/odisha-reporter/media/media_files/2025/11/15/team-india-2025-11-15-17-22-00.jpg)
ଜାଡେଜାଙ୍କ ସହ ସାଥୀ ଖେଳାଳି
ଭାରତ ଓ ଦକ୍ଷିଣ ଆଫ୍ରିକା( Ind Vs SA) ମଧ୍ୟରେ ଚାଲିଥିବା ଇଡେନ ଗାର୍ଡେନ୍ସ ଟେଷ୍ଟରେ ବୋଲରଙ୍କ ରାଜୁତି। ଦିନକରେ ଝଡ଼ିଛି ୧୬ ୱିକେଟ। ସ୍ଥିତି ଏପରି ହୋଇଛି ଯେ ମ୍ୟାଚ୍ର ରେଜଲ୍ଟ ତୃତୀୟ ଦିନରେ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ ଦିନରେ ଇଡେନରେ ୧୧ଟି ୱିକେଟ ଯାଇଥିଲା। କିନ୍ତୁ ଦ୍ୱିତୀୟ ଦିନରେ ବୋଲରଙ୍କୁ ଇଡେନ ପିଚ୍ ଆହୁରି ସୁହାଇଛି।
ଦକ୍ଷିଣ ଆଫ୍ରିକାର ବୋଲରମାନେ ଆଜି ୯ଟି ୱିକେଟ ନେଇଥିବା ବେଳେ ଭାରତୀୟ ବୋଲର ୭ଟି ସଫଳତା ପାଇଛନ୍ତି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୯୩ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ଦଳର ଲିଡ ୬୩ ରନ ରହିଛି। ଖେଳ ବନ୍ଦ ହେବା ବେଳକୁ ଅଧିନାୟକ ତେମ୍ବା ବଭୂମା ୨୯ ଓ କୋରବିନ ବଚ୍ ୧ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସ( Test Cricket ) ରେ ୱିକେଟ ପାଇ ନଥିବା ଅଭିଜ୍ଞ ରବୀନ୍ଦ୍ର ଜାଡେଜା ଏହି ପାଳିରେ ଏକାକୀ ୪ ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ୨ଟି ଓ ଅକ୍ଷର ପଟେଲଙ୍କ ଖାତାକୁ ଗୋଟିଏ ସଫଳତା ଦେଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ(Test Match)ରେ ୧୫୯ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୫ ୱିକେଟ ନେଇ ପ୍ରଥମ ଦିନର ଚା’ପାନ ବିରତି ପରେ ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ ହରାଇ ୩୭ ରନ କରିଥିଲା। ଆଜି କେଏଲ ରାହୁଲ ଓ ୱାଶିଂଟନ ସୁନ୍ଦର ମିଳିତ ଭାବେ ଭାରତର ରନକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଦକ୍ଷିଣ ଆଫ୍ରିକାର ବୋଲର ଏହା କରାଇ ଦେଇଥିଲେ। ଇନିଂସର ୩୫ମ ଓଭରରେ ଦିବସର ପ୍ରଥମ ବ୍ୟାଟର ଭାବେ ୨୯ ରନ କରି ଆଉଟ ହୋଇଥିଲେ ସୁନ୍ଦର। ଏହାପରେ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଚୌକା ମାରି ଖାତା ଖୋଲିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବେକର ସିର ମୋଡ଼ି ହୋଇଯାଇଥିଲା। ଫଳରେ ସେ ଅଧାରୁ ପଡ଼ିଆ ଛାଡ଼ିଥିଲେ।
ଉପ ଅଧିନାୟକ ଋଷଭ ପନ୍ତ ନିଜର କମବ୍ୟାକ ଅନ୍ତର୍ଜାତୀୟ ଟେଷ୍ଟରେ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାତ୍ର ୨୪ ବଲରେ ୨୭ ରନ କରି ସେ କୋରବିନ ବଚଙ୍କ ବଲରେ ଆଉଟ ହୋଇଥିଲେ। ୩୧ ରନ କରିଥିବା ରାହୁଲଙ୍କ ୱିକେଟ ନେଇଛନ୍ତି କେଶବ ମହାରାଜ।
ଭାରତ ଏ ପାଇଁ ଲଗାତର ଶତକ ମାରିଥିବା ଧ୍ରୁବ ଜୁରେଲ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ରବୀଜନ୍ଦ୍ର ଜାଡେଜା ୨୭ ଓ ଅକ୍ଷର ପଟେଲ ୧୭ ରନ କରି ସମସ୍ତଙ୍କୁ ନିରାଶ କରିଛନ୍ତି। ଉଭୟଙ୍କ ୱିକେଟ ସିମନ ହାରମେର ଦଖଲ କରିଛନ୍ତି। ଏହାପୂର୍ବରୁ ସେ ଧ୍ରୁବ ଜୁରେଲ ଓ ସୁନ୍ଦରଙ୍କ ୱିକେଟ ମଧ୍ୟ ନେଇଥିଲେ।
ଶେଷ ଭାଗରେ କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କୁ ଆଉଟ କରି ମାର୍କୋ ୟାନସେନ ଭାରତୀୟ ଇନିଂସକୁ ୧୮୯ରେ ଅଟକାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ହାରମେର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୟାନସେନ ୩ଟି, ମହାରାଜ ଓ ବଚ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଭାରତ ଠାରୁ ପ୍ରଥମ ଇନିଂସରେ ୩୦ ରନ ପଛରେ ଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଇନିଂସରେ ସ୍ପିଡଷ୍ଟାର ବୁମ୍ରା କମାଲ କରିଥିଲେ। ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନର ବିଶେଷ କରି ରବୀନ୍ଦ୍ର ଜାଡେଜାଙ୍କ ଜଲୱା ଦେଖିବାକୁ ମିଳିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଇନିଂସର ପ୍ରଥମ ୱିକେଟ ନେଇଥିଲେ କୁଲଦୀପ ଯାଦବ। ସେ ରାୟନ ରିକେଲଟନ(୧୧)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
ଏହାପରେ ୱିକେଟ ଝାଡ଼ିବା ଆରମ୍ଭ କରିଥିଲେ ଜାଡେଜା। ସେ ଆଡେନ ମାର୍କରମ(୪), ଟୋନୀ ଡେ ଜୋର୍ଜି(୨), ୱିଆନ ମୁଲଡର(୧୧) ଓ ଟ୍ରିଷ୍ଟାନ ଷ୍ଟବ୍ସ(୫)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାର ମିଡିଲ ଅର୍ଡରକୁ ଛିନଛତ୍ର କରି ଦେଇଥିଲେ। ଅଧିନାୟକ ତେମ୍ବା ବଭୂମା ଗୋଟିଏ ପଟେ ଛଡ଼ା ହୋଇଥିଲେ ହେଁ ଅନ୍ୟପଟେ ଜଣଙ୍କ ପରେ ଜଣେ ବ୍ୟାଟରଙ୍କ ଯିବା ଆସିବା ଲାଗି ରହିଥିଲା।
କାୟଲେ ଭେରାୟନେ(୯) ଆଉଟ ହେବା ବେଳକୁ ଦଳର ସ୍କୋର ୭୫ ରହିଥିଲା। ଏତିକି ବେଳେ ମାର୍କୋ ୟାନସେନ କାଉଣ୍ଟର ଆଟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ୧୩ ରନ କରିଥିବା ୟାନସେନଙ୍କୁ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରିଥିବା ରାହୁଲଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ ପଠାଇ ଦେଇଥିଲେ କୁଲଦୀପ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବଚ୍ ୧ ରନ କରି ଅପରାଜିତ ରହିଛନ୍ତି। ତାଙ୍କ ସହ ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ବଭୂମା ୨୯ ରନ କରି ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ଲିଡ୍ ୬୩ରେ ପହଞ୍ଚି ଯାଇଛି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ଜାଡେଜା ଏଯାଏ ୪ଟି, କୁଲଦୀପ ଦୁଇଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
