ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘ (WFI)ର ସଭାପତି ନିର୍ବାଚିତ ହେବା ପରେ ମର୍ମାହତ ହୋଇଥିବା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଦିଲ୍ଲୀର ‘କର୍ତ୍ତବ୍ୟ ପଥ’ର ଫୁଟ୍ପାଥ୍ରେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଚିଠି ସହିତ ସେ ପଦ୍ମଶ୍ରୀ ପୁରସ୍କାରକୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି। ଏହା ପୂର୍ବରୁ ସେ ସୋଶାଲ ମିଡିଆ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ପଦ୍ମଶ୍ରୀ ପୁରସ୍କାର ଫେରାସ୍ତ କରୁଥିବା କଥା ଲେଥିଲେ।
‘କର୍ତ୍ତବ୍ୟ ପଥ’ର ଫୁଟ୍ପାଥ୍ରେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇ ଯିବା ପରେ ପୁନିଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ କାର୍ଯ୍ୟ ବ୍ୟସ୍ତ ଥିବା ଯୋଗୁ ତାଙ୍କୁ ଭେଟିବା ସମ୍ଭବ ହେଲା ନାହିଁ। ସେ ପଦ୍ମଶ୍ରୀ ପୁରସ୍କାରକୁ ଆଉ ଘରକୁ ନେଇ ଯିବେ ନାହିଁ।
ସେ ଆହୁରି କହିଥିଲେ, ମୁଁ ପୂର୍ବରୁ ଯାହା କହିଥିଲି, ଏବେ ବି କହୁଛି। ଆମେ ଆମ ଝିଅ ଓ ଭଉଣୀଙ୍କ ପାଇଁ ଲଢ଼ୁଛୁ। ଆମେ ସେମାନଙ୍କ ଠାରୁ ନ୍ୟାୟ ପାଇଲୁ ନାହିଁ। ସେଥିପାଇଁ ମୁଁ ଭାବିଲି ଯେ ମୁଁ ଏହି ସମ୍ମାନର ଅଧିକାରୀ ନୁହେଁ। ମୁଁ ମୋ ପୁରସ୍କାର ଫେରାଇ ଦେବା ପାଇଁ ଆସିଥିଲି। ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ। କାରଣ ମୁଁ ପୂର୍ବରୁ ଏନେଇ ସମୟ ମାଗି ନଥିଲି। ପ୍ରଧାନମନ୍ତ୍ରୀଙ୍କର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ତେଣୁ ମୁଁ ମୋ ପୁରସ୍କାର ଏଠାରେ ଛାଡ଼ି ଚାଲି ଯାଉଛି। ମୁଁ ଏହାକୁ ଆଉ ମୋ ଘରକୁ ଫେରାଇ ନେବି ନାହିଁ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋଶାଲ ମିଡିଆରେ ପୁନିଆ ପୋଷ୍ଟ କରିଥିବା ଚିଠିରେ କ’ଣ ଲେଖିଥିଲେ?
ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ଆଶା କରେ ଆପଣ ସୁସ୍ଥ ଥିବେ। ଆପଣ ଦେଶ ସେବାରେ ବ୍ୟସ୍ତ ଥିବେ। ଆପଣଙ୍କ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଆପଣଙ୍କ ଧ୍ୟାନ କୁସ୍ତି ଆଡ଼କୁ ଟାଣିବାକୁ ଚାହୁଁଛି। ଆପଣ ଜାଣିଥିବେ, ଚଳିତ ବର୍ଷ ଜାନୁଆରୀ ମାସରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ କୁସ୍ତି ସଂଘକୁ କବଜା କରି ରଖିଥିବା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ। ଯେତେବେଳେ ସେହି ମହିଳା କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଆରମ୍ଭ କଲେ, ସେତେବେଳେ ମୁଁ ମଧ୍ୟ ସେଥିରେ ସାମିଲ ହୋଇଥିଲି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଜାନୁଆରୀରେ ଆନ୍ଦୋଳନକାରୀମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ତିନି ମାସ ପରେ ବି ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ନ ହେବାରୁ ଏପ୍ରିଲ ମାସରେ କୁସ୍ତିଯୋଦ୍ଧାମାନେ ପୁଣି ରାସ୍ତାକୁ ଓହ୍ଲାଇଥିଲେ। ଦିଲ୍ଲୀ ପୁଲିସ୍ ଅତିକମ୍ରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରୁ ବୋଲି ଆଶା ରଖି କୁସ୍ତିଯୋଦ୍ଧାମାନେ ଦ୍ୱିତୀୟ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। କିନ୍ତୁ ତାହା ହେଲା ନାହିଁ। ତେଣୁ ଆମକୁ କୋର୍ଟ ଯାଇ ଏଫଆଇଆର ଦେବାକୁ ପଡ଼ିଲା।
ଜାନୁଆରୀ ମାସରେ ଅଭିଯୋଗ ଆଣିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସଂଖ୍ୟା ୧୭ ଥିଲା। କିନ୍ତୁ ଏପ୍ରିଲରେ ଏହି ସଂଖ୍ୟା ୭କୁ ଖସି ଯାଇଥିଲା। ତିନି ମାସ ମଧ୍ୟରେ ନିଜର କ୍ଷମତା ବଳରେ ବ୍ରିଜ୍ଭୂଷଣ ସିଂହ ସେମାନଙ୍କୁ ନ୍ୟାୟ ପାଇଁ ଚାଲିଥିବା ଲଢ଼େଇରୁ ହଟାଇ ଦେଇଥିଲେ। ଆନ୍ଦୋଳନ ୪୦ ଦିନ ଚାଲିଲା। ଏହି ୪୦ ଦିନରେ ଜଣେ ମହିଳା କୁସ୍ତିଯୋଦ୍ଧା ପଛ ଘୁଞ୍ଚା ଦେଇଥିଲେ। ଆମ ସମସ୍ତଙ୍କ ଉପରେ ବହୁତ ଚାପ ଥିଲା। ଆମ ଆନ୍ଦୋଳନସ୍ଥଳକୁ ନଷ୍ଟ କରି ଦିଆଯାଇଥିଲା। ଆମକୁ ଦିଲ୍ଲୀ ବାହାରକୁ ତଡ଼ି ଦିଆଯାଇଥିଲା। ଆମ ଖେଳ ଉପରେ ରୋକ୍ ଲଗାଯାଇଥିଲା। ସେତେବେଳେ ଆମେ କ’ଣ କରିବୁ ବୋଲି ଜାଣିପାରି ନଥିଲୁ। ଏଣୁ ଆମେ ଆମ ପଦକଗୁଡ଼ିକୁ ଗଙ୍ଗାରେ ଭସାଇ ଦେବାକୁ ଚିନ୍ତା କରିଥିଲୁ। ଯେତେବେଳେ ଆମେ ସେଠାକୁ ଗଲୁ ଆମ କୋଚ୍ ଓ କୃଷକମାନେ ଆମକୁ ସେଭଳି ନ କରିବାକୁ କହିଥିଲେ। ସେତେବେଳେ ଆପଣଙ୍କର ଜଣେ ଦାୟିତ୍ୱବାନ ମନ୍ତ୍ରୀଙ୍କର ଫୋନ୍ ଆସିଲା ଓ ସେ ଆମକୁ ଫେରି ଆସିବାକୁ କହିଥିଲେ। ଆମକୁ ନ୍ୟାୟ ଦିଆଯିବ ବୋଲି ସେ କହିଥିଲେ। ଏହା ଭିତରେ ଆମ ଗୃହମନ୍ତ୍ରୀଙ୍କ ସହିତ ବି ଆମର ସାକ୍ଷାତ ହୋଇଥିଲା। ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ସେ ସହଯୋଗ କରିବେ ଏବଂ କୁସ୍ତି ମହାସଂଘରୁ ବ୍ରିଜଭୂଷଣ, ତାଙ୍କ ପରିବାର ଓ ଗ୍ୟାଙ୍ଗକୁ ବାହାର କରି ଦେବେ ବୋଲି କହିଥିଲେ। ଆମେ ତାଙ୍କ କଥା ମାନି ରାସ୍ତା ଉପରେ କରୁଥିବା ଆନ୍ଦୋଳନରୁ ଓହରି ଯାଇଥିଲୁ। କାରଣ କୁସ୍ତି ସଂଘର ସମସ୍ୟାର ସମାଧାନ ସରକାର କରିଦେବେ ଓ ନ୍ୟାୟର ଲଢ଼େଇ କୋର୍ଟରେ ଲଢ଼ା ଯିବ- ଏ ଦୁଇଟି ଆମକୁ ଯୁକ୍ତି ସଙ୍ଗତ ଲାଗିଥିଲା। କିନ୍ତୁ ଡିସେମ୍ବର ୨୧ ତାରିଖରେ ହୋଇଥିବା କୁସ୍ତି ସଂଘର ନିର୍ବାଚନରେ ବ୍ରିଜଭୂଷଣ ପୁଣି ଏହାକୁ ନିଜ କବଜାକୁ ନେଇ ଯାଇଛନ୍ତି। ସେ ପ୍ରତିକ୍ରିୟା ଦେଇଥିଲେ, ‘ଦବଦବା ଅଛି ଓ ଦବଦବା ରହିବ”। