/odisha-reporter/media/media_files/2025/09/25/pakistan-2025-09-25-13-37-42.jpg)
ରୌଫ ଓ ଫରହାନ (ଫାଇଲ ଫଟୋ)
ଭାରତ ବିପକ୍ଷ ମ୍ୟାଚ୍ ବେଳେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଉତ୍ତେଜନା ସୃଷ୍ଟି କରିବା ଭଳି ଇଙ୍ଗିତ କରିଥିବା ପାକିସ୍ତାନ(Pakistan)ର ଦୁଇ କ୍ରିକେଟର ହାରିଶ ରୌଫ ଓ ସାହିବଜାଦା ଫରହାନଙ୍କୁ ମହଙ୍ଗା ପଡ଼ିପାରେ। ସେମାନେ ପଡ଼ିଆରେ କରିଥିବା ଅଭଦ୍ରାମୀ ବିରୋଧରେ ବିସିସିଆଇ ବିଧିବଦ୍ଧ ଭାବେ ଆଇସିସି ନିକଟରେ ଅଭିଯୋଗ କରିଛି।
ଏସିଆ କପ(Asia Cup)ର ସୁପର ୪ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହାରିଶ ରୌଫ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ଇଙ୍ଗିତ କରିଥିଲେ। ସେହିପରି ଫରହାନ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟକୁ ଏକେ ୪୭ ବନ୍ଧୁକ ଭଳି ଧରି ଗୁଳି ଫୁଟାଇବା ଭଳି ସଙ୍କେତ ଦେଇଥିଲେ।
କ୍ରିକେଟ(Cricket) ଭଳି ଜେଣ୍ଟେଲମ୍ୟାନଙ୍କ ଗେମରେ ଏଭଳି ଉତ୍ତେଜନାକାରୀ ଇଙ୍ଗିତ କରିବାକୁ ବିସିସିଆଇ ସହଜରେ ଗ୍ରହଣ କରିନାହିଁ। ତେଣୁ ବିସିସିଆଇ ପକ୍ଷରୁ ବୁଧବାର ଏହି ଦୁଇ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇସିସି ନିକଟରେ ଆବେଦନ କରାଯାଇଛି। ବିସିସିଆଇର ଇ-ମେଲ ପରେ ଆଇସିସି ଯାଞ୍ଚ ପାଇଁ ଗୋଟିଏ ପ୍ୟାନେଲ ଗଠନ କରିଛି।
ଯଦି ଲିଖିତ ଭାବେ ଫରହାନ ଓ ରୌଫ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରନ୍ତି, ତା’ହେଲେ ଆଇସିସି ପକ୍ଷରୁ ଘଟଣାର ଶୁଣାଣି କରାଯିବ। ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ୍ ରେଫରୀ ରିଚି ରିଚାର୍ଡସନଙ୍କ ନିକଟରେ ଉଭୟ ଖେଳାଳିଙ୍କୁ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ ପଡ଼ିବ।
ବିସିସିଆଇର ଅଭିଯୋଗ ପରେ ବ୍ୟାକଫୁଟରେ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ଆଭିମୁଖ୍ୟ ଗ୍ରହଣ କରିଛି। ଏସିଆ କପ ଗ୍ରୁପ ପର୍ଯ୍ୟାୟରେ ଭାରତ ୭ ୱିକେଟରେ ପାକିସ୍ତାନକୁ ହରାଇଥିଲା। ଏହି ବିଜୟ ପରେ ଭାରତୀୟ ଖେଳାଳି ପାକିସ୍ତାନ ସହ ହାତ ମିଳାଇ ନଥିଲେ। ସେହିପରି ବିଜୟକୁ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପହଲଗାମ ନରସଂହାରର ପୀଡ଼ିତ ଓ ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲେ। ଏବେ ପାକିସ୍ତାନ ଏପରି ପଦକ୍ଷେପ ପାଇଁ ସୂର୍ଯ୍ୟ କୁମାରଙ୍କ ବିରୋଧରେ ମଧ୍ୟ ଆଇସିସି ନିକଟରେ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି।
ପାକିସ୍ତାନ କ୍ରିକେଟ ବୋର୍ଡ ସୂର୍ଯ୍ୟ କୁମାରଙ୍କ ବୟାନକୁ ‘ରାଜନୀତିକ’ ବୟାବାଜୀ ବୋଲି କହିଛି। ହେଲେ ବୟାନ ଦେବାର ୭ ଦିନ ମଧ୍ୟରେ ଅଭିଯୋଗ ଦାଖଲ କରିବାର ପ୍ରାବଧାନ ଥିବା ବେଳେ ପିସିବି କେବେ ଆବେଦନ କରିଛି, ତା’ହା ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ସେପ୍ଟେମ୍ବର ୨୧ ଭାରତ ବିପକ୍ଷ ମ୍ୟାଚ୍ରେ ଧୂଳି ଚାଟିଥିବା ପାକିସ୍ତାନର ଖେଳାଳି ଔଦ୍ଧତ୍ୟର ସୀମା ଟପି ଥିଲେ। ରବିବାର ସୁପର ୪ ମ୍ୟାଚ୍ରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମା ଓ ଶୁବମନ ଗିଲ ଆରମ୍ଭରୁ ପ୍ରତିଟି ବୋଲରଙ୍କୁ ନିସ୍ତୁକ ପିଟିଥିଲେ। ଏଥିରେ ହତାଶ ହୋଇ ପଡ଼ିଥିବା ପାକିସ୍ତାନୀ ବୋଲର ହାରିଶ ରୌଫ କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବ୍ୟବହାର କରିଥିଲେ।
