Advertisment

ବିଶ୍ୱକପରେ ବିଜୟ ସ୍ୱାଦ ଚାଖିଲା ଅଷ୍ଟ୍ରେଲିଆ, ଶ୍ରୀଲଙ୍କାର ହ୍ୟାଟ୍ରିକ ପରାଜୟ

ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ପ୍ରଥମ ବିଜୟ। ଆଜି ଟାର୍ଗେଟ ୨୧୦ ରନ ଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
AUS

AUS

ବିଶ୍ୱକପରେ ବିଜୟ ଖାତା ଖୋଲିବାକୁ ସକ୍ଷମ ହୋଇଛି ୫ଥରର ଚାମ୍ପିୟନ ଅଷ୍ଟ୍ରେଲିଆ। ଭାରତ ଓ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିବା କଙ୍ଗାରୁ ଟିମ ଆଜି ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି।

Advertisment

ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ପ୍ରଥମ ବିଜୟ। ଆଜି ଟାର୍ଗେଟ ୨୧୦ ରନ ଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ମିଚେଲ ମାର୍ଶଙ୍କ ୫୨, ଜୋଶ ଇଙ୍ଗଲିସଙ୍କ ୫୮ ଓ ମାର୍ନସ ଲାବୁଶେନଙ୍କ ୪୦ ରନ ବଳରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଚଳିତ ବିଶ୍ୱକରେ ହ୍ୟାଟ୍ରିକ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଓ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିଥିବା ଶ୍ରୀଲଙ୍କା ଆଜି ମଧ୍ୟ ସମଦଶା ଭୋଗିଛି। ଭଲ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର ନ କରିବା ଦଳକୁ ମହଙ୍ଗା ପଡ଼ିଛି। 

Advertisment

ଟସ୍‌ ଜିତି ଲକ୍ଷ୍ନୌରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଏକଦା ବିନା ୱିକେଟରେ ୧୨୫ ରନ କରି ନେଇଥିଲା। କିନ୍ତୁ ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଲେଗ ସ୍ପିନର ଆଡାମ ଜାମ୍ପା ୪ଟି ୱିକେଟ ଦଖଲ କରି ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପ୍‌କୁ ଛିନଛତ୍ର କରି ଦେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି। ଜାମ୍ପାଙ୍କ ୪ ଓ ମିଚେଲ ଷ୍ଟାର୍କଙ୍କ ୨ ୱିକେଟ ଯୋଗୁ ସିଂହଳ ଟିମ ୪୩.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୨୦୯ ରନ କରିବାକୁ ସକ୍ଷମ ହୋଇଥିଲା।

୨୧୦ ରନର ଛୋଟିଆ ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମେ ଡାଭିଡ ୱାର୍ଣ୍ଣର(୧୧) ଓ ପରେ ଷ୍ଟିଭ ସ୍ମିଥ(୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଉଭୟଙ୍କ ୱିକେଟ ଦିଲସାନ ମଧୁଶଣକା ନେଇ ଅଷ୍ଟ୍ରେଲିଆ ଶିବିରରେ ହଇଚଇ ସୃଷ୍ଟି କରିଥିଲେ।

ତେବେ ଅନ୍ୟତମ ଓପନର ମିଚେଲ ମାର୍ଶ ଓ ଲାବୁଶେନ ତୃତୀୟ ୱିକେଟ ପାଇଁ ସ୍ଥିତି ସମ୍ଭାଳିଥିଲେ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଫ୍ଲପ ହୋଇଥିବା ମାର୍ଶ ଆଜି ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୮୧ ଥିବା ବେଳେ ବ୍ୟକ୍ତିତଗ ୫୨ ରନ କରି ମାର୍ଶ ରନ ଆଉଟ ହୋଇଯାଇଥିଲେ।

ଅଷ୍ଟ୍ରେଲିଆ ପୁଣି ଚାପରେ ରହିବା ଆରମ୍ଭ କରିଥିଲା। କିନ୍ତୁ ଇଙ୍ଗଲିସ ଓ ଲାବୁଶେନ କାଉଣ୍ଟର ଆଟାକ କରିଥିଲେ। ଇଙ୍ଗଲିସ ଦ୍ରୁତ ଗତିରେ ରନ ସଂଗ୍ରହ ମଧ୍ୟ କରିଥିଲେ। ଲାବୁଶେନ ତାଙ୍କୁ ଭରପୂର ସାଥ ଦେଇଥିଲେ।

ଉଭୟ ଦଳୀୟ ସ୍କୋରକୁ ୮୧ରୁ ନେଇ ୧୫୮ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୪୦ ରନ କରିଥିବା ଲାବୁଶେନ ପୁଲ ଶଟ ମାରିବାକୁ ଯାଇ ମଧୁଶଣକାଙ୍କ ତୃତୀୟ ଶିକାର ବନିଥିଲେ।

