/odisha-reporter/media/post_attachments/uploads/2022/08/Punam.jpg)
Punam
ବର୍ମିହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ଭାରତକୁ ଶକ୍ତ ଝଟକା ଲାଗିଛି। ୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପୂନମ ଯାଦବ ବର୍ମିଂହାମରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସମସ୍ତେ ତାଙ୍କ ଠାରୁ ଭାରୋତ୍ତୋଳନର ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ଆଶା କରିଥିବା ବେଳେ ସେ ଶେଷ ସ୍ଥାନରେ ରହି ନାଟକୀୟ ଢଙ୍ଗରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି।
୨୦୧୮ରେ ସ୍ୱର୍ଣ୍ଣ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୭ ବର୍ଷୀୟ ପୂନମ ଯାଦବ ରୌପ୍ୟ ଜିତିଥିଲେ। ଆଜି ସେ ପୁଣି ସ୍ୱର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ସ୍ନାଚ ରାଉଣ୍ଡର ପ୍ରଥମ ପ୍ରୟାସରେ ପୂନମ ୯୫ କେଜି ଓଜନ ଉଠାଇବାକୁ ସକ୍ଷମ ହୋଇ ନଥିଲେ। କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ। ସେହିପରି ତୃତୀୟ ପ୍ରୟାସରେ ସେ ୯୮ କେଜି ଉଠାଇଥିଲେ।
ସ୍ନାଚ ରାଉଣ୍ଡ ଶେଷ ବେଳକୁ ଭାରତର ପୂନମ ୯୮ କେଜି ଓଜନ ସହ ଦ୍ୱିତୀୟ ସ୍ଥାନ ଅର୍ଥାତ ରୌପ୍ୟ ପଦକ ଦୌଡ଼ରେ ନିଜକୁ ସାମିଲ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା କ୍ଲିନ ଆଣ୍ଡ ଜର୍କ। ପୂନମଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୨୨ ଥିବାରୁ ସେ ୧୧୬ରୁ ନିଜର ପ୍ରଥମ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ପ୍ରଥମ ପ୍ରୟାସ ଫେଲ ମାରିଥିଲା।
ଦ୍ୱିତୀୟ ପ୍ରୟାସରେ ସେ ପୁଣି ୧୧୬ କେଜି ଓଜନ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତୃତୀୟ ପ୍ରୟାସରେ ଲିଫ୍ଟ କରିଥିଲେ ମଧ୍ୟ ତାଙ୍କ ଶରୀର ନିୟନ୍ତ୍ରଣ ମଧ୍ୟରେ ରହି ନଥିଲା। ଏହି ଲିଫ୍ଟକୁ ମଧ୍ୟ ଜଜମାନେ ନାକଚ କରିଥିଲେ। ଏହାକୁ ଭାରତ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ କୌଣସି ବି ସୁଫଳ ମିଳି ନଥିଲେ। ୩ଟି ଯାକ ପ୍ରୟାସ ଫେଲ ମାରିବାରୁ ପୂନମ ପ୍ରତିଯୋଗିତାର ଶେଷ ସ୍ଥାନରେ ରହିଥିଲେ। ଏହି ବିଫଳତାକୁ ପୂନମ ମଧ୍ୟ ସହଜରେ ଗ୍ରହଣ କରି ପାରୁ ନଥିବାରୁ ତାଙ୍କ ଏକ୍ସପ୍ରେସନରୁ ସ୍ପଷ୍ଟ ହୋଇଛି।
୭୬ କେଜି ଭାରୋତ୍ତୋଳନ ବର୍ଗରେ କାନାଡାର ମାୟା ଲୟଲୋର ୨୨୮ କେଜି ସହ ସ୍ୱର୍ଣ୍ଣ(ସ୍ନାଚ ୧୦୦ ଓ କ୍ଲିନ ଆଣ୍ଡ ଜର୍କ ୧୨୮), ନାଇଜେରିଆର ତାଇୱ ଲିଆଡି ୧୨୬ କେଜି (ସ୍ନାଚ ୯୬ ଓ କ୍ଲିନ ଆଣ୍ଡ ଜର୍କ ୧୨୦ କେଜି) ସହ ରୌପ୍ୟ ଓ ନାରାଉର ମାକ୍ସିମିନା ଉପେ ୨୧୫ କେଜି( ସ୍ନାଚ ୯୬ ଓ କ୍ଲିନ ଆଣ୍ଡ ଜର୍କ ୧୧୯) ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
