/odisha-reporter/media/post_attachments/uploadimage/library/16_9/16_9_0/Team_India_1700481998.jpg)
Team India
ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ହାରି ଯାଇଛି। ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପର ଅତି ନିକଟକୁ ଆସି ଭାରତୀୟ ଟିମ ଅଟକି ଯାଇଛି। ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ ୬ ୱିକେଟରେ କଙ୍ଗାରୁ ଟିମ ଠାରୁ ହାରିଛି। ଏଥିସହ ଭାରତର ବିଶ୍ୱକପ ଜିତିବାର ଆଶା ଆଉ ୪ ବର୍ଷ ବଢ଼ି ଯାଇଛି।
କେମିତି କ୍ରମାଗତ ୧୦ ବିଜୟ ହାସଲ କରିଥିବା ଭାରତୀୟ ଟିକ ହଠାତ୍ ହାରିଗଲା? କ’ଣ ସବୁ ତ୍ରୁଟି କଲା ଭାରତୀୟ ଟିମ? ତେଣୁ ଭାରତ କାହିଁକି ଫାଇନାଲରେ ହାରିଲା, ତା’ର ସମ୍ଭାବ୍ୟ ୧୦ କାରଣ ଉପରେ ନଜର ପକାନ୍ତୁ।
୧- ଟସ୍
ନରେନ୍ଦ୍ର ମୋଦି ଷ୍ଟାଡିୟମର ୫ନଂ ପିଚ୍ରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟସ୍ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ୱିତୀୟ ବ୍ୟାଟିଂ କରିବା ଅପେକ୍ଷାକୃତ ସହଜ। କାରଣ ଫ୍ଲଡଲାଇଟରେ ବଲ ଠିକ ଭାବେ ବ୍ୟାଟକୁ ଆସିଥାଏ। ତେଣୁ ଅଷ୍ଟ୍ରେଲିଆ ଟସ୍ କ୍ଷେତ୍ରରେ ଆଗରେ ରହିଥିଲା।
୨- ଭାରତୀୟ ମଧ୍ୟକ୍ରମର ବିଫଳତା
ଓପନର ଶୁବମନ ଗିଲ ୪ ରନ କରି ଆଉଟ ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରିଥିଲେ। କିନ୍ତୁ ରୋହିତ ୪୭ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ମଧ୍ୟ କିଛି କରିପାରି ନଥିଲେ। ବିରାଟ ଓ ରହୁଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବହୁତ ଧିମା ବ୍ୟାଟିଂ କରିଥିଲେ। ସେହିପରି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ବଡ଼ ଶଟ ଖେଳିବାକୁ ସକ୍ଷମ ହୋଇ ନଥିଲେ। ଆୟର ୪ ରନ କରିଥିବା ବେଳେ ସୂର୍ଯ୍ୟ କୁମାର ୨୮ ବଲରେ କେବଳ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ।
୩- ଦ୍ୱିତୀୟ ଇନିଂସରେ କାକର ପଡ଼ିବା
କାକର ପଡ଼ିବା ଯୋଗୁ ଭାରତୀୟ ସ୍ପିନର କୌଣସି ପ୍ରକାରର ଯାଦୁ ଦେଖା ପାରି ନଥିଲେ। ଓଦା ବଲ ଯୋଗୁ ସ୍ପିନରଙ୍କୁ ଟର୍ଣ୍ଣ ମିଳି ନଥିଲା। ତେଣୁ ଅଷ୍ଟ୍ରେଲିଆର ଦୁଇ ବ୍ୟାଟର ଟ୍ରାଭିସ ହେଡ ଓ ମାର୍ନସ ଲାବୁଶେନ ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
୪- ବାଉଣ୍ଡରୀରେ ମରୁଡ଼ି
