Advertisment

ବିଜୟ ଠାରୁ ୬ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟରେ ବିଜୟ ଦ୍ୱାରରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୩୦୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୯୪ ରନ୍ କରିଛି। ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୧୧ ରନ୍ ଦରକାର ଥିବା ବେଳେ ଭାରତକୁ ୬ ୱିକେଟ୍ ଆବଶ୍ୟକ ରହିଛି। କ୍ୟାପଟେନ୍ ଡିନ୍ ଏଲଗାର ୫୨ ରନ୍ କରି ଅପରାଜିତ ରହିଛନ୍ତି। ୩୦୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ […]

author-image
Ranjit Kumar Jena
ବିଜୟ ଠାରୁ ୬ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

bumrah

ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟରେ ବିଜୟ ଦ୍ୱାରରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୩୦୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୯୪ ରନ୍ କରିଛି। ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୧୧ ରନ୍ ଦରକାର ଥିବା ବେଳେ ଭାରତକୁ ୬ ୱିକେଟ୍ ଆବଶ୍ୟକ ରହିଛି। କ୍ୟାପଟେନ୍ ଡିନ୍ ଏଲଗାର ୫୨ ରନ୍ କରି ଅପରାଜିତ ରହିଛନ୍ତି।

Advertisment

୩୦୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ଇନିଂସର ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା। ଏଡେନ୍ ମାର୍କରମ (୧)ଙ୍କୁ ମହମ୍ମଦ ଶାମି କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କୀଗାନ ପିଟରସନ୍ ୧୭ ରନ୍ କରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ଏଲଗାର ନିଜ ଅଭିଜ୍ଞତାର ଫାଇଦା ଉଠାଇଥିଲେ ଏବଂ ରାସି ଭାନ୍ ଡର୍ ଡୁସେନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୦ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାରତର ଏକ ନମ୍ବର ପେସର୍ ଯଶପ୍ରୀତ ବୁମ୍ରା ଭାଙ୍ଗିବାରେ ସଫଳ ହୋଇଥିଲେ।

ଡୁସେନ୍ ୧୧ ରନ୍ କରି ବୋଲ୍ଡ ହୋଇଥିଲା। ନାଇଟ୍ ୱାଚ୍ ମ୍ୟାନ୍ ଭାବେ ଆସିଥିବା କେଶବ ମହାରାଜ (୮)ଙ୍କୁ ମଧ୍ୟ ବୁମ୍ରା କ୍ଲିନ୍ ବୋଲ୍ଡ କରିଥିଲେ। ଆଉ ଏଥିସହ ଦିବସର ଖେଳ ଶେଷ ହୋଇଥିଲା। ଭାରତ ପକ୍ଷରୁ ବୁମ୍ରା ୨ଟି, ଶାମି ଓ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ। ଆସନ୍ତାକାଲି ଅନ୍ତିମ ଦିବସରେ ଉଭୟ ଦଳ ମ୍ୟାଚ୍ ଜିତିବାକୁ ପ୍ରୟାସ କରିବେ।

Advertisment

ଏହା ପୂର୍ବରୁ ଭାରତ ପୂର୍ବଦିନର ସ୍କୋର ୧୬/୧ରୁ ଖେଳ ଆରମ୍ଭ କରିଥିଲା। ଦିବସ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ପେସରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଓପନ୍ ଶଟ୍ ଖେଳିବାକୁ ଦେଇନଥିଲେ। ନାଇଟ୍ ୱାଚ୍ ମ୍ୟାନ୍ ଭାବେ ଆସିଥିବା ଶାର୍ଦ୍ଦୁଲ ଠାକୁର ମାତ୍ର ୧୦ ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ପ୍ରଥମ ଇନିଂସରେ ଶତକଧାରୀ ଲୋକେଶ ରାହୁଲ୍ (୨୩) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ପ୍ୟାଭିଲିୟନ୍ ପଠାଇଥିଲେ।

ଆଉଟ୍ ଅଫ୍ ଫର୍ମ ଚେତେଶ୍ୱର ପୂଜାରା ସତର୍କତାର ସହ ଖେଳିଥିଲେ। ତାଙ୍କ ସହ କ୍ୟାପଟେନ୍ ବିରାଟ କୋହଲି ଏକ ଭଲ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ମାର୍କୋ ଜାନସେନ୍। କୋହଲି ୧୮ ରନ୍ କରିଥିବା ବେଳେ ଜାନସେନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ ଦ୍ରୁତ ବ୍ୟାଟିଂ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ସେ ପୂଜାରାଙ୍କ ସହ ମିଶି ପଞ୍ଚମ ୱିକେଟ ପାଇଁ ୩୦ ରନର ଭାଗିଦାରୀ କରିଥିଲେ। ପୂଜାରା ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ବ୍ୟକ୍ତିଗତ ୧୬ ରନ୍ କରି ଏନଗିଡିଙ୍କ ଶିକାର ହୋଇଥିଲେ।

ରାହାଣେଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଜାନେସନ୍। ରାହାଣେ ୨୩ ବଲରେ ୨୦ ରନ୍ (୩ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ସପ୍ତମ ୱିକେଟ ପାଇଁ ୩୫ ରନ୍ ଯୋଡ଼ିଥିଲେ। ଉଭୟ ଅଶ୍ୱିନୀ (୧୪) ଓ ପନ୍ତ (୩୪)ଙ୍କୁ ରବାଡା ଆଉଟ୍ କରିଥିଲେ। ମହମ୍ମଦ ଶାମି ୧ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ ଏନଗିଡି ୨ଟି ସଫଳତା ପାଇଥିଲେ।