Advertisment

ବାରବାଟୀ ରଣଜୀ: ଆସାମକୁ ୮ ୱିକେଟରେ ହରାଇଲା ଓଡ଼ିଶା

କଟକ: ଶେଷରେ ଓଡ଼ିଶାକୁ ଚଳିତ ରଣଜୀ ସିଜିନରେ ମିଳିଛି ପ୍ରଥମ ବିଜୟ। ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଡ୍ର’ ରଖିବା ପରେ ଆସାମକୁ ହରାଇବାରେ ସଫଳ ହୋଇଛି ଦଳ। କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚର ତୃତୀୟ ଦିନରେ ହିଁ ବିଜୟ ହାସଲ କରିଛି ଓଡ଼ିଶା ଟିମ୍। ଭ୍ରମଣକାରୀ ଦଳକୁ ୮ ୱିକେଟରେ ପରାସ୍ତ କରିଛି ଘରୋଇ ଦଳ। ୨ଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା ଓଡ଼ିଶାର ବସନ୍ତ ମହାନ୍ତିଙ୍କୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାରବାଟୀ ରଣଜୀ: ଆସାମକୁ ୮ ୱିକେଟରେ ହରାଇଲା ଓଡ଼ିଶା

BasantMohanty

[caption id="attachment_40319" align="alignleft" width="300"]Basant Mohanti’ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବସନ୍ତ ମହାନ୍ତି[/caption]

Advertisment

କଟକ: ଶେଷରେ ଓଡ଼ିଶାକୁ ଚଳିତ ରଣଜୀ ସିଜିନରେ ମିଳିଛି ପ୍ରଥମ ବିଜୟ। ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଡ୍ର’ ରଖିବା ପରେ ଆସାମକୁ ହରାଇବାରେ ସଫଳ ହୋଇଛି ଦଳ। କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚର ତୃତୀୟ ଦିନରେ ହିଁ ବିଜୟ ହାସଲ କରିଛି ଓଡ଼ିଶା ଟିମ୍। ଭ୍ରମଣକାରୀ ଦଳକୁ ୮ ୱିକେଟରେ ପରାସ୍ତ କରିଛି ଘରୋଇ ଦଳ। ୨ଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା ଓଡ଼ିଶାର ବସନ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’।