ଭାରତକୁ ରୋହିତ ଶର୍ମା ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅନ୍ୟ ବ୍ୟାଟରମାନେ ବାଉଣ୍ଡରୀ ମାରିବାକୁ ସକ୍ଷମ ହୋଇ ନଥିଲେ। ପ୍ରଥମ ୧୦ ଓଭର ପରେ ଚୌକା ଓ ଛକାର ମରୁଡ଼ି ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ମଧ୍ୟ ଭଲ ଫିଲ୍ଡିଂ କରିଥିଲା ଭାରତକୁ ପ୍ରଥମେ ୯୩ ବଲ ଯାଏ କୌଣସି ବାଉଣ୍ଡରୀ ମିଳି ନଥିଲା। ଏହାପରେ ୭୨ ବଲ ପରେ ମହମ୍ମଦ ଶାମି ଆସି ଗୋଟିଏ ଚୌକା ମାରିଥିଲେ। ବାଉଣ୍ଡରୀର ମରୁଡ଼ି ଯୋଗୁ ଅଷ୍ଟ୍ରେଲିଆ ୨୪୦ ରନରେ ଭାରତକୁ ରୋକିବାରେ ସକ୍ଷମ ହୋଇଥିଲା।
୫- ବଡ଼ ଭାଗିଦାରୀର ଅଭାବ
ଭାରତ ତା’ର ବ୍ୟାଟିଂ ଇନିଂସରେ କୌଣସି ବଡ଼ଧରଣର ଭାଗିଦାରୀ କରିବାକୁ ସକ୍ଷମ ହୋଇ ନଥିଲା। କେବଳ ବିରାଟ କୋହଲି ଓ କେଏଲ ରାହୁଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲେ। ହେଲେ ଏହା ମଧ୍ୟ ବହୁତ ଧିମା ଭାଗିଦାରୀ ଥିଲା। ଏହି ଭାଗିଦାରୀ ବ୍ୟତୀତ ଆଉ କୌଣସି ବଡ଼ ପାର୍ଟନରଶିପ ନ ହେବା, ଭାରତକୁ ମହଙ୍ଗା ପଡ଼ିଛି।
୬- ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ବ୍ୟାଟିଂ
ଫାଇନାଲ ମ୍ୟାଚ୍ରେ ଟାର୍ଗେଟ ମାତ୍ର ୨୪୧ ରନ ରହିଥିଲା। କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟରମାନେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବିଶେଷ କରି ଟ୍ରାଭିସ ହେଡ୍ ଦମଦାର ବ୍ୟାଟିଂ ଦେଖାଇଥିଲେ। ଅଷ୍ଟ୍ରେଲିଆ ୧୦ ଓଭର ମଧ୍ୟରେ ୩ ୱିକେଟ ହରାଇଥିଲେ ମଧ୍ୟ ୬୦ ରନ କରି ଭାରତକୁ ବ୍ୟାକଫୁଟରେ ରଖିବାକୁ ସକ୍ଷମ ହୋଇଥିଲା। ଏହାର ଫାଇଦା ହେଡଙ୍କୁ ମଧ୍ୟକ୍ରମରେ ମିଳିଥିଲା। ସେ ୧୦ ଓଭର ପରେ ସାମାନ୍ୟ ଧିମା ଖେଳିଥିଲେ। ଲାବୁଶେନ ମଧ୍ୟ ପୂରା ଡିଫେନ୍ସିଭ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେଟ ହେବା ପରେ ଉଭୟ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
୭- ଫିଲ୍ଡିଂ ଓ ଶଟ ଚୟନ
ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭଲ ଷ୍ଟାର୍ଟ ମିଳିଥିଲା। କିନ୍ତୁ ଖରାପ ଶଟ ଚୟନ କରି ଉଭୟ ଆଉଟ ହୋଇଥିଲେ। ରୋହିତ ବଡ଼ ଶଟ ମାରିବାକୁ ଯାଇଠିକ ଭାବେ କନେକ୍ଟ କରି ପାରି ନଥିଲେ। ହେଡ ଡାଇଭ ମାରି ତାଙ୍କ କ୍ୟାଚ ଧରିଥିଲେ। ସେହିପରି ବିରାଟ ବାଉନ୍ସର ବଲକୁ ଥାର୍ଡମ୍ୟାନରେ ଖେଳିବାକୁ ଚେଷ୍ଟା କରି ବୋଲ୍ଡ ହୋଇଥିଲେ।
