ଅନୀଲ କୁମ୍ବେଲଙ୍କୁ କିଏ ବା ନଜାଣେ? ତାଙ୍କର ପରିଚୟ ଦେବାରେ ବି ଆବଶ୍ୟକ ନାହିଁ। ସେ ଭାରତର ସର୍ବଶ୍ରେଷ୍ଠ ଲେଗ ସ୍ପିନର। ୧୩୨ ଟେଷ୍ଟରେ ସେ ଭାରତ ପାଇଁ ନେଇଛନ୍ତି ୬୧୯ ୱିକେଟ୍। କ୍ୟାରିୟରର ଶେଷ କିଛି ବର୍ଷ ସେ ଭାରତୀୟ ଦଳର ଅଧିନାୟକ ବି ଥିଲେ। କେବଳ ଟେଷ୍ଟରେ ସେ ଭାରତ ପାଇଁ ମୋଟରେ ବୋଲିଂ କରିଛନ୍ତି ୪୦,୮୫୦ ବଲ୍ ଯାହାକି ଭାରତ ପାଇଁ ସର୍ବାଧିକ ଏବଂ ବିଶ୍ୱର ଦ୍ୱିତୀୟ ସର୍ବାଧିକ ବଲ୍ ବୋଲିଂ କରିଥିବା ବୋଲର। କୁମ୍ବଲେ କ୍ୟାରିୟର ସରିଲା ପରେ ବର୍ଷଟିଏ ପାଇଁ ଭାରତୀୟ ଦଳର କୋଚ୍ ମଧ୍ୟ ଥିଲେ।
କୁମ୍ବଲେ ଭାରତୀୟ ଦଳ ଏବଂ ପ୍ରଂଶସକଙ୍କୁ ଅନେକ ସ୍ମରଣୀୟ ମୂହୂର୍ତ୍ତ ସବୁ ଭେଟି ଦେଇଛନ୍ତି। ସେଥିରୁ ଅନେକ ଐତିହାସିକ ମଧ୍ୟ। ୧୯୯୯ରେ ଫିରୋଜ ଶାହା କୋଟଲାରେ ପାକିସ୍ତାନ ବିପକ୍ଷରେ କୁମ୍ବଲେ ଏକାକୀ ଗୋଟିଏ ଇନିଂସରେ ଦଶଟି ଯାକ ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ। ଏଥିପାଇଁ ଅନେକ କୁମ୍ବଲେଙ୍କୁ ମନେ ରଖିଛନ୍ତି। ତେବେ ଆମେ ଏଠାରେ ଆଉ ଏକ ଇଂନିସ୍ ବିଷୟରେ କଥା ହେବା ଯାହା କୁମ୍ବଲେଙ୍କୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଅମର କରି ରଖିଛି।
ମେ ୨୦୦୨ ମସିହାର କଥା। ଭାରତ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ଏକ ଦ୍ୱିପାକ୍ଷିକ ସିରିଜର ଚତୁର୍ଥ ଟେଷ୍ଟ ଖେଳା ଯାଉଥାଏ ୱେଷ୍ଟ ଇଂଡିଜର ସେଂଟ ଜନ୍ସ ପଡ଼ିଆରେ। ପ୍ରଥମ ଇଂନିସ୍ରେ ଭାରତ ୨୩୫ ଭିତରେ ପାଂଚ ୱିକେଟ୍ ହରାଇ ବିପଦରେ ପଡ଼ିଥାଏ। ଭାରତ ପାଇଁ ଶେଷ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ୍ କହିଲେ କେବଳ ୱିକେଟ କିପର ଅଜୟ ରାତ୍ରା। ତେବେ କୁମ୍ବଲେ ଜଣେ ନାମକରା ବ୍ୟାଟ୍ସମ୍ୟାନ୍ ନହେଲେ ବି ଅଜୟଙ୍କଠାରୁ ଅଭିଜ୍ଞତାରେ ଅଧିକ ଥିଲେ। ତେଣୁ ତାଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ପଠା ହେଲା।
