଥିରେ ସେ ପରାଜିତ ହୋଇଛନ୍ତି। ପତ୍ନୀଙ୍କ ଦେହାନ୍ତ ପରେ ମିଲଖା ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି।
ସ୍ୱାମୀ ମିଲଖା ସିଂହଙ୍କ ଭଳି ନିର୍ମଳ ମଧ୍ୟ ଜଣେ କ୍ରୀଡ଼ାବିତ୍। ନିର୍ମଳ ଭାରତୀୟ ଭଲିବଲ୍ ଟିମର ପୂର୍ବତନ କ୍ୟାପଟେନ୍ ଥିଲେ। ରୋମ୍ ଅଲିମ୍ପିକ୍ ପରେ ତାଙ୍କର ମିଲଖା ସିଂହଙ୍କ ସହ ବିବାହ ହୋଇଥିଲା। ପତିଙ୍କର ସଂକ୍ରମିତ ହେବାର କିଛି ଦିନ ପରେ ସେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଗତ ତିନି ସପ୍ତାହ ଧରି ଚଣ୍ଡୀଗଡ଼ରେ ତାଙ୍କର ଚିକିତ୍ସା ଚାଲିଥିଲା।
ମାତାପିତାଙ୍କ ଯତ୍ନ ନେଉଥିବା ପ୍ରଖ୍ୟାତ ଗଲଫର ଜୀଭ୍ ମିଲଖା ସିଂହ ମେ’ ୨୨ ତାରିଖରୁ ଦୁବାଇରୁ ଚଣ୍ଡୀଗଡ଼ ଆସି ପହଞ୍ଚିଥିଲେ। ସେହିପରି ଆମେରିକାରେ ରହୁଥିବା ଡାକ୍ତର ଝିଅ ମୋନା ମିଲଖା ମଧ୍ୟ ଏଠାରେ ଅଛନ୍ତି।
ମିଲଖା ସିଂହଙ୍କ ଚାକର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଯାହା ପରେ ମିଲଖା ଓ ତାଙ୍କ ପତ୍ନୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିଛି ଦିନ ତଳେ ମିଲଖା ଆଇସିୟୁରେ ଆଡମିଟ୍ ହୋଇଥିଲେ। ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଡାକ୍ତର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/Milkha-Singh-and-Nirmal-Mil.jpg)