ଭାରତୀୟ ଫିଲ୍ଡରମାନେ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଏକାଧିକ କ୍ୟାଚ୍ ଓ ଫିଲ୍ଡଂ ସେମାନେ ଛାଡ଼ିଥିଲେ। କେଏଲ ରାହୁଲ କିପିଂରେ ମଧ୍ୟ ତ୍ରୁଟି କରି ଅଷ୍ଟ୍ରେଲିଆକୁ ସହଜରେ ରନ କରିବାକୁ ସୁଯୋଗ ଦେଇଥିଲେ। ଅଷ୍ଟ୍ରେଲିଆକୁ କିନ୍ତୁ ଦମଦାର ଫିଲ୍ଡିଂ କରିଥିଲା।
୮- ପାଟ କମିନ୍ସଙ୍କ କ୍ୟାପ୍ଟେନ୍ସି
ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ବେଶ ଭଲ ଭାବେ ନିଜର ରଣନୀତିକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇଛନ୍ତି। ସେ ଠିକଣା ସମୟରେ ବୋଲିଂ ପରିବର୍ତ୍ତନ କରିଥିଲେ। ଠିକ ସ୍ଥାନରେ ଫିଲ୍ଡରମାନଙ୍କୁ ମଧ୍ୟ ରଖିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ସେ ପିଚ୍କୁ ଭଲ ଭାବେ ପଡ଼ିବାକୁ ସକ୍ଷମ ହୋଇଥିଲେ। କାରଣ ଭାରତ ଟସ୍ ଜିତିଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିଥାଆନ୍ତା ବୋଲି ରୋହିତ ଶର୍ମା କହିଥିଲେ।
୯- ରଣନୀତିରେ ଭୁଲ
ଅହମଦାବାଦର ପିଚ୍ ଆଶା ଠାରୁ ଅଧିକ ଧିମା ଓ ଶୁଖିଲା ରହିଥିଲା। ଏପରି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବାର ଥିଲା। ସେହିପରି ମହମ୍ମଦ ଶାମି ସବୁବେଳେ ଫାଷ୍ଟଚେଞ୍ଜରେ ଆସୁଥିଲେ। କିନ୍ତୁ ଫାଇନାଲ ମ୍ୟାଚ୍ରେ ସେ ମହମ୍ମଦ ସିରାଜଙ୍କ ବଦଳରେ ବୁମ୍ରାଙ୍କ ସହ ନୂଆ ବଲ ପକାଇଥିଲେ। ଅବଶ୍ୟ ପ୍ରଥମ ବଲରେ ତାଙ୍କୁ ୱିକେଟ ମିଳିଥିଲା। କିନ୍ତୁ ସିରାଜଙ୍କ କନଫିଡେନ୍ସ ଭାଙ୍ଗି ଯାଇଥିଲା। ସେ ଭାରତର ୫ମ ବୋଲର ଭାବେ ବୋଲିଂ କରିବାକୁ ଆସିଥିଲେ। ସେତେବେଳକୁ ଭଲ ମଧ୍ୟ ପୁରୁଣା ହୋଇସାରିଥିଲା।
୧୦- ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ ହରାଇବା
ଭାରତ ମ୍ୟାଚ୍ର ଗୁରୁତ୍ୱପୂର୍ଣ୍ଣ ସମୟରେ ହିଁ ୱିକେଟ ହରାଇ ଚାଲିଥିଲା। ଗିଲ ଆଉଟ ହେବା ପରେ ରୋହିତ ଶର୍ମା ୧୦ମ ଓଭରରେ ପ୍ୟାଭିଲିୟନ ଫେରିଥିଲେ। ୧୧ତମ ଓଭରରେ ଶ୍ରେୟସ ଆୟର ସମଦଶା ଭୋଗିଥିଲେ।
ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ ଶଟ ଖେଳିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଅର୍ଦ୍ଧଶତକ ହାସଲ କରି ସେ ଆଉଟ ହୋଇଯାଇଥିଲେ। କେଏଲ ରାହୁଲ ୧୦୦ରୁ ଅଧିକ ବଲ ଖେଳିଥିଲେ ମଧ୍ୟ ବଡ଼ ଶଟ ମାରିବା ବେଳକୁ ଆଉଟ ହୋଇଯାଇଥିଲେ। ସୂର୍ଯ୍ୟ କୁମାର ଯାଦବ ୨୮ଟି ବଲ ଖେଳି କେବଳ ଗୋଟିଏ ଚୌକା ମାରିବାକୁ ସକ୍ଷମ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
