Advertisment

କେପଟାଉନରେ ବୋଲରଙ୍କ ରାଜୁତି: ପ୍ରଥମ ଦିନରେ ଝଡ଼ିଲା ୨୩ ୱିକେଟ

ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ଭାରତ ପ୍ରଥମ ଟିମ ଭାବେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ବିନା ରନରେ ଦଳ ନିଜର ଶେଷ ୬ ୱିକେଟ ହରାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Dean Elgar

Dean Elgar

କେପଟାଉନର ନ୍ୟୁଲ୍ୟାଣ୍ଡ୍ସରେ ବୋଲରଙ୍କ ଦବଦବା। ଗୋଟିଏ ଦିନରେ ଝଡ଼ିଛି ୨୩ ୱିକେଟ। ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନରେ ହିଁ ଅଲଆଉଟ ହୋଇଛନ୍ତି। ଏବେ ମ୍ୟାଚ୍‌ ପୂରା ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି।

Advertisment

ଏକାଧିକ ରେକର୍ଡ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିଛି। ନିଜର କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳୁଥିବା ଡିନ ଏଲଗାର ଦ୍ୱିତୀୟ ଟେଷ୍ଟରେ ବେଶୀ କିଛି କରି ପାରି ନାହାନ୍ତି। ସେହିପରି ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ଭାରତ ପ୍ରଥମ ଟିମ ଭାବେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ବିନା ରନରେ ଦଳ ନିଜର ଶେଷ ୬ ୱିକେଟ ହରାଇଛି। ୧୫୩ ରନରେ ୪ ୱିକେଟ ହରାଇଥିବା ଭାରତ ସମାନ ସ୍କୋରରେ ଅଲଆଉଟ ହୋଇଛି।

ଡିନ ଏଲଗାର ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାର ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ସିରାଜ ୬, ବୁମ୍ରା ଓ ମୁକେଶ କୁମାର ୨ଟି ଲେଖାଏ ୱିକେଟ ନେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନର ଲଞ୍ଚ ପୂର୍ବରୁ ହିଁ ୫୫ ରନ କରି ଅଲଆଉଟ ହୋଇ ଯାଇଥିଲା।

Advertisment

ଲଞ୍ଚ ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଯଶସ୍ୱୀ ଜୈସୱାଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଦମଦାର ବ୍ୟାଟିଂ କରି ପ୍ରଥମେ ଭାରତକୁ ଅଗ୍ରଣୀ ଦେଇଥିଲେ। ଲାଗୁଥିଲା ଭାରତ ପ୍ରଥମ ଇନିଂସରେ ବିଶାଳ ଲିଡ ହାସଲ କରିବ।

କିନ୍ତୁ ରୋହିତ ଶର୍ମା ୩୯ ଓ ଗିଲ ୩୬ ରନ କରି ଆଉଟ ହେବା ପରେ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍‌ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା। ବିରାଟ କୋହଲି ଗୋଟିଏ ପଟେ ଛିଡ଼ା ହୋଇଥିଲେ ହେଁ ଆଉ କେହି ବି ତାଙ୍କୁ ସାଥ ଦେଇଥିଲେ।

ଦଳୀୟ ସ୍କୋର ୧୫୩ ଯାଏ ଭାରତ ୪ ୱିକେଟ ହରାଇଥିଲା। ଲିଡ୍‌ ୯୮ ରନରେ ପହଞ୍ଚି ଯାଇଥିଲା। ବିରାଟ ୪୬ ରନରେ ଅପରାଜିତ ରହିଥିଲେ। ତେବେ ୩୪ ଓଭରରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ପ୍ରଥମ ବଲରେ ଲୁଙ୍ଗି ଏନଗିଡି ୮ ରନ କରିଥିବା କେଏଲ ରାହୁଲଙ୍କୁ ଆଉଟ କରିଥିଲେ। ସେହି ଓଭରରେ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ମଧ୍ୟ ଏନଗିଡିଙ୍କ ଶିକାର ବନିଥିଲେ।

ପରବର୍ତ୍ତୀ ଓଭରର ଦ୍ୱିତୀୟ ବଲରେ କାଗିସୋ ରବାଡା ୪୬ ରନ କରିଥିବା ବିରାଟଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୨ଟି ବଲ ପରେ ସିରାଜ ରନ ଆଉଟ ହୋଇଥିଲେ। ୫ମ ବଲରେ ରବାଡା ଖାତା ଖୋଲି ନଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଆଉଟ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ମାତ୍ର ୧୧ ବଲରେ ଭାରତ ଶେଷ ୬ ୱିକେଟ ହରାଇବା ସହ କୌଣସି ରନ କରିପାରି ନଥିଲା। ପୂରା ଟିମ ୧୫୩ ରନରେ ଅଲଆଉଟ ହୋଇଥିଲା। ତଥାପି ଦଳକୁ ୯୮ ରନର ଲିଡ ମିଳିଥିଲା।

ଭାରତ ଅଲଆଉଟ ହୋଇଯିବାରୁ ପ୍ରଥମ ଦିନର ଶେଷ ସେସନ୍ସରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଏଲଗାର ଓ ଏଡେନ ମାକରମ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ବିନା କୌଣସି ୱିକେଟରେ ଉଭୟ ଦଳୀୟ ସ୍କୋରକୁ ୩୭ ରନରେ ପହଞ୍ଚାଇ ଦେଇଥିଲେ।

କିନ୍ତୁ ଏତିକି ବେଳେ ମୁକେଶ କୁମାର ୧୨ ରନ କରିଥିବା ଏଲଗାରଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସ୍ଲିପ ଅଞ୍ଚଳରେ ବିରାଟ କୋହଲି ତାଙ୍କ କ୍ୟାଚ୍‌ ଧରିଥିଲେ। ନିଜର ଶେଷ ଇନିଂସରେ ଏଲଗାର ୧୨ ରନ କରି ଆଉଟ ହେବା ପରେ ତାଙ୍କୁ ଭାରତୀୟ ଟିମର ଖେଳାଳି ତାଳି ମାରି ବିଦାୟ ଦେଇଥିଲେ। ପୂରା ଷ୍ଟାଡିୟମ ମଧ୍ୟ ତାଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଥିଲା।

ଏହାପରେ ୪୧ ରନରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ୱିକେଟ ହରାଇଥିଲା। ମୁକେଶ କୁମାର ୧ ରନ କରିଥିବା ଟୋନି ଡେ ଜୋର୍ଜିଙ୍କୁ ଆଉଟ କରିଥିଲେ। ଆଉ ୪ ରନ ପରେ ଟେବ୍ୟୁଟାଣ୍ଟ ତ୍ରିଷ୍ଟାନ ଷ୍ଟବ୍ସ(୧) ବୁମ୍ରାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମାକରନ କିଛି ଶଟ ଖେଳିବା ସହ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ।

ତାଙ୍କ ସହ ଡାଭିଡ ବେଡିଙ୍ଗହାମ ରହିଛନ୍ତି। ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୬୨ ରନ କରିଛି। ଏବେ ବି ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୩୬ ରନ ପଛରେ ରହିଛି। ମାକରମ ୩୬ ଓ ବେଡିଙ୍ଗହାମ ୭ ରନ କରି ଅପରାଜିତ ରହିଛନ୍ତି।

India Vs South Africa Test Cricket Test Match Dean Elgar