କୁମ୍ବଲେ ବ୍ୟାଟିଂ କରିବାକୁ ଆସିଲାବେଳକୁ ସାମନାରେ ଥିଲେ ମର୍ଭିନ ଡିଲୋନ। ୱେଷ୍ଟ ଇଣ୍ଡିଜର ବୋଲିଂ ବିଭାଗର ମୁଖ୍ୟ ବୋଲର। କୁମ୍ବଲେ ପଡ଼ିଆକୁ ଆସିବା ମାତ୍ରେ ମର୍ଭିନ ବାଉନ୍ସର ପକାଇବା ଆରମ୍ଭ କରିଦେଲେ। ସାଧାରଣତଃ ବ୍ୟାଟିଂ ଅର୍ଡରରେ ତଳେ ବ୍ୟାଟିଂ କରୁଥିବା ବୋଲରମାନଙ୍କର ବ୍ୟାଟିଂ କରିବାରେ ଦୁର୍ବଳତା ଥାଏ। ସେମାନଙ୍କ ପକ୍ଷରେ ଏହିପରି ବାଉନ୍ସର ଖେଳିବା କଷ୍ଟକର ବ୍ୟାପାର। ସାଧାରଣତଃ ଶେଷ ଅର୍ଡରରେ ବ୍ୟାଟିଂ କରୁଥିବା ବୋଲରମାନଙ୍କୁ ବିପକ୍ଷ ଦଳର ବୋଲରମାନେ ସମ୍ମାନ ସ୍ୱରୂପ ବାଉନ୍ସର ପକାଇନଥାନ୍ତି। ତେବେ ଯେହେତୁ କୁମ୍ବଲେ ଛଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ତାଙ୍କୁ ଏ ସୁବିଧା ମିଳିବାର ନଥିଲା । ମର୍ଭିନ ଡିଲୋନଙ୍କ ବାଉନ୍ସର ବୋଲିଂ ଜାରୀ ରହିଲା।
କୁମ୍ବଲେ ଏହି ଇନିଂସରେ ଖେଳିଥିଲେ ମାତ୍ର ୧୭ଟି ବଲ। କରିଥିଲେ ମାତ୍ର ୬ ରନ। ସେହି ମର୍ଭିନ ଡିଲୋନଙ୍କ ବଲରେ ଚନ୍ଦ୍ରପାଲଙ୍କୁ କ୍ୟାଚ୍ ଟେକିଦେଇ ନିଜ ୱିକେଟ୍ ହରାଇଥିଲେ। ତେବେ ଏହି ୧୭ଟି ବଲ ଖେଳିବା ଭିତରେ ଗୋଟିଏ ବଲ ସିଧା ଆସି କୁମ୍ବଲେଙ୍କ ହେଲମେଟରେ ବାଜିଥିଲା। ଏହି ଆଘାତ ଏତେ ଭୟଙ୍କର ଥିଲା ଯେ କୁମ୍ବଲେ କିଛି ସମୟ ପାଇଁ ଅସ୍ଥିର ହୋଇଗଲେ। ବଲ୍ ସିଧା ଆସି କୁମ୍ବଲେଙ୍କ ଥୋଡ଼ିରେ ବାଜିଥିଲା। କୁମ୍ବଲେ ଏହି ଘଟଣାର କିଛି ସମୟ ପରେ ଆଉଟ୍ ହୋଇ ପାଭଲିଅନକୁ ଫେରିଗଲେ।
ପାଭିଲିଅନରୁ ସିଧା ଡାକ୍ତରଖାନା ଯାଇ କୁମ୍ବଲେ ନିଜ ଥୋଡ଼ିର ଏକ୍ସରେ କରାଇଲେ। ସବୁ ଠିକ୍ ଠାକ୍ ଥିବାର ଲାଗିଲା। କିଛି ମେଡିସିନ୍ ଧରି କୁମ୍ବଲେ ଫେରିଆସିଲେ।
