/odisha-reporter/media/post_attachments/uploadimage/library/16_9/16_9_0/BJP_1703162924.jpg)
BJP
କୁସ୍ତି ମହାସଂଘର ସଭାପତି ନିର୍ବାଚନରେ ନିଜର ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ବାଜିମାତ କରିବାରୁ ଖୁସିରେ ଉଲ୍ଲାସିତ ହୋଇପଡ଼ିଛନ୍ତି ବିବାଦରେ ଥିବା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ। ୧୨ ବର୍ଷ ହେଲା ବ୍ରିଜ ଭୂଷଣ କୁସ୍ତି ମହାସଂଘର ସଭାପତି ବେ କାର୍ଯ୍ୟ କରୁଥିଲେ।
କିନ୍ତୁ ତାଙ୍କ ବିରୋଧରେ ଦେଶର ଷ୍ଟାର ରେସଲମାନେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ରେସରମାନେ ରାସ୍ତାରେ ବସି କ୍ଷୋଭ କରିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଦିଲ୍ଲୀ ପୁଲିସ୍।
ଦିନକୁ ଦିନ ବିବାଦ ବଢ଼ୁଥିବାରୁ କୁସ୍ତି ମହାସଂଘର ସଭାପତି ନିର୍ବାଚନ କରାଯାଇଥିଲା। ବ୍ରିଜ ଭୂଷଣ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରାବଧାନ ରଖାଯାଇଥିଲା। ତେବେ କୌଶଳକ୍ରମେ ବ୍ରିଜ ଭୂଷଣ ନିଜର ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସେ ମଧ୍ୟ ମୋଟ ୪୭ ଖଣ୍ଡ ଭୋଟରୁ ୪୦ଟି ପାଇ ବାଜିମାତ କରିଛନ୍ତି।
ନିଜର ଘନିଷ୍ଠ ସହଯୋଗୀ ଜିତିବା ପରେ ବ୍ରିଜ ଭୂଷଣ ନିଜର ଦବଦବା ଦେଖାଇଛନ୍ତି। ସେ ବେଶ ଗର୍ବର ସହ କହିଛନ୍ତି ଯେ “ଦବଦବା ଥିଲା ଓ ଦବଦବା ଆଗକୁ ମଧ୍ୟ ରହିବ।” ଏହାର ଅର୍ଥ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ହୋଇଥିବାରୁ ବ୍ରିଜ ଭୂଷଣ ହିଁ ପରୋକ୍ଷରେ ଏହାକୁ ପରିଚାଳନା କରିବେ। ତେଣୁ ସେ ଆଗକୁ ମଧ୍ୟ ନିଜର ଦବଦବା ଦେଖାଇବେ ବୋଲି ଆଜି ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ସଞ୍ଜୟ ସିଂହ ଜିତିଥିବାରୁ ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଷ୍ଟାର ରେସଲରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ କାନ୍ଦି କାନ୍ଦି ଆଉ ରେସଲିଂ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ବ୍ରିଜ ଭୂଷଣଙ୍କୁ ପଚରା ଯିବାରୁ ସେ ନୀରବତା ଅବଲମ୍ବନ କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ସେ ବେଶ ହାଲୁକା ଭାବେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
