ଏସିଆ କପ୍‌ ଟାଇଟଲ୍‌ ପାଇଁ କୌଣସି ସୁଯୋଗ ହାତଛଡ଼ା କରିବନି ବାଂଲାଦେଶ

ଦୁବାଇ: ଘରୋଇ ମହାଦେଶର କ୍ରିକେଟ୍‌ ମଇଦାନ୍‌ରେ ନିଜ ଆଧିପତ୍ୟ ଜାହିର କରିବାକୁ ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଶୁକ୍ରବାର ଗ୍ରାଣ୍ଡ୍‌ ଫିନାଲେରେ ବିଜୟୀ ହୋଇ ଏସିଆ କପ୍‌ ଇତିହାସରେ ସପ୍ତମ ଥର ପାଇଁ ଟାଇଟଲ୍‌ କବ୍‌ଜା କରିବାକୁ ଜବରଦସ୍ତ ପ୍ରୟାସ କରିବ। ତେବେ ମେଗା ଟୁର୍ଣ୍ଣାମେଣ୍ଟ୍‌ ଜିତିବାର ଭୋକ ଏଯାଏ ମେଣ୍ଟି ନଥିବାରୁ ତୃତୀୟ ଥର ଏସିଆ କପ୍‌ ଫାଇନାଲ୍‌କୁ ଆସିଥିବା ବାଂଲାଦେଶ ଭାରତକୁ ମାତ୍‌ ଦେଇ ଟ୍ରଫି ହାତେଇବାର କୌଣସି ସୁଯୋଗ ବି ହାତଛଡ଼ା କରିବ […]

spo

Premananda Dash
  • Published: Thursday, 27 September 2018
  • , Updated: 27 September 2018, 04:31 PM IST

ଦୁବାଇ: ଘରୋଇ ମହାଦେଶର କ୍ରିକେଟ୍‌ ମଇଦାନ୍‌ରେ ନିଜ ଆଧିପତ୍ୟ ଜାହିର କରିବାକୁ ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଶୁକ୍ରବାର ଗ୍ରାଣ୍ଡ୍‌ ଫିନାଲେରେ ବିଜୟୀ ହୋଇ ଏସିଆ କପ୍‌ ଇତିହାସରେ ସପ୍ତମ ଥର ପାଇଁ ଟାଇଟଲ୍‌ କବ୍‌ଜା କରିବାକୁ ଜବରଦସ୍ତ ପ୍ରୟାସ କରିବ। ତେବେ ମେଗା ଟୁର୍ଣ୍ଣାମେଣ୍ଟ୍‌ ଜିତିବାର ଭୋକ ଏଯାଏ ମେଣ୍ଟି ନଥିବାରୁ ତୃତୀୟ ଥର ଏସିଆ କପ୍‌ ଫାଇନାଲ୍‌କୁ ଆସିଥିବା ବାଂଲାଦେଶ ଭାରତକୁ ମାତ୍‌ ଦେଇ ଟ୍ରଫି ହାତେଇବାର କୌଣସି ସୁଯୋଗ ବି ହାତଛଡ଼ା କରିବ ନାହିଁ।

ଦୁବାଇ ଇଣ୍ଟର୍‌ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ଟାଇଟଲ୍‌ ଲଢେଇ ପାଇଁ ବାଂଲାଦେଶର ପ୍ରମୁଖ ସମସ୍ୟା ହୋଇଛି ଦଳର ଖେଳାଳିଙ୍କ ଆହତଜନିତ ସମସ୍ୟା। ବାମହାତୀ ଷ୍ଟ୍ରୋକ୍‌ମେକର୍‌ ତାମିମ୍‌ ଇକ୍‌ବାଲ୍‌ ଆହତ ହେବା ଯୋଗୁ ଏସିଆ କପ୍‌ରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବାବେଳେ ସେହି ଏକାକାରଣରୁ ତାରକା ଖେଳାଳି ତଥା ପୂର୍ବ ଅଧିନାୟକ ଶାକିବ୍‌ ଅଲ୍‌ ହସନ୍‌ ସୁପର୍‌ ଫୋର୍‌ର ପାକିସ୍ତାନ୍‌ ବିପକ୍ଷ ମ୍ୟାଚ୍‌ରୁ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲେ। ଶାକିବ୍‌ଙ୍କ ଜଖମ ଗୁରୁତର ଥିବାରୁ ସେ ଭାରତ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଏହା ଭାରତ ପାଇଁ ଯେତିକି ଖୁସିର ଖବର, ତା'ଠାରୁ ବାଂଲାଦେଶ ପାଇଁ ଅଧିକ ଚିନ୍ତାର ବିଷୟ।

