Sumit
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତ ପାଇଁ ସୁମିତ୍ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୫୫ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।
ଏହି ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁମିତଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଅଲିମ୍ପିକ୍ସରେ ସେ ଯେଉଁଭଳି ପଦକ ବିଜେତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଉଥିଲେ ଆଜି ମଧ୍ୟ ଠିକ୍ ସେହିପରି ପାରାଲିମ୍ପିକ୍ସରେ ପଦକ ଜତିଥିବା ସୁମିତଙ୍କୁ ଫୋନ କରିଛନ୍ତି।
ମୋଦି ଫୋନରେ ସୁମିତ ଦେଶକୁ ଆଜି ଗର୍ବିତ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିବାରୁ ମୋଦି ତାଙ୍କ ପ୍ରଶଂସା କରିଛନ୍ତି। ସେ ସବୁ ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମଧ୍ୟ ମୋଦି କହିଛନ୍ତି।
ହରିଆଣାର ସୋନପେଟରେ ଜନ୍ମ ଗ୍ରହଣ କରିଥିବା ସୁମିତ ୨୦୧୫ରେ ଗୋଟିଏ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କ ବାମ ଗୋଡ଼ର ଆଣ୍ଠୁ ପାଖରୁ ତଳକୁ ଡାକ୍ତରମାନେ କାଟି ଦେଇଥିଲେ। ତଥାପି ସେ ହାର ନମାନି ଜାଭେଲିନ ଥ୍ରୋ ଆରମ୍ଭ କରିଥିଲେ। ଆଜି ସେ ପାରାଲିମ୍ପିକ୍ସରେ ବିଶ୍ୱ ରେକର୍ଡ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
ମୋଦି ଫୋନ କରିବା ପୂର୍ବରୁ ଟ୍ୱିଟ କରି ସୁମିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, “ଆମ ଆଥଲେଟମାନେ ପାରାଲିମ୍ପିକ୍ସରେ ଚମକିବାରେ ଲାଗିଛନ୍ତି। ପାରାଲିମ୍ପିକ୍ସରେ ସୁମିତ ଅନ୍ତିଲଙ୍କ ରେକର୍ଡ ବ୍ରେକିଂ ପ୍ରଦର୍ଶନ ପାଇଁ ଆଜି ସାରା ଦେଶ ଗର୍ବିତ। ସମ୍ମାନୀୟ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୁମିତଙ୍କୁ ଶୁଭେଚ୍ଛା। ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା।”
ସୂଚନାଯୋଗ୍ୟ, ସୁମିତଙ୍କ ଏହି ସ୍ୱର୍ଣ୍ଣ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି।
ସୋମବାର ଅବନୀ ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ପାରାଲିମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/Sumit.jpg)