Neeraj1
ନୂଆଦିଲ୍ଲୀ: ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି ଭାରତର ନୀରଜ ଚୋପ୍ରା। ସେ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତି ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଯାହା ଘଟି ନଥିଲା, ଆଜି ନୀରଜ ସେକଥା କରି ଦେଖାଇଛନ୍ତି।
ସେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଜିତିଛନ୍ତି। ବ୍ରୋଞ୍ଜ କିମ୍ବା ସିଲଭର ନୁହେଁ, ସେ ଜାଭେଲିନ ଥ୍ରୋ ଇଭେଣ୍ଟରେ ସିଧା ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ନୀରଜଙ୍କ ସ୍ୱର୍ଣ୍ଣ ଭାରତର ମେଡାଲ ଟାଲିକୁ ୭ରେ ପହଞ୍ଚାଇଛି। ଅଲିମ୍ପିକ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପଦକ ଜିତି ପାରିଛି। ୨୦୧୨ରେ ଦେଶ ସର୍ବାଧିକ ୬ଟି ପଦକ ଜିତିଥିଲା। କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାରତ ଦୁଇଟି ରୌପ୍ୟ, ୪ଟି ବ୍ରୋଞ୍ଜ ଓ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛି।
/odisha-reporter/media/post_attachments/2021-08/kg1q8cdg_neeraj-chopra-uniform_625x300_07_August_21.jpg)
ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ଯାତ୍ରା ଆଦୌ ସହଜ ନଥିଲା। ସେ ବାରମ୍ବାର ଆହତ ହେଉଥିଲେ। ଏଥିପାଇଁ ତାଙ୍କ ଅଲିମ୍ପିକ୍ସରେ ଯୋଗଦାନକୁ ନେଇ ସନ୍ଦେହ ବି ପ୍ରକାଶ ପାଇଥିଲା। ତଥାପି ସେ ହାର ମାନି ନଥିଲେ। ଅଲିମ୍ପିକ୍ସ ପାଇଁ ସେ ଓଡ଼ିଶାର ଭୁବନେଶ୍ୱରେ ହିଁ ଟ୍ରେନିଂ ନେଇଥିଲେ। ଏଠାରେ ରିହ୍ୟାବ କରିବା ପରେ ସେ ଅଲିମ୍ପିକ୍ସକୁ ଯାଇଥିଲେ।
ହରିଆଣାର ପାନିପତର ଗୋଟିଏ ଜାଠ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା। ୧୯୯୭ ମସିହା ଡିସେମ୍ବର ୨୪ ହେଉଛି ନୀରଜଙ୍କ ଜନ୍ମଦିନ। ତାଙ୍କ ବାପା ଜଣେ ଚାଷୀ। ଚାଷ କାମ କରି ସେ ପରିବାର ସହ ନୀରଜଙ୍କ ଟ୍ରେନିଂ ପାଇଁ ସବୁ କିଛି କରୁଥିଲେ।
ହରିଆଣାରେ ଜନ୍ମ ଗ୍ରହଣ କରିଥିଲେ ହେଁ ନୀରଜ ଚଣ୍ଡିଗଡ଼ର ଡିଏଭି କଲେଜରେ ପାଠପଢ଼ି ଥିଲେ। ୨୦୧୬ରେ ତାଙ୍କୁ ଭାରତୀୟ ସେନାରେ ଜୁନିୟର କମିଶନଡ ଅଫିସର ଭାବେ ନିଯୁକ୍ତି ମିଳିଥିଲା। ସେ ନାଏବ ସୁବେଦାର ରାଙ୍କର ଅଫିସର ଭାବେ ୪ ରାଜପୁତାନା ରାଇଫଲ୍ସରେ କାମ କରୁଥିଲେ।
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପୂର୍ବରୁ ଅନେକ ବିଶ୍ୱସ୍ତରୀୟ ଇଭେଣ୍ଟରେ ନିଜର ଜଲୱା ଦେଖାଇ ସାରିଛନ୍ତି ନୀରଜ। ୨୦୧୬ ଦକ୍ଷିଣ ଏସିଆ ଗେମ୍ସରେ ସେ ୮୨.୮୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୬ ଅଣ୍ଡର-୨୦ ଚାମ୍ପିୟନଶିପରେ ବି ସେ ସୁନା ଜିତିଥିଲେ। ଏଥିସହ ସେ ଜୁନିୟର ବର୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ ହେଁ ନୀରଜ ୨୦୧୬ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ।
ଯୋଗ୍ୟତା ପାଇ ନଥିବାରୁ ନୀରଜ ହତାଶ ହୋଇ ନଥିଲେ। ବରଂ ସେ ୨୦୧୭ରେ ୮୫.୨୩ ମିଟରର ଥ୍ରୋ କରି ଏସିଆନ ଆଥଲେଟିକ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୬.୪୭ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ନୂଆ ରେକର୍ଡ କରିଥିଲେ।
ଏହି ପ୍ରଦର୍ଶନ ବଳରେ ସେ କେବଳ ସ୍ୱର୍ଣ୍ଣ ଜିତି ନଥିଲେ ବରଂ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜାଭେଲିନ ଥ୍ରୋ ଇଭେଣ୍ଟରେ ପଦକ ହାସଲ କରିଥିଲେ।
୨୦୧୮ ମେ’ ମାସରେ ନୀରଜ ଦୋହା ଡାଇମଣ୍ଡ ଲିଗ୍ରେ ପୁଣି ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ଏହି ଇଭେଣ୍ଟରେ ସେ ୮୭.୪୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ିଥିଲେ। କ୍ରୀଡ଼ା ଜଗତରେ ନୀରଜ ହାସଲ କରିଥିବା ସଫଳତା ପାଇଁ ତାଙ୍କୁ ୨୦୧୮ରେ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
୨୦୧୮ ଏସିଆନ ଗେମ୍ସରେ ସେ ୮୮.୦୬ ମିଟର ଥ୍ରୋ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆଜି ସେ ସ୍ୱର୍ଣ୍ଣ ଜିତିଥିଲେ ହେଁ ତାଙ୍କ ଜାଭେଲିନ ୮୭.୫୮ ମିଟର ଦୂରତାକୁ ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/Neeraj1.jpg)