ଗତ କିଛି ବର୍ଷ ଧରି ବାଂଲା କ୍ରିକେଟ୍‌ର ମେରୁଦଣ୍ଡ ସାଜିଥିବା ଶାକିବ୍‌, ମ୍ୟାଚ୍‌ର ମଝି ଓଭର୍‌ରେ ଦଳୀୟ ବୋଲିଂର ନେତୃତ୍ୱ ନେଉଥିବାବେଳେ ମଧ୍ୟକ୍ରମ ବ୍ୟାଟିଂର ମଧ୍ୟ ମଙ୍ଗୁଆଳ ସାଜୁଥିଲେ। ଏବେ ଶାକିବ୍‌ଙ୍କ ଅନୁପସ୍ଥିତିରେ ବାମହାତୀ ଫାଷ୍ଟ୍‌ ବୋଲର୍‌ ମୁସ୍ତାଫିଜୁର୍‌ ରହମାନ୍‌ ଓ ଅଫ୍‌ ବ୍ରେକ୍‌ ବୋଲର୍‌ ମହମ୍ମଦୁଲ୍ଲାଙ୍କ ସମେତ ଅଧିନାୟକ ମଶ୍ରଫି ମର୍ତ୍ତାଜାଙ୍କୁ ମିଳିତ ଭାବେ ବାଂଲାଦେଶ ବୋଲିଂର ଅତିରିକ୍ତ ବୋଝ ଉଠାଇବାକୁ ପଡ଼ିବ।

ଅବଶ୍ୟ ପାକିସ୍ତାନ୍‌ ବିପକ୍ଷ ମ୍ୟାଚ୍‌ରେ ଉଭୟ ମୁସ୍ତାଫିଜୁର୍‌ ଓ ମହମ୍ମଦୁଲ୍ଲା, ଅଧିନାୟକ ମର୍ତ୍ତାଜାଙ୍କୁ ଶାକିବ୍‌ଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇ ନଥିଲେ। ଆଉ ଫାଇନାଲ୍‌ରେ ମେହିଦୀ ହସନ୍‌ ଏମାନଙ୍କୁ ଭରପୂର ସହଯୋଗ କଲେ, ଟିମ୍‌ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍‌କୁ ବାଂଲାଦେଶ ବୋଲିଂ କଡ଼ା ଚ୍ୟାଲେଞ୍ଜ୍‌ ଦେବ। ସେହିପରି ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ବ୍ୟାଟସ୍‌ମ୍ୟାନ୍‌ ମୁଶଫିକର୍ ରହିମ୍ ଓ ନବାଗତ ମହମ୍ମଦ ମିଥୁନ୍‌ଙ୍କ ଉନ୍ନତ ଫର୍ମ ସହ ମହମ୍ମଦୁଲ୍ଲାଙ୍କ ପ୍ରଦର୍ଶନ, ଶାକିବ୍‌ଙ୍କ ବ୍ୟାଟିଂ ସାମର୍ଥ୍ୟର ଅଭାବକୁ ଦଳୀୟ ସ୍କୋର୍‌ ବୋର୍ଡରେ ପଡ଼ିବାକୁ ଦେବ ନାହିଁ।

ତେବେ ବାଂଲା ଟାଇଗର୍‌ଙ୍କ ପାଇଁ ପ୍ରମୁଖ ସମସ୍ୟା ହେବ ଓପନିଂ। ତାମିମ୍‌ ଇକବାଲ୍‌ଙ୍କ ଅନୁପସ୍ଥିତିରେ ଲିଟନ୍ ଦାସ ଓ ସୌମ୍ୟ ସରକାର ଦଳକୁ ଭଲ ଷ୍ଟାର୍ଟ ଦେବାରେ ଏଯାଏ ସଫଳ ହୋଇ ନଥିବାରୁ ଭାରତ ବିପକ୍ଷ ଗ୍ରାଣ୍ଡ ଫିନାଲେରେ ଦଳକୁ ଫେରିଥିବା ଅଭିଜ୍ଞ ଇମ୍ରୁଲ୍ କାୟିସ୍‌ଙ୍କୁ ଇନିଂସ ଆରମ୍ଭର ଦାୟିତ୍ୱ ଦେବାକୁ ବାଂଲାଦେଶ ଥିଙ୍କ୍‌ଟ୍ୟାଙ୍କ୍‌ ଚିନ୍ତା କରିପାରେ।