ଆସାମ ପ୍ରଥମ ଇନିଂସରେ ଓଡ଼ିଶାଠାରୁ ୪ ରନ୍ ଆଗରେ ଥିଲା। ସେହିପରି ଦଳ ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ କରିଥିଲା ୧୩୭ ରନ୍। ଫଳରେ ବିଜୟ ପାଇଁ ଓଡ଼ିଶା ଆଗରେ ଥିଲା ୧୪୨ ରନ୍। ଏହି ଟାର୍ଗେଟକୁ ନେଇ ଆଜି ଦଳ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ତେବେ ଦଳର ପ୍ରଥମ ୱିକେଟ୍ ୨.୨ ଓଭରରେ ପଡ଼ିଥିଲା। ଦଳୀୟ ସ୍କୋର ମାତ୍ର ୧୨ରେ ପହଞ୍ଚିଥିବା ବେଳେ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ ଓପନର ନଟରାଜ ବେହେରା। ତେଣୁ ପୁଣି ଥରେ ପ୍ରଥମ ଇନିଂସ ଭଳି ଓଡ଼ିଶାର ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ରାଜେଶ ଧୁପର ଓ ଅନୁରାଗ ଷଡ଼ଙ୍ଗୀ ବେଶ୍ ସତର୍କତାର ସହିତ ବ୍ୟାଟିଂ କରିଥିଲେ ଓ ଦଳୀୟ ସ୍କୋରକୁ ଧୀରେ ଧୀରେ ଆଗେଇ ନେଇଥିଲେ। କିନ୍ତୁ ୧୦.୧ ଓଭରରେ ଦଳକୁ ଲାଗିଲା ଦ୍ୱିତୀୟ ଝଟକା। ଅନ୍ୟତମ ଓପନର ଧୁପର ମାତ୍ର ୨୧ ରନ୍ (୩୨ ବଲ୍) କରି ଆଉଟ୍ ହୋଇଯାଇଥିଲେ। ସେ ଆଉଟ୍ ହୋଇଯିବା ପରେ କ୍ରିଜକୁ ଆସିଥିଲେ ଗୋବିନ୍ଦ ପୋଦ୍ଦାର। ଉଭୟ ବିଦର୍ଭ ଓ ମହାରାଷ୍ଟ୍ର ବିରୁଦ୍ଧରେ ଶତକୀୟ ପାରି ଖେଳିଥିବା ପୋଦ୍ଦାର ଆସାମା ବିପକ୍ଷରେ ପ୍ରଥମ ଇନିଂସରେ ଶୂନରେ ଆଉଟ୍ ହୋଇଯାଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟ୍ ପୁଣି କମାଲ ଦେଖାଇବାରେ ସଫଳ ହୋଇଥିଲା। ସେ ଓ ଅନୁରାଗ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ପୋଦ୍ଦାର ୭୭ଟି ବଲରୁ ୭୭ ରନ୍ ସଂଗ୍ରହ କରିଥିବା ବେଳେ ଅନୁରାଗ ଷଡ଼ଙ୍ଗୀ ୧୦୧ଟି ବଲରୁ ୨୯ ରନ୍ କରିଥିଲେ। ଆସାମର ଅରୂପ ଦାସ ଓ ପ୍ରୀତମ ଦାସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ଆଜି ଆସାମ ୧୩୭ରୁ ତାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଗତକାଲିଠାରୁ ଯଥାକ୍ରମେ ୪୨ ଓ ୪ ରନ୍ କରି ଅପରାଜିତ ଥିବା ସୟିଦ ମହମ୍ମଦ ଓ ଅରୂପ ଦାସ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇ ଥିଲେ। ତେବେ ସେମାନେ କୌଣସି ରନ୍ ଯୋଡ଼ିବାରେ ସଫଳ ହୋଇ ନ ଥିଲେ। କାରଣ ଦଳ ଆଜି ଗୋଟିଏ ବି ଓଭର ଖେଳିବାରେ ସମର୍ଥ ହୋଇ ନ ଥିଲା।  ପ୍ରଥମ ବଲରେ ଅରୂପ ଆଉଟ୍ ହୋଇଯାଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା କ୍ରିଷ୍ଣା ଦାସ ମାତ୍ର ଗୋଟିଏ ବଲର ସମ୍ମୁଖୀନ ହୋଇପାରିଥିଲେ ଓ ଦ୍ୱିତୀୟ ବଲରେ ଆଉଟ୍ ହୋଇଯାଇଥିଲେ। ରନର ସାଇଡରେ ଥିବା ସୟିଦ ମହମ୍ମଦ ୪୨ରନରେ ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇଟି ଯାକ ୱିକେଟ୍ ନେଇଥିଲେ।

ଏହି ମ୍ୟାଚର ପ୍ରଥମ ଇନିଂସରେ ଆସାମ ପ୍ରଥମେ ବ୍ୟାଟିଂ କରି ୯୨ ରନ୍ କରିଥିଲା। ଓଡ଼ିଶା ପ୍ରଥମ ଇନିଂସରେ ୮୮ ରନ୍ କରିଥିଲା।

ସୂଚନାଯୋଗ୍ୟ, ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ୍ ଡ୍ର’ କରି ଓଡ଼ିଶା ମାତ୍ର ୧ ପଏଣ୍ଟ ଲେଖାଏଁ ପାଇଥିଲା। ତେବେ ଆଜି ୬ ପଏଣ୍ଟ ପାଇଛି। ଏହା ସହିତ ଦଳ ତିନିଟି ମ୍ୟାଚରୁ ମୋଟ ୮ ପଏଣ୍ଟ୍ ପାଇଛି।