ପାକିସ୍ତାନ ଦେଇଥିବା ୧୭୧ ରନର ପିଛା କରୁଥିବା ଭାରତର ଦୁଇ ଓପନର ଗିଲ ଓ ଅଭିଷେକ ଶର୍ମା ଦମଦାର ପ୍ରଦର୍ଶନ କରିଥିଲେ। ସେମାନେ ବୋଲରଙ୍କୁ ଧୂଲେଇ କରିବାରୁ ପ୍ରଥମେ ଅଭିଷେକ ଓ ଗିଲଙ୍କୁ ଚିଡ଼ାବାକୁ ପାକିସ୍ତାନୀ ବୋଲର ଶାହୀନ ଆଫ୍ରିଦି ଓ ହାରିଶ ରୌଫ ଚେଷ୍ଟା କରିଥିଲେ। ଏଥିରେ ନିରାଶ ହୋଇ ଛେଚା ଖାଇବା ପରେ ରୌଫ ଔଦ୍ଧତ୍ୟର ସବୁ ସୀମା ଟପି ଯାଇଥିଲେ।
ପଡ଼ିଆ ଭିତରେ ଭାରତୀୟ ବ୍ୟାଟରଙ୍କ ଧୂଲେଇ ପରେ ନିଜର ହତାହିତ ଜ୍ଞାନ ହରାଇଛନ୍ତି ହାରିଶ ରୌଫ। ପ୍ରବଳ ମାଡ଼ ଖାଇବା ପରେ ବାଉଣ୍ଡରୀକୁ ଫିଲ୍ଡିଂ ପାଇଁ ଯାଇଥିବା ରୌଫଙ୍କୁ ଭାରତୀୟ କ୍ରିକେଟ ଫ୍ୟାନ୍ସ ପ୍ରବଳ ଚିଡ଼ାଇଥିଲେ। ବୋଲିଂ କରିବା ବେଳେ ସେ ଅଭିଷେକ ଓ ଗିଲଙ୍କୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ଭାରତୀୟ କ୍ରିକେଟ ଫ୍ୟାନ ‘କୋହଲି, କୋହଲି’ ନାରା ଦ୍ୱାରା ଚିଡ଼ାଇବା ଆରମ୍ଭ କରିଥିଲେ। ପ୍ରଥମେ ରାଗରେ ତମତମ ହେବା ପରେ ରୌଫ ଏମିତି କିଛି ହରକତ କରିଥିଲେ, ଯାହା ବିବାଦ ସ୍ଥିତି ସୃଷ୍ଟି କରିଥିଲା।
ସେ ଭାରତୀୟ ଫ୍ୟାନ୍ସଙ୍କୁ ୬-୦ ଓ ଯୁଦ୍ଧ ବିମାନର ଇସାରା ଦେଇଥିଲେ। ଏହାକୁ ଦେଖି ଭାରତୀୟ ଫ୍ୟାନ୍ସ କୋହଲି, କୋହଲି ନାରାକୁ ଆହୁରି ତୀବ୍ର କରିଥିଲେ। ଏଥିରେ ନିରାଶ ହୋଇ ରୌଫ ଚୁପ ହୋଇ ଯାଇଥିଲେ।
ମେ’ ମାସରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନୀ ଆତଙ୍କବାଦୀ ଓ ସେନାର ଧଜିଆ ଉଡ଼ାଇ ଦେଇଥିଲା। ହେଲେ ପାକିସ୍ତାନ ମିଡିଆ ଏପରି ହାର ପରେ ଭାରତର ୬ଟି ଯୁଦ୍ଧ ବିମାନ ଖସାଇ ଦେଇଥିବାର ଅପପ୍ରଚାର ଆରମ୍ଭ କରିଥିଲା। ଭାରତ କିମ୍ବା କୌଣସି ଅନ୍ତର୍ଜାତୀୟ ସଂସ୍ଥା ନୂଆଦିଲ୍ଲୀର ଯୁଦ୍ଧ ବିମାନ ଖସିଥିବା କଥାକୁ ଏଯାଏ କହି ନଥିଲେ ହେଁ ପାକିସ୍ତାନୀ ମିଡିଆ ଓ ଏହାର ଲୋକମାନେ ଏହି ଅପପ୍ରଚାରକୁ ଜାରି ରଖିଛନ୍ତି। ଏହିକ୍ରମରେ ରୌଫ ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍ ବେଳେ ଯୁଦ୍ଧ ବିମାନ ଓ ୬-୦ର ଇସାରା ଦେଇଥିଲେ। ଏହାକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି।
ସେହିପରି ବ୍ୟାଟିଂ ବେଳେ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିବା ପାକିସ୍ତାନୀ ବ୍ୟାଟର ଶାହିବଜାଦା ଫରହାନ ମଧ୍ୟ ସୀମା ଅତିକ୍ରମ କରିଛନ୍ତି। ସେ ୫୦ ରନ ପୂରଣ କରିବା ପରେ ବ୍ୟାଟ୍କୁ ବନ୍ଧୁକ ଭଳି ଧରି ଡଗଆଉଟ ଆଡ଼େ ଗୁଳି ମାରିବା ଭଳି ଇଙ୍ଗିତ କରିଥିଲେ।
ସେ ବ୍ୟାଟକୁ ବନ୍ଧୁକ ଭଳି ଛାତିରେ ଲଗାଇ ଗୁଳି ମାରିବାର ଇଙ୍ଗିତ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। କ୍ରିକେଟରେ ଏପରି ଆକ୍ରମଣାତ୍ମକ ପ୍ରଦର୍ଶନକୁ ସମସ୍ତେ ନିନ୍ଦା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