ତା’ ପର ଦିନ ସକାଳୁ କୁମ୍ବଲେଙ୍କୁ ବେଶ ଅଜବ ଅନୁଭବ ହେଲା। ଯନ୍ତ୍ରଣାରେ ଥୋଡ଼ି ଏବଂ ମୁହଁ ଫାଟି ପଡୁଥାଏ। ଆଉ ସବୁଠୁ ବିସ୍ମୟକର କଥା ହେଲା ତାଙ୍କ ଥୋଡ଼ି ଏବଂ ମାଢ଼ି ଆପଣାଛାଏଁ ହଲୁଥାଏ। କୁମ୍ବଲେ ତୁରନ୍ତ ଉଠି ଭାରତୀୟ ଦଳର ଫିଜିଓ ଆଣ୍ଡ୍ରୁ ଲିଉପସଙ୍କ ପାଖକୁ ଗଲେ। ଆଉ ଥରେ ଏକ୍ସ-ରେ ହେଲା। ଏବେ ଜଣା ପଡ଼ିଲା ଯେ ତାଙ୍କ ଥୋଡ଼ି ଫାଟି ଯାଇଛି। ଏହାର ଦୀର୍ଘ ମିଆଦୀ ଚିକିତ୍ସା ଦରକାର। ତେବେ ବର୍ତ୍ତମାନ ପାଇଁ ତାଙ୍କର ମୁଣ୍ଡରେ ଗୋଟିଏ ପଟି ଭିଡ଼ି ଦିଆହେଲା ଯେପରିକି ତାଙ୍କ ଥୋଡ଼ି ଆଉ ଆପଣାଛାଏଁ ହଲିବ ନାହିଁ। ଆଗକୁ ଏହାର ଅସ୍ତ୍ରୋପଚାର ଆବଶ୍ୟକ ଥିଲା। କୁମ୍ବଲେ ଭାରତରେ ଏହି ଅସ୍ତ୍ରୋପଚାର କରାଇବାକୁ ଚାହୁଁଥିଲେ। ତେଣୁ ଚିନ୍ତା କରାହେଲା ଯେ କୁମ୍ବଲେ ତୁରନ୍ତ ଭାରତ ପଳାଇ ଆସିବେ।
କିନ୍ତୁ ଏହା ଅଧିନାୟକ ସୌରଭଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କଲା। କାରଣ କୁମ୍ବଲେ ମ୍ୟାଚ୍ ଅଧାରୁ ପଳାଇ ଆସିଲେ ଭାରତ ପାଖରେ ମାତ୍ର ତିନି ଜଣ ବିଶେଷଜ୍ଞ ବୋଲର ରହିଯିବେ। ସେମାନେ ହେଲେ ଜାହୀର ଖାନ୍, ଆଶିଷ୍ ନେହେରା ଏବଂ ଜଭଗଲ ଶ୍ରୀନାଥ। ବିଦେଶରେ ଭାରତ ମୂଳରୁ ହିଁ ଚାରି ଜଣ ବୋଲର ନେଇ ଖେଳେ। ମଝିରେ ମଝିରେ ସଚିନ୍ କିମ୍ବା ନିଜେ ଅଧିନାୟକ ସୌରଭ ଗାଙ୍ଗୁଲୀ କିଛି କିଛି ଓଭର ବୋଲିଂ କରନ୍ତି। ତେଣୁ ବାଧ୍ୟ ହୋଇ ଚତୁର୍ଥ ଦିନର ବାକି ସମୟତକ କୁମ୍ବଲେ ପଡ଼ିଆକୁ ଓହ୍ଲାଇବାକୁ ଚାହିଁଲେ।
ଟିମ୍ ପାଖରେ ବି କୌଣସି ବିକଳ୍ପ ନଥିଲା। ପ୍ରଥମ ପାଳିରେ ଭାରତ ୯ ୱିକେଟ୍ ବିନିମୟରେ ୫୧୩ ରନ କରି ଇନିଂସ୍ ସମାପ୍ତି ଘୋଷଣା କରିଥିଲା। ଅଜୟ ରାତ୍ରା କୁମ୍ବଲେଙ୍କ ପରେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୧୧୫ ରନର ଇଂନିସ୍ ଖେଳି ନଥିଲେ ଭାରତ ବିପଦରେ ପଡ଼ିଥାଆନ୍ତା। ଭାରତ ନିଜର ପ୍ରଥମ ଇନିଂସରେ ବଡ଼ ସ୍କୋର କଲା ସତ ହେଲେ ବିପକ୍ଷକୁ ଅଲଆଉଟ୍ କରି ମ୍ୟାଚକୁ ହାତକୁ ନେବାରେ ସଫଳ ହେବା ପାଇଁ ସମୟ ନଥିଲା। ଯେହେତୁ ମ୍ୟାଚ୍ ଚତୁର୍ଥ ଦିନକୁ ଆସି ସାରିଥିଲା ତେଣୁ ବାକିଥିବା ଦୁଇ ଦିନରେ ଯେ ଆଉ ତିନି ଇଂନିସ୍ ସରିବ ତାହା ସମସ୍ତଙ୍କର ଆଶା ବାହାରେ ଥିଲା। ମୋଟାମୋଟି ଏହି ମ୍ୟାଚ୍ ଡ୍ର ଆଡ଼କୁ ଯାଉଥିଲା।
ତେବେ ଏହି ମ୍ୟାଚରେ ରୋମାଂଚ ସେତେବେଳେ ବଢ଼ିଗଲା ଯେତେବେଳେ ନିଜେ କୁମ୍ବଲେ ବଲ ଧରି ଲମ୍ବା ଲମ୍ବା ପାହୁଣ୍ଡ ପକାଇ ବୋଲିଂ ମାର୍କ ଆଡ଼କୁ ଆସିଲେ। ମୁଣ୍ଡରେ ବ୍ୟାଣ୍ଡେଜ ବନ୍ଧା ହୋଇଛି। ମୁହଁ ଖୋଲି ଚିତ୍କାର କରିବାବେଳେ କଷ୍ଟ ହେଉଛି। ତଥାପି କୁମ୍ବଲେ ବୋଲିଂ ମାର୍କ ଉପରେ ପାଦ ଘୋଷାଡ଼ି ନିଜର ରନ ଅପରେ ମାର୍କ ତିଆରି କରିବାରେ ବ୍ୟସ୍ତ। କୁମ୍ବଲେଙ୍କୁ ଏପରି ସ୍ଥିତିରେ ଦେଖି ଭାରତୀୟ ଦଳର ଫିଜିଓ ଆଣ୍ଡ୍ରୁ ଲିଉପସ୍ଙ୍କ ବିପି ବଢ଼ିଯିବା ଉପରେ। ସେ ଚାହୁଁଥିଲେ ଯେ କୁମ୍ବଲେ ବୋଲିଂ କରି ନିଜ ପାଇଁ ଆହୁରି ବିପଦ ନ ଆଣନ୍ତୁ। ତେବେ ଯେତେବେଳେ କୁମ୍ବଲେ ବୋଲିଂ ମାର୍କ ଉପରକୁ ଗଲେ ସେତେବେଳେ ତାଙ୍କୁ ବୋଲିଂ ପରେ ଅପିଲ୍ ନକରିବାକୁ ଲିଉପସ୍ ନିବେଦନ କଲେ। ଜଣେ ବୋଲର ବୋଲିଂ କରିବ ଆଉ ୱିକେଟ୍ ପାଇବା ପାଇଁ ଅପିଲ ନ କରିବ ଏହା କଣ ସଂଭବ? ତା’ପରେ କୁମ୍ବଲଙ୍କ ପରି ଜଣେ ଆଗ୍ରେସିଭ୍ ସ୍ପିନର ଯଦି ବୋଲିଂ କରି ଅପିଲ୍ ନ କରିବେ ତାହା ହେଲେ ହେବ କେମିତି?
କୁମ୍ବଲେ ବୋଲିଂ ଜାରୀ ରଖିଲେ। ମୁହଁ ଫୁଲି ଯାଇଛି। ମୁଣ୍ଡରେ ବ୍ୟାଣ୍ଡେଜ ବନ୍ଧା ହୋଇଛି। ଜୋରରେ ନିଃଶ୍ୱାସ ନେବା କଷ୍ଟ। ତଥାପି ସେହି ଅବସ୍ଥାରେ କୁମ୍ବଲେ ବୋଲିଂ ଜାରୀ ରଖିଲେ। ଗୋଟିଏ ଓଭର କି ଦୁଇ ଓଭର ନୁହେଁ, ପୂରା ୧୪ ଓଭର। ତା’ ଭିତରେ ଅପିଲ ବି ଚାଲିଥାଏ। ଲିଉପସ୍ ବ୍ୟସ୍ତ ହୋଇ ପଡୁଥାନ୍ତି। ପ୍ରତି ଦୁଇ ଓଭର ମଝିରେ କୁମ୍ବଲେ ଯେତେବେଳେ ଥାର୍ଡମ୍ୟାନ୍ରେ ଫିଲ୍ଡିଂ କରିବାକୁ ଆସୁଥାଅନ୍ତି ଲିଉପସ୍ ମଝିରେ ମଝିରେ ଦୌଡ଼ିଯାଇ କୁମ୍ବଲେଙ୍କ ବ୍ୟାଣ୍ଡେଜକୁ ଆଉ ଟିକେ ଟାଇଟ୍ କରିଦେଉଥାଅନ୍ତି। କୁମ୍ବଲେ ସେତେବେଳକୁ ଷଷ୍ଠ ବୋଲର ହିସାବରେ ବୋଲିଂ କରୁଥାନ୍ତି।
