Advertisment

୨୦ ବର୍ଷ ପରେ ପୁଣି ଆଇସିସି ଟ୍ରଫି ପାଇଁ ଲଢ଼େଇ କରିବେ ଭାରତ-ଅଷ୍ଟ୍ରେଲିଆ

ଅଧିନାୟକ ରିକି ପଣ୍ଟିଂ ଓ ଡାମିନ ମାର୍ଟିନ ଭାରତୀୟ ବୋଲରଙ୍କୁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ପଣ୍ଟିଂ ୧୨୧ ବଲରେ ୧୪୦ ରନ କରିଥିବା ବେଳେ ମାର୍ଟିନ ୮୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୩୫୯ ରନ କରିଥିଲା।

author-image
Hemant Lenka
WTC

WTC

୨୦୦୩ ମସିହା ମାର୍ଚ୍ଚ ୨୩ରୁ ୨୦୨୩ ମସିହା ଜୁନ। ଦୀର୍ଘ ୭୩୮୧ ଦିନ ପରେ ପୁଣି ଥରେ ଆଇସିସିର କୌଣସି ଟ୍ରଫି ପାଇଁ ଲଢ଼େଇ କରିବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ୭୩୮୧ ଦିନ ତଳେ ପୁରୁଷ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଥିଲା କଙ୍ଗାରୁ ଟିମ।

Advertisment

ହେଲେ ଏବେ ଗୋଟିଏ ଭିନ୍ନ ପିଢ଼ିର ଭାରତୀୟ କ୍ରିକେଟର ଅଷ୍ଟ୍ରେଲିଆକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭେଟିବାକୁ ଯାଉଛନ୍ତି। ଲଣ୍ଡନର କିଆ ଓଭାଲରେ ଏହି ମ୍ୟାଚ୍‌ ଆଜି ଦିନ ୩ଟାରେ ଆରମ୍ଭ ହେବ।

୨୦ ବର୍ଷ ତଳେ ଅଷ୍ଟ୍ରେଲିଆ ଯେଉଁଭଳି ଭାରତୀୟ ଟିମକୁ ମାତ ଦେଇ ଦିନିକିଆରେ ବିଶ୍ୱ ବିଜେତା ବନିଥିଲା, ଏବେ ଟିମ ଇଣ୍ଡିଆ ପାଖରେ ଏହାର ମଧୁର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ୨୦୨୧ରେ ମଧ୍ୟ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଏବେ ପୁଣି ଦଳ ପାଖରେ ଆଇସିସିର ଟେଷ୍ଟ ଗଦା ଜିତିବାର ସୁଯୋଗ ରହିଛି।

Advertisment

୨୦୦୩ ମସିହା ମାର୍ଚ୍ଚ ୨୩ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା। ଏହାର ରେଜଲ୍ଟକୁ କୌଣସି ଭାରତୀୟ କେବେ ହେଲେ ଭୁଲି ପାରି ନାହାନ୍ତି। ସେମାନେ ଭୁଲିବାକୁ ଚେଷ୍ଟା କରୁଥିଲେ ହେଁ ଅନେକଙ୍କ ମୁଣ୍ଡରେ ଅଷ୍ଟ୍ରେଲିଆର ବଡ଼ ବିଜୟର ସ୍ମୃତି ତାଜା ହୋଇ ରହିଛି।

ଉକ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବା ସହ ପ୍ରଥମ ୧୪ ଓଭରରେ ୧୦୫ ରନ କରିଥିଲା। ଓପନର ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ହରଭଜନ ସିଂହ ପ୍ରଥମେ ଗିଲଖ୍ରୀଷ୍ଟ ଓ ପରେ ହେଡେନଙ୍କୁ ଆଉଟ କରି ଦଳକୁ କମବ୍ୟାକ୍ କରାଇବାକୁ ଚେଷ୍ଟା କରିଥିଲେ।

ହେଲେ ଅଧିନାୟକ ରିକି ପଣ୍ଟିଂ ଓ ଡାମିନ ମାର୍ଟିନ ଭାରତୀୟ ବୋଲରଙ୍କୁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ପଣ୍ଟିଂ ୧୨୧ ବଲରେ ୧୪୦ ରନ କରିଥିବା ବେଳେ ମାର୍ଟିନ ୮୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୩୫୯ ରନ କରିଥିଲା।

୩୬୦ ରନର ପିଛା କରୁଥିବା ଭାରତ ପ୍ରଥମ ଓଭରରେ ହିଁ ସଚିନ ତେନ୍ଦୁଲକରଙ୍କୁ ହରାଇଥିଲା। ଗ୍ଲେନ ମ୍ୟାଗ୍ରାଥଙ୍କ ବଲରେ ସଚିନ ପ୍ୟାଭିଲିୟନ ଫେରିଥିଲେ। ବୀରନ୍ଦ୍ରେ ସେହୱାଗ ଓ ରାହୁଲ ଡ୍ରାଭିଡଙ୍କୁ ଛାଡ଼ି ଦେଲେ ଭାରତର କୌଣସି ବ୍ୟାଟର ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍ନାକୁ କରି ପାରି ନଥିଲେ। ଶେଷରେ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌କୁ ୧୨୫ ରନରେ ଜିତି ବିଶ୍ୱ ବିଜେତା ହୋଇଥିଲା।

ଏହି ମ୍ୟାଚ୍‌କୁ ୨ ଦଶନ୍ଧି ପୂରି ଗଲାଣି। ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଏକତରଫା ଭାବେ ସୌରଭ ଗାଙ୍ଗୁଲିଙ୍କ ଟିମ ଇଣ୍ଡିଆର ହୃଦୟ ଭାଙ୍ଗି ଦେଇଥିଲା। ସମୟ ବିତି ଯାଇଥିଲେ ହେଁ ଉକ୍ତ ମ୍ୟାଚ୍‌ର ପରାଜୟର କ୍ଷତ ଚିହ୍ନ ଏବେ ବି ଭାରତୀୟ ପ୍ୟାନ୍ସଙ୍କ ମଧ୍ୟରେ ରହିଛି। ୨୦୦୩ରେ ଭାରତର ହୃଦୟ ଭାଙ୍ଗିଥିବା ବେଳେ ୨୦୨୩ରେ ଏହାକୁ ଯୋଡ଼ିବାର ସୁଯୋଗ ରହିଛି। କାରଣ ଟେଷ୍ଟ ଫାଇନାଲରେ ସେହି କଙ୍ଗାରୁ ଟିମ ଭାରତ ସାମ୍ନାରେ ଅଛି।

ସେହିପରି ଯେଉଁ ରାହୁଲ ଡ୍ରାଭିଡ ୨୦୦୩ ବିଶ୍ୱକପ ଫାଇନାଲରେ ଖେଳୁଥିଲେ, ଆଜି ସେ ହିଁ ଭାରତୀୟ ଟିମର ମୁଖ୍ୟ କୋଚ ରହିଛନ୍ତି। ସେ ଭଲ ଭାବେ ବୁଝିଛନ୍ତି ଯେ ଆଇସିସି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବାର ଦୁଃଖ କେତେ ଥିଲା। ଏବେ ସେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବେ।

୨୦୧୩ରେ ଭାରତ ଶେଷଥର ପାଇଁ କୌଣସି ବଡ଼ ଆଇସିସି ଟ୍ରଫି ଜିତିଥିଲା। ଇଂଲଣ୍ଡରେ ଦଳ ଇଂଲିଶ ଟିମ୍‌କୁ ହରାଇ ଚାମ୍ପିୟନ୍ସ ଟ୍ରଫି କରାୟତ କରିଥିଲା। ସେବେଠାରୁ ଦଳ ଆଇସିସି ଇଭେଣ୍ଟର ୩ଟି ଫାଇନାଲ ଓ ୪ଥର ସେମି ଫାଇନାଲ ମ୍ୟାଚ୍‌ରେ ହାରିଛି। ୨୦୨୧ ଟି-୨୦ ବିଶ୍ୱକପରେ ଦଳକୁ ପ୍ରଥମ ପର୍ଯ୍ୟାୟରୁ ହିଁ ବିଦା ହେବାକୁ ପଡ଼ିଥିଲା।

ଆଇସିସି WTC କଥା ବିଚାରକୁ ନେଲେ ଭାରତ ୬ଟି ସିରିଜ ଖେଳିଥିଲା। ଦକ୍ଷିଣ ଆଫ୍ରିକାକୁ ଛାଡ଼ି ବାକି ସବୁ ସିରିଜ ଟିମ ଇଣ୍ଡିଆ ଜିତିଛି କିମ୍ବା ଡ୍ର କରିବାକୁ ସକ୍ଷମ ହୋଇଛି। ଭଲ ପ୍ରଦର୍ଶନକୁ ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଜାରି ରଖିବାକୁ ପଡ଼ିବ। ପୁରୁଣା ଭୁଲରୁ ଦଳକୁ ଶିଖିବାକୁ ପଡ଼ିବ।

ଭାରତ ୨୦୨୧ WTCର ପ୍ରଥମ ସଂସ୍କରଣରେ ମଧ୍ୟ ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଭାରତ ଫାଇନାଲ ମ୍ୟାଚ୍‌ ଇଂଲଣ୍ଡରେ ଖେଳୁଥିଲେ ହେଁ ପରାମ୍ପରିକ କମ୍ବିନେସନରେ ମୈଦାନକୁ ଓହ୍ଲାଇଥିଲା।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ ୨ ଜଣ ସ୍ପିନରଙ୍କୁ ଖେଳାଇଥିବା ବେଳେ ଏହା ଘାତକ ସାବ୍ୟସ୍ଥ ହୋଇଥିଲା। ଏଥର ଅଷ୍ଟ୍ରେଲିଆ ବିପକ୍ଷ ଓଭାଲରେ ଖେଳା ଯିବାକୁ ଥିବା ଫାଇନାଲରେ ଟିମ ଇଣ୍ଡିଆର କମ୍ବିନେସନ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

India Vs Australia INDvsAUS World Test Championship Finale WTC