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଜଣେ ଅଭିଯୁକ୍ତ ସର୍ବସାଧାରଣରେ କୁସ୍ତିକୁ ପରିଚାଳନା କରୁଥିବା ସଂସ୍ଥା ଉପରେ ନିଜର ଦବଦବା ରହିଥିବା ଦାବି କରୁଥିଲେ। ଏହା ଦେଖି ମାନସିକ ଚାପରେ ଅଲମ୍ପିକ ପଦକ ବିଜେତା ଏକମାତ୍ର ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ନେଇଗଲେ।
ଆମେ ସମସ୍ତେ କାନ୍ଦି କାନ୍ଦି ରାତି ବିତାଇଥିଲୁ। ଆମେ ଜାଣିପାରୁ ନଥିଲୁ କେଉଁଠାକୁ ଯିବୁ, କ’ଣ କରିବୁ ଓ କେମିତି ବଞ୍ଚିବୁ। ସରକାର ଓ ଲୋକମାନେ ଆମକୁ ଏତେ ମାନ-ସମ୍ମାନ ଦେଲେ, କ’ଣ ଏହି ସମ୍ମାନର ବୋଝ ତଳେ ଦବି ଅଣନିଃଶ୍ୱାସୀ ହେଉଥିବୁ। ୨୦୧୯ ମସିହାରେ ମୋତେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଖେଳରତ୍ନ ଓ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ମିଳିଲା ବେଳେ ମୁଁ ବହୁତ ଖୁସି ଥିଲି। ଲଗିଥିଲା, ଜୀବନ ସଫଳ ହୋଇଗଲା। କିନ୍ତୁ ଆଜି ତା’ଠୁ ଅଧିକ ଦୁଃଖ ଲାଗୁଛି ଓ ଏହି ସମ୍ମାନ ମୋତେ କଣ୍ଟା ଭଳି ଲାଗୁଛି। କାରଣ କେବଳ ଗୋଟିଏ- ଯେଉଁ କୁସ୍ତି ପାଇଁ ଏହି ସମ୍ମାନ ମିଳିଛି, ସେଥିରେ ଆମ ସାଥୀ ମହିଳା କୁସ୍ତିଯୋଦ୍ଧାଙ୍କୁ ନିଜ ସୁରକ୍ଷା ପାଇଁ କୁସ୍ତି ଛାଡ଼ିବାକୁ ପଡ଼ିଲା।
କ୍ରୀଡ଼ା ଆମ ମହିଳା ଖେଳାଳିମାନଙ୍କ ଜୀବନରେ ଜବରଦସ୍ତ ପରିବର୍ତ୍ତନ ଆଣି ଦେଇଥିଲା। ପ୍ରଥମେ ଗାଁରେ କେହି କଳ୍ପନା କରିପାରୁ ନଥିଲେ ଯେ ଗାଁ ପଡ଼ିଆରେ ପୁଅ-ଝିଅ ଏକାଠି ଖେଳି ପାରିବେ। କିନ୍ତୁ ପ୍ରଥମ ପିଢ଼ିର ମହିଳା ଖେଳାଳିଙ୍କ ସାହାସ କାରଣରୁ ଏମିତି ହୋଇପାରିଥିଲା। ପ୍ରତି ଗାଁରେ ଝିଅମାନେ ଖେଳୁଥିବା ଆପଣ ଦେଖି ପାରିବେ ଓ ଏବେ ସେମାନେ ଖେଳିବା ପାଇଁ ଦେଶ-ବିଦେଶକୁ ଯାଉଛନ୍ତି। କିନ୍ତୁ ଯେଉଁମାନଙ୍କ ଦବଦବା କାଏମ ରହିଲା ବା ରହିବ, ସେମାନଙ୍କ ଛାଇ ସୁଦ୍ଧା ମହିଳା ଖେଳାଳିଙ୍କୁ ଭୟଭୀତ କରୁଛି। ଆଉ ଏବେ ତ ସଂପୂର୍ଣ୍ଣ ଭାବେ ତାହା ତାଙ୍କ କବଜାକୁ ଚାଲିଗଲା। ତାଙ୍କ ଗଳାରେ ଫୁଲମାଳ ପଡ଼ିଥିବାର ଫଟୋ ଆପଣଙ୍କ ପାଖରେ ପହଞ୍ଚିଥିବ। ଯେଉଁ ଝିଅମାନଙ୍କୁ ବେଟି ବଚାଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବାସାଡର ବନିବାର ଥିଲା, ସେହିମାନଙ୍କର ଏମିତି ଅବସ୍ଥା କରିଦିଆଗଲା ଯେ ସେମାନଙ୍କୁ ନିଜ ଖେଳ ଛାଡ଼ିବାକୁ ପଡ଼ିଲା। ଆମେ ‘ସମ୍ମାନିତ’ କୁସ୍ତିଯୋଦ୍ଧା କିଛି କରିପାରିବୁ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ‘ସମ୍ମାନିତ’ ହୋଇ ନିଜ ଜୀବନ ବଞ୍ଚି ପାରିବି ନାହିଁ। ଏମିତି ଜୀବନ କଣ୍ଟା ଭଳି ଲାଗୁଛି। ସେଥିପାଇଁ ଏହି ସମ୍ମାନ ମୁଁ ଆପଣଙ୍କୁ ଫେରସ୍ତ କରୁଛି।