କୁମ୍ବଲେଙ୍କ ଏହି ପରିଶ୍ରମ ବ୍ୟର୍ଥ ଯାଇନଥିଲା। କୁମ୍ବଲେ ଏହି ମ୍ୟାଚ୍ରେ ଆଉଟ୍ କରିଥିଲେ ବ୍ରିୟାନ ଲାରାଙ୍କୁ। ଲାରା ପଚିଶ ବଲ୍ ଖେଳି ମାତ୍ର ଚାରି ରନ କରି କୁମ୍ବଲେଙ୍କ ବଲରେ ଏଲବିଡ୍ଲୁ ହୋଇଥିଲେ। କୁମ୍ବଲେ ନିଜ ସ୍ପେଲର ଚତୁର୍ଥ ଓଭରରେ ସେହି ୱିକେଟ୍ ନେଲା ପରେ ନିଜେ କିର୍ତ୍ତମାର୍ମାନ ସ୍ଥାପନ କଲେ। ନିଜେ କଷ୍ଟରେ ଥାଇ ଯନ୍ତ୍ରଣାରେ ଜର୍ଜରିତ ହୋଇ ବି ଜଣେ ତଥାପି ସଫଳତା ପାଇପାରେ ତାହା ପ୍ରମାଣିତ କରିଥିଲେ। ଲାରା ବୋଧହୁଏ କୁମ୍ବଲେଙ୍କର ଏହି ଅବତାରରେ ଆର୍ଶ୍ଚଯ୍ୟ ହୋଇ ସାରିଥିଲେ। ଯେତେବେଳେ ତାଙ୍କର ବାମ ଗୋଡ଼ ପପିଂ କ୍ରିଜରେ ପଡୁଥାଏ କୁମ୍ବଲେଙ୍କ ମୁହଁରେ ଯନ୍ତ୍ରଣାର ଛାପ ସ୍ପଷ୍ଟ ବାରି ହୋଇ ପଡୁଥାଏ। ଏହା ତାଙ୍କର ସବୁ ସାଥି ଖେଳାଳୀ ଦେଖି ପାରୁଥିଲେ। ମାତ୍ର ଲାରାଙ୍କ ୱିକେଟ୍ ତାଙ୍କ ପାଇଁ ଆଶ୍ୱସ୍ତିର ମଲମ ହୋଇ କାମ କରୁଥାଏ। ମ୍ୟାଚ୍ ଶେଷ ବେଳକୁ କୁମ୍ବଲେଙ୍କ ସ୍ୱେଲର ବିଶ୍ଲେଷଣ ଥିବା ୧୪-୫-୨୯-୧। ଯନ୍ତ୍ରଣାକୁ ଜୟ କରି କୁମ୍ବଲେ ଭାରତୀୟ ଦର୍ଶକଙ୍କ ଆଖି ଆଗରେ ହୀରୋ ହୋଇ ସାରିଥିଲେ। ଯଦିଓ ଆଗରୁ ଅନେକ ଆଘାତପ୍ରାପ୍ତ ହୋଇ ମଇଦାନକୁ ଓହ୍ଲାଇଥିଲେ ତେବେ କୁମ୍ବଲେଙ୍କ ପରି ଆଘାତ ପାଇ ପଡ଼ିଆକୁ ଓହ୍ଲାଇବା ଏବଂ ପ୍ରାୟ ଦୁଇ ଘଂଟା ଧରି ଅନବରତ ବୋଲିଂ କରି ଚାଲିବା ସତରେ ବିରଳ ଥିଲା। କୁମ୍ବଲେଙ୍କର ସେହି ବ୍ୟାଣ୍ଡେଜ ପିନ୍ଧି ଅପିଲ୍ କରୁଥିବା ଦୃଶ୍ୟ ଭାରତୀୟ କ୍ରିକେଟରଙ୍କୁ ଅନେକ ସମୟଯାଏ ଉଦବୁଧ କରି ରଖିଥିଲା ଏବଂ ଆଗକୁ କରିବ ମଧ୍ୟ।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।