ramachandran
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ରେ ଚାଲିଥିବା ଅନ୍ତଃକନ୍ଦଳ ଉଗ୍ର ରୂପ ଧାରଣ କରୁଛି। ସଂଘର ସଭାପତି ଏନ୍ ରାମଚନ୍ଦ୍ରନ ଓ ସାଧାରଣ ସଂପାଦକ ରାଜୀବ ମେହତାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ। ଏପରିକି ରାମଚନ୍ଦ୍ରନଙ୍କୁ ବିଦା କରିବା ଲାଗି ବି ଅଣ୍ଟା ଭିଡ଼ିଛନ୍ତି ସଂଘର ଅଧିକାରୀମାନେ। ସେଥିପାଇଁ ସଂଘର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଇବାକୁ ଚାଲିଛି ଯୋଜନା।
ମିଳିଥିବା ସୂଚନା ମୁତାବକ ଏନ୍ ରାମଚନ୍ଦ୍ର ଠିକ୍ ତାଙ୍କ ଭାଇ ତଥା ଆଇସିସିର ଅଧ୍ୟକ୍ଷ ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ଭଳି। ସଂଘକୁ ନିଜ ଢଙ୍ଗରେ ପରିଚାଳନା କରୁଛନ୍ତି। ସେ ସବୁ ନିଷ୍ପତ୍ତି ନିଜେ ନେବା ପାଇଁ ଚାହାଁନ୍ତି। କାହାର ପରାମର୍ଶ ନେବା ଆବଶ୍ୟକ କରନ୍ତି ନାହିଁ। ଏପରିକି ସାଧାରଣ ସଂପାଦକ ରାଜୀବ ମେହତାଙ୍କ ପରାମର୍ଶ ନିଅନ୍ତି ନାହିଁ କି କୌଣସି ବଡ଼ ନିଷ୍ପତ୍ତି କରିବା ପୂର୍ବରୁ ତାଙ୍କୁ କୁହନ୍ତି ନାହିଁ। ଗତମାସରେ ରାମଚନ୍ଦ୍ରନ ଲାଉସାନେଠାରେ ଭେଟିଥିଲେ ଅନ୍ତର୍ଜାତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ଥୋମାସ ବାଚଙ୍କୁ। କିନ୍ତୁ ଏ ନେଇ ରାଜୀବ ମେହତାଙ୍କୁ ଜଣାଇ ନ ଥିଲେ। ସେହିପରି ବାଚଙ୍କ ଦିଲ୍ଲୀ ଗସ୍ତ ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ରାଚନ୍ଦ୍ରନଙ୍କ ସହିତ ମେହତା ଯାଇ ନ ଥିଲେ। ସେ ହୋଟେଲର ଏକ ରୁମରେ ରହିଥିଲେ ଓ ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପୂର୍ବରୁ ଚାଲିଯାଇଥିଲେ।
ରାମଚନ୍ଦ୍ରନଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନର ନେତୃତ୍ୱ ନେଉଛନ୍ତି ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା। ଭାରତୀୟ ଅଲିମ୍ପିକ ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଇବା ପାଇଁ ସେ ୬୬% ସଦସ୍ୟଙ୍କ ହସ୍ତାକ୍ଷର ସମ୍ବଳିତ ସମର୍ଥନ ପାଇସାରଥିବା ଜଣାପଡ଼ିଛି। ଗତ ସପ୍ତାହରେ ସେ ଆଇଓଏର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ଓ ରାମଚନ୍ଦ୍ରନଙ୍କ କାର୍ଯ୍ୟଶୈଳୀ ସଂପର୍କରେ ମତାମତ ରଖିବାକୁ କହିଥିଲେ। ଏହା ସହିତ ସେ ସଂଘ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତି କି ନୁହଁ ତାହା ବି ଜଣାଇବାକୁ କହିଥିଲେ।
ଆଇଓଏର ସଦସ୍ୟମାନଙ୍କ ମଧ୍ୟରେ ଏକତା ନାହିଁ ବୋଲି ଅନେକ ଦିନ ହେଲା ଚର୍ଚ୍ଚା ହୋଇଆସୁଥିଲା। ତେବେ ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧ୍ୟକ୍ଷ ଥୋମାସ ବାଚଙ୍କ ଭାରତ ଗସ୍ତରେ ସମୟରେ ଆଇଓଏରେ ଥିବା ଅନ୍ତଃକନ୍ଦଳ ପୂରା ପଦାରେ ପଡ଼ି ଯାଇଥିଲା। ଆଇଓଏରେ ଏକତା ରକ୍ଷା କରିବାକୁ ଓ ଖେଳାଳିଙ୍କୁ ସଫଳ ବନାଇବାକୁ ସେ ଚିଠି ଲେଖିଥିବା କଥା କହିଥିଲେ। ଆଉ ଏଥିରୁ ପ୍ରମାଣିତ ହୋଇଥିଲା ଯେ ଆଇଓଏରେ ସଦସ୍ୟମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/ramachandran.jpg)