ଲାବୁଶେନ ଆଉଟ ହେବା ପରେ ଗ୍ଲେନ ମ୍ୟାକ୍ସୱେଲ ଆସିଥିଲେ। ସେ ମଧୁଶଣକାଙ୍କୁ କ୍ରମାଗତ ୩ଟି ଚୌକା ମାରି ଦଳକୁ ବିଜୟର ଆହୁରି ନିକଟତର କରି ଦେଇଥିଲେ। ପୂର୍ବରୁ ବଡ଼ବଡ଼ ଶଟ ଖେଳୁଥିବା ଇଙ୍ଗଲିସ କେବଳ ତାଙ୍କର ସାଥ ଦେଇଥିଲେ। ମ୍ୟାକ୍ସୱେଲ ୩୨ ତମ ଓଭରରେ ମହୀଶ ତିକଶାନଙ୍କୁ ୨ଟି ବିଶାଳ ଛକା ମାରି ଦଳୀୟ ସ୍କୋରକୁ ୧୯୦ ପାଖରେ ପହଞ୍ଚାଇ ଦେଇଥିଲେ। 

ଦଳକୁ ଜିତିବା ପାଇଁ ୧୮ ରନ ଦରକାର ଥିବା ବେଳେ ଇଙ୍ଗଲିସ(୫୮) ଦୁନିଥ ୱେଲାଲାଗେଙ୍କ ବଲରେ ଆଛଟ ହୋଇଥିଲେ। ୧୯୨ରେ ଅଷ୍ଟ୍ରେଲିଆ ପ୍ରଥମ ୱିକେଟ ହରାଇଥିଲା। ମାର୍କସ ଷ୍ଟୋଇନିସ କ୍ରିଜ୍‌କୁ ଆସିବା କ୍ଷଣି ପ୍ରଥମ ବଲରେ ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେହି ଓଭରର ଶେଷ ବଲରେ ମଧ୍ୟ ସେ ଚୌକା ମାରି ଅଷ୍ଟ୍ରେଲିଆର ସ୍କୋରକୁ ୨୦୨ରେ ପହଞ୍ଚାଇ ଦେଇଥିଲେ। 

୯୬ ବଳରେ କେବଳ ୮ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ମଧୁଶଣକା। ତାଙ୍କୁ ସାମ୍ନା କରିଥିଲେ ମ୍ୟାକ୍ସୱେଲ। ପ୍ରଥମ ବଲରେ ସେ କୌଣସି ରନ କରି ନଥିବା ବେଳେ ଦ୍ୱିତୀୟ ବଲରୁ ୧ ରନ ହାସଲ କରିଥିଲେ। ତୃତୀୟ ବଲରେ ଷ୍ଟୋଇନିସ ଦ୍ୱିତୀୟ ଆଦାୟ କରିଥିଲେ।

ଏହାର ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ‍ଫଳରେ ବିଜୟ ବ୍ୟବଧାନ ୪କୁ ଖସି ଯାଇଥିଲା। ୪ର୍ଥ ବଲରୁ ଷ୍ଟୋଇନିସ ପୁଣି ୧ ରନ ନେଇଥିଲେ। ୫ମ ବଲରେ ମ୍ୟାକ୍ସୱେଲ ୧ ରନ ନେଇ ଷ୍ଟୋଇନିସଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ମଧ୍ୟ ୧ ରନ ନେ ସ୍କୋରକୁ ବରାବର କରି ଦେଇଥିଲେ। 

୯୦ ବଲକୁ ୧ ରନ ଦରକାର ଥିବା ବେଳେ ଷ୍ଟୋଇନିସ ୩୬ତମ ଓଭର୍‌ର ପ୍ରଥମ ବଲରେ କୌଣସି ରନ କରି ପାରି ନଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ଦୁନିଥ ୱେଲାଲାଗେଙ୍କୁ ୬କା ମାରି ମ୍ୟାଚ୍‌ ଶେଷ କରିଥିଲେ। ମ୍ୟାକ୍ସୱେଲ ଶେଷ ଯାଏ ୨୧ ବଲରେ ୩୧ ଓ ଷ୍ଟୋଇନିସ ୧୦ ବଲରେ ୨୦ ରନ କରି ଅପରାଜି ରହିଥିଲେ।  

ଶ୍ରୀଲଙ୍କା ପକ୍ଷରୁ ମଧୁଶଣକା ୩ଟି ଓ ୱାଲାଲାଗେଙ୍କୁ ଗୋଟିଏ ୱିକେଟ ମିଳିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup