Advertisment

ନୀରଜ ଚୋପ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନୀରଜ।

author-image
Jitendra Garnayak
Niraj Chopra

Niraj Chopra

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଦୀର୍ଘ ଦିନ ଧରି ହାର୍ନିଆ ଜନିତ ସମସ୍ୟା ଦେଇ ଗତି କରୁଥିବା ନୀରଜଙ୍କର ଖୁବ୍‌ଶୀଘ୍ର ହେବ ଅସ୍ତ୍ରୋପଚାର। 

Advertisment

ହାର୍ନିଆ ଯୋଗୁ ନୀରଜ ତାଙ୍କ ଜଙ୍ଘର ସନ୍ଧି ଜାଗାରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଡାକ୍ତର ତାଙ୍କୁ ଗତ ବର୍ଷରୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଅଭ୍ୟାସ କରୁଥିବା ଯୋଗୁ ସେ ଏହାକୁ ଏଡ଼ାଇ ଚାଲିଥିଲେ।

ଗତକାଲି ଫାଇନାଲ ପରେ ନୀରଜ ଚୋପ୍ରା କହିଥିଲେ, ମୁଁ ଅସୁସ୍ଥ ଥାଇ ସୁଦ୍ଧା ୨୦୨୨ରେ ୮୯.୯୪ ଦୂରାତାକୁ ଜାଭେଲିନ ଫିଙ୍ଗିଥିଲି। ଯେତେବେଳେ ମୁଁ ଜାଭେଲିନ ଫିଙ୍ଗେ ମୋର ୫୦ ପ୍ରତିଶତ ଦୃଷ୍ଟି ମୋର ସେହି ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ନିବଦ୍ଧ ଥାଏ। ଗତ ବର୍ଷ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ମୁଁ ଏତେ ବାଟ ଚଳେଇ ଦେଲିଣି। ଅବଶ୍ୟ ସେବଠାରୁ ଚିକିତ୍ସା ଚାଲିଛି। କିନ୍ତୁ ଏବେ ଆମକୁ ଏକ ବଡ଼ ନିଷ୍ପତ୍ତି ନେବାକୁ ହେବ। କାରଣ ଏହା କ୍ରୀଡ଼ା ପାଇଁ ଠିକ୍ ନୁହେଁ। ଲମ୍ବା କ୍ୟାରିୟର ପାଇଁ ଫିଟ୍ ଓ ସୁସ୍ଥ ରହିବାକୁ ପଡ଼ିବ।

Advertisment

ଗତକାଲି ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ତାଙ୍କର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥ୍ରୋ କରିଥିଲେ। ସେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ତେବେ ଏହା ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଯଥେଷ୍ଟ ନଥିଲା। ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ଅଲିମ୍ପିକ୍ସରେ ତାଙ୍କର ଏହି ଥ୍ରୋ ରେକର୍ଡ ହୋଇଗଲା। ପୂର୍ବରୁ କୌଣସି ଅଲିମ୍ପିକ୍ସରେ କେହି ଏତେ ଦୂର ଜାଭେଲିନ ଫିଙ୍ଗି ନଥିଲେ। 

Neeraj Chopra Paris Olympics 2024