Advertisment

ହକି ବିଶ୍ୱକପ: ସେମିରେ ଅଷ୍ଟ୍ରେଲିଆ ଓ ବେଲଜିୟମ

ପ୍ରଥମ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଦୁର୍ବଳ ସ୍ପେନ ସହ ସଂଘର୍ଷ କରି ୪-୩ରେ ମ୍ୟାଚ୍‌ ଜିତିଥିଲା ଓ ସେମି ଟିକେଟ ହାସଲ କରିଥିଲା।

author-image
Hemant Lenka
Hockey

Hockey

ଓଡ଼ିଶାରେ ଖେଳା ଯାଉଥିବା ଏଫଆଇଏଚ୍‌ ହକି ବିଶ୍ୱକପର ଦ୍ୱିତୀୟ ଦଳ ଭାବେ ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ସେମି ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ପ୍ରଥମ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଦୁର୍ବଳ ସ୍ପେନ ସହ ସଂଘର୍ଷ କରି ୪-୩ରେ ମ୍ୟାଚ୍‌ ଜିତିଥିଲା ଓ ସେମି ଟିକେଟ ହାସଲ କରିଥିଲା। ଦୁଇଟି ଯାକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିଲା।

Advertisment

ଭାରତକୁ ହରାଇ କ୍ୱାର୍ଟର ଫାଇନାଲକୁ ଯାଇଥିବା ନ୍ୟୁଜିଲ୍ୟାଣ୍ଡ ଆଜି ବେଲଜିୟମକୁ କଡ଼ା ଟକ୍କର ଦେଇଥିଲା। ତେବେ ମ୍ୟାଚ୍‌ର ୧୦ମ ମିନିଟରେ ବେଲଜିୟମକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଆଲେକ୍ସଜାଣ୍ଡ ହେଣ୍ଡରିକ୍ସଙ୍କ ଅନୁପସ୍ଥିତିରେ ଟମ ବୁନ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏଥିସହ ପ୍ରଥମ କ୍ୱାର୍ଟରର ଶେଷ ସୁଦ୍ଧା ବେଲଜିମୟ ୧-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବା ମାତ୍ରେ ଫ୍ଲୋରେଣ୍ଟ ବାନ ଅଉବେଲ ନ୍ୟୁଜିଲ୍ୟାଣ୍ଡ ଗୋଲ କିପର ଡିକ୍ସନଙ୍କୁ ଚକମା ଦେଇ ଗୋଲ ସ୍କୋର କରିଥିଲେ। ଏଥିସହ ଦଳର ଲିଡ୍‌କୁ ୨-୦ କରି ଦେଇଥିଲେ। ଏହି କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚ୍‌ର ପ୍ରଥମ ପିସି ମିଳିଥିଲେ ମଧ୍ୟ ଏହାକୁ ରସେଲ ଗୋଲରେ ପରିଣତ କରି ପାରି ନଥିଲେ। ହାଫ ଟାମ ସୁଦ୍ଧା ବେଲଜିୟମ ୨-୦ ଆଗରେ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରରେ ବେଲଜିୟମ ବାମପଟୁ ଆକ୍ରମଣ କରିଥିଲା। ହେଲେ ଏହାକୁ କ୍ୱିୱି ଟିମ୍‌ ଅଟକାଇବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ବେଲଜିୟମର ରକ୍ଷଣଭାଗ ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲା। ୪ର୍ଥ କ୍ୱାର୍ଟରେ ନ୍ୟୁଜିଲ୍ୟାଣ୍ଡର ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଦଳ ପାଇଥିବା ଏକାଧିକ ପିସିରୁ ଗୋଟିଏ ହେଲେ ବି ଗୋଲରେ ପରିଣତ କରି ପାରି ନଥିଲା।

