/odisha-reporter/media/media_files/2026/01/04/bangladesh-2026-01-04-17-02-30.jpg)
୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବ ନାହିଁ ବାଂଲାଦେଶ। ରବିବାର ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପକ୍ଷରୁ ଏହି ଘୋଷଣା କରାଯାଇଛି। ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଟିମ୍ରୁ ବିଦା କରାଯିବାର ଗୋଟିଏ ଦିନ ପରେ ବିସିବି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିସିବି ସୁରକ୍ଷା ଆଳ ଦେଖାଇ ଭାରତ ଆସିବାକୁ ମନା କରି ଦେଇଛି।
ଆଇସିସିକୁ ପଠାଇଥିବା ଇମେଲରେ ବିସିବିଲେଖିଛି, ସୁରକ୍ଷା ଦୃଷ୍ଟିକୋଣରୁ ଟିଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତକୁ ଟିମ୍ ପଠାଇବା ସମ୍ଭବପର ନୁହେଁ।
ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରଥମେ ଆଇସିସି ନିକଟରେ ୩ଟି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଥିଲା। କିନ୍ତୁ ଏବେ ମାତ୍ର ଗୋଟିଏ ଦାବି ଜଣାଇଛି। ଆଜି ଅପରାହ୍ନରେ ବିସିବିର ୧୭ ଜଣ ନିର୍ଦ୍ଦେଶକଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଭାରତ ମାଟିରେ ବାଂଲାଦେଶ ଟିଟ୍ୱେଣ୍ଟି ବିଶ୍ୱକପ୍ର କୌଣସି ମ୍ୟାଚ୍ ଖେଳିବ ନାହିଁ।
ବାଂଲାଦେଶ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛି। ତେବେ ଆଇସିସି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍ର ଆୟୋଜକ ରହିଛନ୍ତି।
ବିସିସିଆଇର ଅନୁରୋଧ ପରେ ଗତକାଲି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ରିଲିଜ୍ କରି ଦେଇଥିଲା। ୨୦୨୫ ଡିସେମ୍ବରରେ ଆଇପିଏଲ ୨୦୨୬ ମିନି ଅକ୍ସନରେ କେକେଆର ୯.୨୦ କୋଟି ଟଙ୍କାରେ ମୁସ୍ତାଫିଜୁରଙ୍କୁ କିଣିଥିଲା।
ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଘଟୁଥିବା ହିଂସାକୁ ନେଇ କେକେଆରକୁ ଘେରିଥିଲେ ଭାରତର କିଛି ରାଜନୀତିକ ଦଳ ଓ ଧାର୍ମିକ ସଂଗଠନ। ଏଭଳି ପରିସ୍ଥିତିରେ କେକେଆର ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଟିମ୍ରେ ସାମିଲ କରିବା କେତେ ଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ଏହି ବିବାଦ ଧୀରେ ଧୀରେ ବଡ଼ ରୂପ ନେଉଥିବା ବେଳେ ବିସିସିଆଇର ଅନୁରୋଧ କ୍ରମେ କେକେଆର ମୁସ୍ତାଫିଜୁରଙ୍କୁ ଗତକାଲି ରିଲିଜ୍ କରି ଦେଇଥିଲା।
ମୁସ୍ତାଫିଜୁରଙ୍କୁ କେକେଆର ଟିମ୍ରୁ ରିଲିଜ୍ କରାଯିବା ପରେ ବାଂଲାଦେଶର କ୍ରୀଡ଼ା ମନ୍ତ୍ରାଳୟ ବିସିବିକୁ ଏକ ଚିଠି ଲେଖି ଟିଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲା।
ବାଂଲାଦେଶ ସରକାରଙ୍କ ପରାମର୍ଶଦାତା ଥିବା ଅସିଫ ନଜରୁଲ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ ବିସିସିଆଇର ହିଂସାତ୍ମକ ସାମ୍ପ୍ରଦାୟିକ ନୀତି ପରିପ୍ରେକ୍ଷୀରେ ବିସିବି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।
ମ୍ୟାଚ୍ସୂଚୀ ଅନୁଯାୟୀ, ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ଫେବ୍ରୁଆରୀ ୭ରେ କୋଲକାତାର ଇଡେନ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିଥା’ନ୍ତା ବାଂଲାଦେଶ। ୱେଷ୍ଟଇଣ୍ଡିଜ୍, ଇଟାଲୀ, ନେପାଳ ଓ ଇଂଲଣ୍ଡ ସହିତ ଗ୍ରୁପ୍ ସିରେ ରହିଛି ବାଂଲାଦେଶ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