କାଗଜ କଲମର ରେକର୍ଡରେ ବାଂଲାଦେଶଠାରୁ ଯଥେଷ୍ଟ ଭାରୀ ମନେ ହେଉଥିବା ଟିମ୍‌ ଇଣ୍ଡିଆ ଫାଇନାଲ୍ ମ୍ୟାଚ୍ ପାଇଁ ଏହାର ପୂର୍ବ ଏକାଦଶରେ ପରିବର୍ତ୍ତନ କରିବ। ଆଫଗାନିସ୍ତାନ୍‌ ବିପକ୍ଷ ରୋମାଞ୍ଚକର ସୁପର୍ ଫୋର୍‌ରେ ବିଶ୍ରାମ ନେଇଥିବା ଅଧିନାୟକ ରୋହିତଙ୍କ ସହ ତାଙ୍କ ଯୋଡ଼ି ଶିଖର ଧୱନ ଓପନିଂକୁ ଫେରିବେ ଏବଂ ଲୋକେଶ୍ ରାହୁଲ୍‌ଙ୍କୁ ୩ ନମ୍ବର ଓ ପରେ ଧୋନିଙ୍କ ସହ ଫର୍ମରେ ଥିବା ଅମ୍ବାତି ରାୟିଡୁ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ସମ୍ଭାଳିବେ ବୋଲି ଆଶା କରାଯାଉଛି।

ଏମାନଙ୍କ ସହ ଦୁଇ ଅଲ୍‌ରାଉଣ୍ଡର୍‌ କେଦାର୍ ଯାଦବ୍‌ ଓ ରବୀନ୍ଦ୍ର ଜାଡେଜା ୬ ନମ୍ବର ଓ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ, ଭେଟେରାନ୍‌ ଦୀନେଶ୍ କାର୍ତ୍ତିକ ଓ ଆଫ୍‌ଗାନିସ୍ତାନ୍ ବିପକ୍ଷ ସୁପର୍‌ ଫୋର୍‌ରେ ଟିମ୍‌କୁ ଫେରିଥିବା ମନୀଷ ପାଣ୍ଡେଙ୍କୁ ବେଞ୍ଚ୍‌ରେ ବସିବାକୁ ପଡ଼ିବ। ରିଷ୍ଟ୍‌ ସ୍ପିନିଂ ଯୋଡ଼ି ୟଜୁବେନ୍ଦ୍ର ଚହଲ୍‌ ଓ କୁଲଦୀପ ଯାଦବ୍‌ଙ୍କ ସହ ଭୁବନେଶ୍ୱର କୁମାର୍‌ ଓ ଯଶପ୍ରୀତ୍‌ ବୁମ୍ରା ଭାରତୀୟ ବୋଲିଂ ଆକ୍ରମଣ ସମ୍ଭାଳିବେ।

ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍‌ କ୍ରିକେଟ୍  ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ବିପକ୍ଷ ଏହି ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଶୁକ୍ରବାର ଭାରତୀୟ ସମୟ ଅପରାହ୍ନ ୫ଟାରୁ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟ୍‌ସ ନେଟ୍‌ୱର୍କ୍‌ ଏହାର ସିଧାପ୍ରସାରଣ କରିବ। 

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା(ଅ), ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ମହେନ୍ଦ୍ର ସିଂହ ଧୋନି(ୱି), ଅମ୍ବାତି ରାୟିଡ଼ୁ, କେଦାର୍ ଯାଦବ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର୍‌, ୟଜୁବେନ୍ଦ୍ର ଚହଲ୍‌, କୁଲ୍‌ଦୀପ ଯାଦବ୍‌ ଏବଂ ୟଶପ୍ରୀତ୍‌ ବୁମ୍ରା।

ସମ୍ଭାବ୍ୟ ବାଂଲାଦେଶ ଦଳ: ଲିଟନ୍ ଦାସ, ସୌମ୍ୟ ସରକାର୍‌, ମମିନୁଲ୍‌ ହକ୍‌, ମୁଶ୍‌ଫିକର୍ ରହିମ୍‌(ୱି), ମହମ୍ମଦ ମିଥୁନ୍‌, ଇମ୍ରୁଲ୍ କାୟିସ୍‌, ମହମ୍ମଦୁଲ୍ଲା, ମେହିଦୀ ହସନ୍ ରାଜା, ମଶ୍ରଫି ମର୍ତ୍ତାଜା(ଅ), ରୁବେଲ୍ ହୋସେନ୍‌ ଏବଂ ମୁସ୍ତାଫିଜୁର୍ ରହମନ୍‌।

 

Related story