ନ୍ୟୁଜିଲ୍ୟାଣ୍ଡ ଘନଘନ ଆକ୍ରମଣ କରିବାରୁ ବେଲଜିୟମ ବେଶ ସତର୍କତାର ସହ ଏହାକୁ ଡିଫେଣ୍ଡ କରିଥିଲେ। ତେବେ ଏହି ଡିଫେଣ୍ଡ ଦଳକୁ ଶେଷ ମିନିଟରେ ମହଙ୍ଗା ପଡ଼ିଥିଲା। ଡି’ ମଧ୍ୟରେ ବେଲଜିୟମ ଖେଳାଳି ନ୍ୟୁଜିଲ୍ୟାଣ୍ଡର ଫିଣ୍ଡଲେଙ୍କୁ ଟ୍ୟାକେଲ କରିଥିଲେ। ଫଳରେ କ୍ୱିୱି ଦଳକୁ ପୁଣି ଗୋଟିଏ ପିସି ମିଳିଥିଲା। ହେଲେ ଏହାକୁ ମଧ୍ୟ କେନ ରସେଲ ଗୋଲରେ ପରିଣତ କରି ପାରି ନଥିଲେ। ଶେଷରେ ବେଲଜିୟମ ୨-୦ରେ ମ୍ୟାଚ୍‌କୁ ଜିତି ସେମି ଫାଇନାଲରେ ପ୍ରବେଶ କରିଛି।

ଏହାପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା ସ୍ପେନ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ଜିତି ଅଷ୍ଟ୍ରେଲିଆ କ୍ରମାଗତ ୧୨ ଥର ପାଇଁ ହକି ବିଶ୍ୱକପର ସେମିରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ବୁଧବାର ଖେଳା ଯିବାକୁ ଥିବା ନେଦରଲ୍ୟାଣ୍ଡ୍ସ ବନାମ ଦକ୍ଷିଣ କୋରିଆ ମ୍ୟାଚ୍‌ର ବିଜେତାକୁ ଶୁକ୍ରବାର ସେମିରେ ଭେଟିବ।

୨୦୧୮ ବିଶ୍ୱକପରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ନେଦରଲ୍ୟାଣ୍ଡ୍ସ ଠାରୁ ସେମି ଫାଇନାଲରେ ହାରିଥିଲା। ତେଣୁ ବୁଧବାର ଯଦି ଡଚ୍‌ ଟିମ କୋରିଆକୁ ହରାଉଛି, ତା’ହେଲେ ଅଷ୍ଟ୍ରେଲିଆ ୨୦୧୮ର ବଦଲା ନେବାକୁ ସୁଯୋଗ ପାଇବ।

ଆଜି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୩୩ ଓ ୩୭ତମ ମିନିଟ୍‌ରେ ହାୟୱାର୍ଡ ପିସିରୁ ଦୁଇଟି ଗୋଲ ସ୍କୋର କରିଛନ୍ତି। ସେହିପରି ୩୦ତମ ମିନିଟରେ ଫ୍ଲିନ ଓଗିଲଭି ଓ ୩୨ତମ ମିନିଟରେ ଅଧିନାୟକ ଆରନ ଜାଲେୱସ୍କି ଫିଲ୍ଡ ଗୋଲ ଦେଇଥିଲେ। ସ୍ପେନ ପକ୍ଷରୁ ୨୦ତମ ମିନିଟରେ ଜାଭିୟର ଗିସପେର୍ଟ, ୨୪ତମ ମିନିଟରେ ମାର୍ସ ରେକାସେନ୍ସ ଓ ୪୧ତମ ମିନିଟରେ ମିରାଲେସ ଗୋଲ ଦେଇଥିଲେ।

ସ୍ପେନ ଏହି ମ୍ୟାଚ୍‌ରେ ଏକଦା ୨-୦ରେ ଲିଡ୍‌ କରୁଥିଲା। ହେଲେ ଅଭିଜ୍ଞ ଅଷ୍ଟ୍ରେଲିଆ ଜବରଦସ୍ତ କମବ୍ୟାକ୍‌ କରି ସ୍ପେନ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ସକ୍ଷମ ହୋଇଛି।

Kalinga Stadium World Cup Hockey Hockey World Cup